ନବନୀତା ବ୍ୟୁରୋ। ଏବେ ମିଶନ ବିଜେପୁର। ଗଡ଼ ବିଜୟ ଲାଗି ତିନି ପ୍ରମୁଖ ଦଳ ପ୍ରଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିଏ ସଭା ସମିତି କରି ଭୋଟ ଭିକ୍ଷା କରୁଛି ତ ଆଉ କିଏ ଘର ଘର ବୁଲି ପ୍ରଚାର କରୁଛି। ପୁଣି କେହି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅଭିନବ ଢ଼ଙ୍ଗରେ କ୍ୟାମ୍ପେନ କରୁଛନ୍ତି। ତେବେ ଷ୍ଟାର୍ ପ୍ରଚାରକ ତାଲିକାରେ ଥିବା ପ୍ରତ୍ୟାଖିତ ନେତା ବିଜେପୁର ସାଧାରଣ ଜନତାଙ୍କୁ କେତେ ପ୍ରଭାବିତ କରି ପାରିବେ ଓ ପ୍ରତ୍ୟାଖିତ୍ ନେତାଙ୍କୁ କେତେ ଗ୍ରହଣ କରିବେ ଭୋଟର୍ ତାହା ପ୍ରଶ୍ନ ଉଠୁଛି।
ଷ୍ଟାର୍ ପ୍ରଚାରକ କିଏ? ଯା ପାଖରେ ସମସ୍ତଙ୍କୁ ଆକର୍ଷିତ କରିବାର ପ୍ରଚଣ୍ଡ କ୍ଷମତା ଥାଏ। ନିଜର ନବଶ୍ଚୁମ୍ବି ଭାଷଣ ହେଉ କି ଆଚରଣ ଓ ଭାବ ଭଙ୍ଗୀରେ ଲୋକେ ଆକୃଷ୍ଟ ହୁଅନ୍ତି, ସାଧାରଣରେ ତାହାକୁ ଷ୍ଟାର୍ ପ୍ରଚାରକ ବୋଲି କହିଥାନ୍ତି। ତେବେ ବିଜେପୁରରେ ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ଓ ବିଜେଡି ଦଳ ପକ୍ଷରୁ ଦିଆଯାଇଥିବା ଷ୍ଟାର୍ ପ୍ରଚାରକ ତାଲିକାରେ ଅନେକ ପରାଜିତ ନେତାଙ୍କ ନାଁ ରହିଛି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ବିଜୟ ମହାପାତ୍ର, କନକ ବର୍ଦ୍ଧନ ସିଂହଦେଓ, ପ୍ରଦୀପ ପରୋହିତ, ରବି ନାରାୟଣ ନାୟକ, ଅଶ୍ଵିନୀ ଷଡ଼ଙ୍ଗୀ, ରାଧାରାଣୀ ପଣ୍ଡାଙ୍କ ଭଳି ଛାମୁଆ ନେତାଙ୍କ ନାଁ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି। ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ପ୍ରାୟ ଦେଢ଼ ଲକ୍ଷ ଭୋଟରେ ପରାଜିତ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ରାଜନୀତିରେ ଧୂରିଣ, ଅଭିଜ୍ଞ ଥାଇ ତାଙ୍କୁ ଧୂଳି ଚଟାଇବାରେ ସକ୍ଷମ ହେଲେ ଅଭିନେତା ଅନୁଭବ। ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରଥମ କରି ଓହ୍ଲାଇଥିବା ଅନୁଭବ ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ରେକର୍ଡ ସୃଷ୍ଟି କଲେ। ହେଲେ କେନ୍ଦ୍ରାପଡ଼ାରୁ ପ୍ରତ୍ୟାଖିତ୍ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପୁରର ସାଧାରଣ ଜନତା କେତେ ଗ୍ରହଣ କରିବେ ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି। କେବଳ ବୈଜୟନ୍ତ ନୁହେଁ, କେଭି ସିଂହଦେଓ, ସମ୍ବିତ ପାତ୍ର, ବିଜୟ ମହାପାତ୍ର, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡାଙ୍କୁ ଭଳି ନେତାଙ୍କୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେଡ଼ି ଷ୍ଟାର୍ ପ୍ରଚାରକ ତାଲିକାରେ ମଧ୍ୟ ଅନେକ ପ୍ରତ୍ୟାଖିତ୍ ନେତାଙ୍କ ନାଁ ରହିଛି। ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିହଦେଓ, ନଳିନୀ କାନ୍ତ ପ୍ରଧାନ, ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭଳି ପ୍ରତ୍ୟାଖିତ୍ ନେତାଙ୍କୁ ଷ୍ଟାର୍ କ୍ୟାମ୍ପେନର କରା ଯାଇଛି। ନିଜ ଅଞ୍ଚଳର ଲୋକେ ଗ୍ରହଣ କରୁନଥିବା ନେତାଙ୍କୁ ଅନ୍ୟ ଅଞ୍ଚଳର ଲୋକେ କିଭଳି ଆକର୍ଷିତ ହେବେ, ତାହା ସହଜରେ ଅନୁମାନ କରିପାରୁଥିବେ।

ସେପଟେ କଂଗ୍ରେସ ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ମଧ୍ୟ ଅନେକ ପରାଜିତ ନେତାଙ୍କ ନାଁ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଙ୍କ ଭଳି ଟାଣୁଆ ନେତା। ନିଜ ଅଞ୍ଚଳର ସାଧାରଣ ଜନତାଙ୍କୁ ହାତ ମୁଠାରେ ରଖିବାରେ ବିଫଳ ହୋଇଥିବା ଏ ନେତାଏ ବିଜେପୁର ଭୋଟରଙ୍କୁ କେତେ ପ୍ରଭାବିତ କରିପାରିବେ ତାହା ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ନିର୍ବାଚନରେ ନିଜେ ବିଜୟୀ ହୋଇ ପାରିନଥିବା ନେତା ଦଳୀୟ ନେତାଙ୍କୁ ଜିତାଇବାରେ କେତେ ସହାୟକ ହେବେ ତାହା ଆସନ୍ତା ୨୪ ତାରିଖରେ ଜଣା ପଡ଼ିବ।
