ନବନୀତା ବ୍ୟୁରୋ। ନିର୍ବାଚନୀ ପ୍ରଚାରରେ କମ୍ପୁଛି ବିଜେପୁର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି। ତେବେ ହାତରେ ଆଉ କମ୍ ସମୟ ଥିବାରୁ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଦିନ ରାତି ଏକ କରି ପ୍ରଚାର ଚଳାଇଛନ୍ତି।

ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଦିନିଆ ବିଜେପୁର ଗସ୍ତରେ ଯାଇ ରୀତା ସାହୁଙ୍କ ଲାଗି ଭୋଟ ମାଗୁଛନ୍ତି ନବୀନ। ଗୁରୁବାର ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା ହେଲିପ୍ୟାଡରେ ଓହ୍ଲାଇବା ପରେ ହାଇଟେକ ପ୍ରଚାର ଆରମ୍ଭ କରିଥିଲେ। ଲାଉମୁଣ୍ଡା , କୁରକୁଟା , ପଥରଲା , ବଡ଼ବାଉଁସେନ , ସାଇପାଲି, ଖରମୁଣ୍ଡା , ଚରପାଲି , କଲଙ୍ଗାପାଲି, ଗୁଡିମୁଣ୍ଡା, ବିଜେପୁର, ବନ୍ଧପାଲି , ଗୋପେଇପାଲି , ବରଗାଁ , ରେମଟା , କୁମ୍ଭାରୀ , ପଟକୁଳୁଣ୍ଡା , ବାରଙ୍ଗପାଳି , ସିକିରଡା, ସତଲମା, ହଲଦୀପଲି, ବରଗୁଡା , ମହଦା , ତିନକାନୀ ଛକ , ଆଗଲପୁର, ତେଜାଙ୍ଗ ଆଦି ସ୍ଥାନରେ ରୋଡ଼ ସୋ କରି ସାଧାରଣ ଜନତାଙ୍କୁ ସମ୍ବୋଧନ କରିଥିଲେ। ସେଠାରେ ଉପସ୍ଥତ ଲୋକଙ୍କୁ ଜୁହାର କରି ରୀତା ସାହୁଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏଥିସହ ବିଜେପୁରବାସୀଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ଲୋକେ ହଁ କହିବା ପରେ, “ମୁଁ ବି ବହୁତ୍ ଖୁସି ବୋଲି କହିଥିଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ହାଇଟେକ ପ୍ରଚାର କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଏ ରୋଡ ସୋର ନେତୃତ୍ୱ ବିଧାୟକ ପ୍ରଣବ ପ୍ରକାଶ ଦାସ ନେଉଥିବା ବେଳେ ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ନବ ଦାସ୍, ଦିବ୍ୟ ଶଙ୍କର ମିଶ୍ର, ପଦ୍ମନାଭ ବେହେରା ଆଦି ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ, ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଜୋରଦାର ଚଳାଇଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଛାମୁଆ ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀ ପାଇଁ ବିଧାୟକ ମହମ୍ମଦ ମୋକ୍କିମ୍, ସୁର ରାଉତରାୟ, ପ୍ରଦୀପ ଦେବତାଙ୍କ ଭଳି ଟାଣୁଆ ନେତା ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ତେବେ ବିଜେପୁରବାସି କାହା ମୁଣ୍ଡରେ ସୁନା କଳସ ଢାଲିବେ ତାହା ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ଜଣା ପଡ଼ିବ।
