ବିଜେପୁର ଉପନିର୍ବାଚନ: ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା

ବଡ଼ ଖବରମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ। ବିଜେପୁର ମହାମୁକାବିଲା। ନେତାଙ୍କ ଲାଗି ଅଗ୍ନି ପରୀକ୍ଷା। ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆରମ୍ଭ ହୋଇ ଯାଇଛି ମହା ଲଢେଇର ଶେଷ ପର୍ବ ତଥା ଭୋଟଦାନ। ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା। ବିଜେଡିର ରୀତା ସାହୁ, ବିଜେପିର ସତନ ଗଡ଼ତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ଭିତରୁ କାହାକୁ ନିର୍ବାଚିତ କରିବେ ବିଜେପୁରବାସୀ।

ବିଜେପୁର ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ସିଟ୍ ଛାଡ଼ି ଥିବାରୁ ବିଜେଡ଼ି ପୁନର୍ବାର ଏହାକୁ ଦଖଲ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛି। ଅନ୍ୟପଟେ ବିଜେପୁର ଅକ୍ତିଆର ପାଇଁ ଲାଗି ପଡିଛନ୍ତି ବିଜେପି ଓ କଂଗ୍ରେସ । ୨୮୫ଟି ବୁଥରେ ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ।


ବରପାଲି, ଗାଇସିଲେଟ ଓ ବିଜେପୁରକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର, ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଓ ୧୫ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଏଥର ୬ଟି ମଡେଲ ବୁଥ ରହିଥିବା ବେଳେ ୨୮ଟି ୱେବ କାଷ୍ଟିଂ ବୁଥ ରହିଛି। ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ, ୬ଟି ବୁଥ୍ ନକ୍ସଲ ପ୍ରଭାବିତ, ୧୪ଟି ବୁଥରେ ସିସିଟିଭି ବ୍ୟବସ୍ଥା ଓ ୧୬ଟି ବୁଥର ନିର୍ବାଚନ ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି କରାଯାଉଛି ।

ନିର୍ବାଚନ ପରିଚାଳନା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୁରା ପୋଲିସ ଛାଉଣୀ ହୋଇଯାଇଛି ବିଜେପୁର । ମତଦାନ ପ୍ରକ୍ରିୟାରେ ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନସ୍ପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଇଛି । ତେବେ ବିଜେପୁରବାସୀ କାହା ଉପରେ ଭରସା କଲେ ଓ କିଏ ସାଜିବ ବିଜେପୁର ବାଜିଗର୍ ତାହା ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ।