ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଛି l କେବିକେ ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ଡ଼ିଡ଼ିଏମ ଡ଼ ବିବେକ ନାୟକ, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡ଼ପଣ୍ଡା, ରାଇଟ ପ୍ରିନସିପାଲ ଲାଲ ବିହାରୀ ମଲିକ, ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ ପ୍ରମୁଖ ଯୋଗ ଦେଇ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, ଯତ୍ନ, ଗୁଣବତ୍ତା ତଥା ସଂରକ୍ଷଣର ଆବଶ୍ୟକତା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ l ବରିଷ୍ଠ ବୈଜ୍ଞାନିକ ଡ଼ ସତ୍ୟମୟ ଶତପଥି ମୃତ୍ତିକା ପରୀକ୍ଷାର ପ୍ରକ୍ରିୟା ,ଉପାଦେୟତା ଏବଂ ସମନ୍ଵିତ ଖାଦ୍ୟସାର ପରିଚାଳନା ଉପରେ ସୂଚନା ପ୍ରଦାନ କରିବା ସହ ଚାଷୀମାନେ ଏହାର ଆବଶ୍ୟକତା ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା କୃଷି ବିଭାଗର ମୃତ୍ତିକା ରସାୟନବିତ ସୁନନ୍ଦା ସାହୁ ବିଶ୍ଵ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ସଭା କାର୍ଯ୍ଯ ପରିଚାଳନା କରିଥିଲେ I ଏ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା I
ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ
