ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ସାନଗୁରୁଜୀଭଟା ଶିଶୁ ବିକ୍ରି ଘଟଣାରେ 3 ଗିରଫ I ଛୁଆ ନେଇଥିବା ବ୍ୟକ୍ତି ଓ ମଧ୍ୟସ୍ଥିଙ୍କୁ ଗିରଫ କରାଯାଇଛି I ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ରିଷିକେଶ ଖିଲାରୀ I ଗିରଫ ଅଭିଯୁକ୍ତ ମାନେ ହେଲେ ଲାଠୋରର ଔଷଧ ଦୋକାନୀ ଆଲୋକ ଅଗ୍ରୱାଲ, ଛୁଆ କିଣିବା ପାଇଁ ଆସିଥିବା ମଦନପୁର ରାମପୁରର ରାଜ କୁମାର ମିତ୍ତଲ ଓ ANM ମମତା ଭୋଇଙ୍କୁ ଗିରଫ କରାଯାଇଛି I ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସ୍ପି କହିଛନ୍ତି I ହେଲେ ଶିଶୁ ବିକ୍ରି ନେଇ ଆର୍ଥିକ କାରବାରର ପ୍ରମାଣ ମିଳିନାହିଁ I
ସେପଟେ ଗାଁକୁ ଯାଇ ଶିଶୁ ବିକ୍ରି ଘଟଣାର ତଦନ୍ତ କରିଛି ଜିଲ୍ଲା ପ୍ରଶାସନ I ଅରୁଣାବତୀ ନାଗ ଓ ତାଙ୍କ ସମ୍ପର୍କୀୟ କିଭଳି ସ୍ଥିତିରେ ଅଛନ୍ତି ଓ ସେମାନେ ସରକାରୀ ସୁବିଧା କଣ ପାଉଛନ୍ତି ସେନେଇ ପଚାରି ବୁଝିଛନ୍ତି I ତେବେ କାହିଁକି ସେ ଶିଶୁଟିକୁ ଅନ୍ୟକୁ ଦେଇ ଦେଲେ ତାର ତଦନ୍ତ ଜାରି ରହିଛି I କିନ୍ତୁ ଘଟଣାରେ ଆର୍ଥିକ କାରବାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ I ତେଣୁ ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲାପାଳ I ପୂର୍ବରୁ ଅରୁଣାବତୀ ନାଗଙ୍କ ଘରକୁ ଯାଇ ଘଟଣା ବାବଦରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ I ଏବଂ ଏଥିରେ ଯାହାର ବି ସମ୍ପୃକ୍ତି ଆସିବ କାହାରିକୁ ଛଡ଼ା ଯିବ ନାହିଁ ବୋଲି କହିଥିଲେ କେଭି I
ଗତ ୨ ତାରିଖରେ ସୁନାମୁଦି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଅରୁଣାବତୀ ନାଗଙ୍କ ପ୍ରସବ ହୋଇଥିଲା। ସଂଧ୍ୟାରେ ନବଜାତ ଶିଶୁ କନ୍ୟା ନେଇ ଘରକୁ ଗଲେ। ହେଲେ ୩ ତାରିଖ ସକାଳେ ଶିଶୁର ସ୍ବାସ୍ଥ୍ୟ ସଂପର୍କରେ ଜାଣିବା ପାଇଁ ଆଶା କର୍ମୀ ଯିବା ପରେ ଛୁଆ ଘରେ ନଥିବା ଜଣାପଡିଥିଲା। ଏନେଇ ସେ ଏଏନଏମ ମମତା ଭୋଇଙ୍କୁ ଜଣାଇଥିଲେ। ହେଲେ ସ୍ବାସ୍ଥ୍ୟକର୍ମୀ ଏନେଇ କାହାକୁ ନ ଜଣାଇ ଚୁପ୍ ରହିଥିଲେ। ପରେ ୧୨ ତାରିଖରେ ଶିଶୁ ବିକ୍ରି ନେଇ ଚହଳ ସୃଷ୍ଟି ହେବା ପରେ ଶିଶୁ ମଙ୍ଗଳ ସମିତି ସଦସ୍ୟା ସେଠାକୁ ଯାଇ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଏବେ ଆଲୋକ ଅଗ୍ରୱାଲ, ରାଜ କୁମାର ମିତ୍ତଲ ଓ ଏଏନଏମ ମମତା ଭୋଇଙ୍କୁ ଗିରଫ କରାଯାଇଛି। ହେଲେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି।