ଏନ୍ଏନ୍ ବ୍ୟୁରୋ I ଆସିକା ଚିନି କଳର ପୁନଃରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗଠନ ହେବ ଏକ ଟାସ୍କ ଫୋର୍ସ ଗଠନ। ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ରହିବେ। ଆସିକା ଚିନି ଶିଳ୍ପର ପୁନଃରୁଦ୍ଧାର ଲାଗି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଚିନି କଳ ହେଉଛି ଏକ ପୁରାତନ ଚିନି କଳ। ଏହି ଶିଳ୍ପ ଉପରେ ଅନେକ ଚାଷୀ ନିର୍ଭର କରନ୍ତି। ତେଣୁ ଏହାର ଉନ୍ନତିକରଣ ଓ ପୁନଃରୁଦ୍ଧାର କରିବା ପାଇଁ ଟାସ୍କଫୋର୍ସ ଗଠନ କରି ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବଂ ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବା ପରେ ଏହାର ରିପୋର୍ଟ ଆଧାରରେ ଚିନି କଳର ପୁନଃରୁଦ୍ଧାର କରାଯିବ ବୋଲି ମୋହନ ମାଝୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆସିକା ସମବାୟ ଚିନି କଳ ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୬୩ରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। ପରେ ଏହାର କ୍ଷମତା ବୃଦ୍ଧି ହୋଇ ଚିନି ସହ ଅନ୍ୟାନ୍ୟ ପଦାର୍ଥ ମଧ୍ୟ ଉତ୍ପାଦନ କରାଯାଉଛି। ହେଲେ ଏବେ ଏହି ଶିଳ୍ପ ଲାଭଜନକ ସ୍ଥିତିରେ ନାହିଁ। ତେଣୁ ଏହାର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ନୂଆ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ହସ୍ତ ତନ୍ତ, ବୟନ ଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଆସିକା ବିଧାୟକ ସରୋଜ କୁମାର ପାଢୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ, କୃଷି, ସମବାୟ ତଥା ଅବକାରୀ ବିଭାଗ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ରହିଥିଲେ।
