ଏନ୍ଏନ୍ ବ୍ୟୁରୋ I ଧାନ କିଣା ନେଇ ପ୍ୟାକ୍ସ ସଭାପତିଙ୍କ ଜରୁରୀ ବୈଠକ I ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକରେ ମନ୍ଥର ଗତିରେ ଧାନ ସଂଗ୍ରହ ନେଇ ପ୍ୟାକ୍ସ ସଭାପତିଙ୍କ ଚିନ୍ତା ବଢି ଯାଇଛି I ଏନେଇ ବଏରାସର ପ୍ୟାକ୍ସରେ ବିଡିସିସିବି ସଭାପତି ସ୍ମାରକ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା l ଏଥିରେ ପୁଇଁତଳା ବ୍ଲକର 14 ଗୋଟି ପ୍ୟାକ୍ସର ସଭାପତି ସାମିଲ ହୋଇଥିଲେ I ହେଲେ ଚଳିତ ବର୍ଷ ଧାନ କିଣା ଧୀରେ ଧୀରେ ଧୀରେ ଚାଲିଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ I ତେଣୁ ଜରି ବସ୍ତା ଧାନ ନେବା ସହ ଶୀଘ୍ର ଧାନ ଉଠାଇବାକୁ ଦାବି ହୋଇଛି I
ସୂଚନା ଅନୁସାରେ, ଚଳିତ ବର୍ଷ ନଭେମ୍ବର ମାସରୁ ଚାଷୀ ଧାନ ଅମଳ କରି ଜରି ବସ୍ତାରେ ଭର୍ତ୍ତି ରଖିଛି I ହେଲେ ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅଖା ବସ୍ତା ପାଇନି I ବ୍ଲକର ଅଧିକାଂଶ ଚାଷୀ ଜରି ବସ୍ତାରେ ଧାନ ଭର୍ତ୍ତି କରି ରଖିଛି I କିନ୍ତୁ ମିଲର୍ସ ଜରି ବସ୍ତାରେ ଧାନ ନେବାକୁ ମନା କରୁଛି I ଫଳରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ହଇରାଣ ହେଉଛି I ତେଣୁ ଜରି ବସ୍ତା ଧାନ ମିଲର୍ସ ଉଠାଇବା ସହିତ ଶୀଘ୍ର ଧାନ କିଣିବାକୁ ପ୍ୟାକ୍ସ ସଭାପତି ଦାବି ଜଣାଇଛନ୍ତି I ନହେଲେ ଅନେକ ଚାଷୀର ଟୋକନର ଅବଧି ସରିବା ଯଥେଷ୍ଟ ସମ୍ଭାବନା ରହିଛି I
ଅପରପକ୍ଷରେ ସପ୍ତାହେ ଯାଏ ଟୋକନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କ୍ଷମତା ରହିଛି I ହେଲେ ଧାନ କିଣା ଏଭଳି ସ୍ଥିତିରେ ଚାଲିଲେ ଡିସେମ୍ବର ମାସର ଧାନ କିଣା ଟାର୍ଗେଟ ପୂରଣ ହୋଇ ପାରିବ ନାହିଁ I ଯାହା ଆସନ୍ତା ଜାନୁଆରୀ ମାସ ଧାନ କିଣାରେ ଅତିରିକ୍ତ ବୋଝ ପଡିବ I ଏଥିପାଇଁ ମଣ୍ଡିରେ ଚାଷୀଙ୍କ ନାହିଁନଥିବା ଭିଡ଼ ଲାଗିବା ସମ୍ଭାବନା ରହିଛି I ତେଣୁ ଚାଷୀଙ୍କୁ ହଇରାଣ ନକରି ସୁବ୍ୟବସ୍ଥିତ ଭାବେ ମଣ୍ଡିରୁ ଧାନ ଉଠାଇବାକୁ ପ୍ୟାକ୍ସ ସଭାପତିମାନେ ଦାବି କରିଛିନ୍ତି I ବୈଠକରେ ପୁଇଁତଳା ବ୍ଲକର 14ଟି ଯାକ ପ୍ୟାକ୍ସର ସମସ୍ତ ସଭାପତି ଉପସ୍ଥିତ ରହିଥିଲେ l
