କୃଷି ଓଡିଶା ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀ କେଭିଙ୍କ ସମୀକ୍ଷା

ଓଡ଼ିଶାବଡ଼ ଖବରରାଜନୀତି

ଭୁବନେଶ୍ୱର, ଏନ୍ଏନ୍ ବ୍ୟୁରୋ I କୃଷି ଓଡିଶା 2025 ପାଇଁ ଜୋରସୋର୍ ସଜବାଜ I ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ମାସରେ ଆୟୋଜିତ ହେବାକୁ ଥିବା କୃଷି ଓଡ଼ିଶା, ଚାଷୀ ପଞ୍ଜିକରଣ, କୃଷକଙ୍କ ତଥ୍ୟ ଏବଂ ୨୦୨୫-୨୬ ବର୍ଷ ପାଇଁ କୃଷି ବଜେଟ ଉପରେ ପ୍ରସ୍ତୁତି ଆଲୋଚନା କରାଯାଇଥିଲା।

ଆସନ୍ତା ଜାନୁଆରୀ ୩ ରୁ ୫ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ କୃଷି ଓଡ଼ିଶା ଭୁବନେଶ୍ବରସ୍ଥିତ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ମହା ସମାରୋହରେ ଅନୁଷ୍ଠିତ ହେବ । ଏଥିରେ ୧୨ ଗୋଟି ବୈଷୟିକ ଅଧିବେଶନ ରହିଛି। ପ୍ରତି ଅଧିବେଶନରେ ୨୦୦ ଜଣ ଅଂଶଗ୍ରହଣ କରିବେ ଏବଂ ୨୫୦ଟି ଷ୍ଟଲ ପ୍ରଦର୍ଶିତ କରାଯିବ । ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ କୃଷି ଓଡ଼ିଶାରେ କରାଯିବ I ଏଥିରେ ସାରା ରାଜ୍ୟରୁ ପ୍ରାୟ ୧୦,୦୦୦ କୃଷକ ଯୋଗଦାନ କରିବେ ।

ସେହିପରି କୃଷକ ପଞ୍ଜିକରଣରେ ଚାଷୀଙ୍କୁ ପଞ୍ଜିକୃତ ହେବା ପାଇଁ ସାରା ରାଜ୍ୟରେ କ୍ୟାମ୍ପ ବ୍ୟବସ୍ଥା କରାଯିବ। ଚାଷୀମାନେ ନିଜକୁ ପଞ୍ଜୀକୃତ କରିବା ନିମନ୍ତେ କ୍ୟାମ୍ପର ସହାୟତା ନେଇ ପାରିବେ କିମ୍ବା ନିଜେ ନିଜେ ପଞ୍ଜୀକରଣ କରିପାରିବେ ନହେଲେ ଜନସେବା କେନ୍ଦ୍ରର ସହାୟତା ନେଇପାରିବେ । ପ୍ରତି ରେଜିଷ୍ଟ୍ରେସନ ପିଛା ୧୦ ଟଙ୍କା ସରକାର ଯୋଗାଇ ଦେଉଛନ୍ତି । ଏହି ରେଜିଷ୍ଟ୍ରେସନ ଦ୍ୱାରା ସରକାରଙ୍କ ପାଖରେ ରାଜ୍ୟର ସମସ୍ତ ଚାଷୀଙ୍କ ବିଶଦ ତଥା ଏକୀକୃତ ଡାଟାବେସ ରହି ପାରିବ । ପରବର୍ତ୍ତୀ ସମୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏହାର ବ୍ୟବହାର କରାଯିବ।

ଏଥିସହିତ ଆଗାମୀ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ କୃଷି ବିଭାଗ ଦ୍ଵାରା ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟର ବଜେଟ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।