ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ କର୍ମଚାରୀ ସୁଧୀର କୁମାର ନନ୍ଦ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ କର୍ମଚାରୀ। ଏଥର ଭିଜିଲାନ୍ସ ପଂଝାରେ ପଡିଛନ୍ତି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ୍ ମ୍ୟାନେଜର ସୁଧୀର କୁମାର ନନ୍ଦ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କର କୋଟିଏରୁ ଅଧିକ ଟଙ୍କାର ସମ୍ପତି ଠାବ କରିଛି। ଭିଜିଲାନସ୍ ଅଧିକାରୀଙ୍କ ସୂଚନା ଅନୁସାରେ, ତାଙ୍କର ମୋଟ ସମ୍ପତି ୧ କୋଟି ୯ ଲକ୍ଷ ୫୪ ହଜାର ଟଙ୍କାର ସମ୍ପତି ଠାବ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୮୮ ଲକ୍ଷ ଟଙ୍କାର ଆଲିଶାନ କୋଠା, ଗହଣା ୪ ଲକ୍ଷ ୮୪ ହଜାର, ୫ ଲକ୍ଷ ୧୬ ହଜାର ବ୍ୟାଙ୍କ ଜମା, ଜମି ଜମା ୪ ଲକ୍ଷ ୮୫ ହଜାର, ଘରକରଣା ୧ ଲକ୍ଷ ୯୮ ହଜାର ଏବଂ ୫୭ ହଜାର ଟଙ୍କାର ଗାଡି ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୮୦ ଲକ୍ଷ ୫୪ ହଜାର ଟଙ୍କାର ହିସାବ ଦେଇ ପାରି ନାହାନ୍ତି ସୁଧୀର ନନ୍ଦ। ଏନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ବର କିଷାନ କହିଛନ୍ତି।

ସମ୍ୱଲପୁର ଭିଜିଲାନସ ଏସ.ପିଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ୍ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭିଜିଲାନସ ବିଭାଗର ଚାରୋଟି ଟିମ ସହରର ତିନୋଟି ଜାଗାରେ ଚଢ଼ାଉ କରିଥିଲା। ପେଲେସ ଲେନ ସ୍ଥିତ ଆଲିଶାନ ଘର, ରୁଗୁଡ଼ିପଡ଼ାର ପୈତୃକ ଘର ଓ ବିଡିସିସି ବ୍ୟାଙ୍କରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ। ସବୁ ଆକଳନ ପରେ ସୁଧୀର କୁମାର ନନ୍ଦଙ୍କ ମୋଟ ୧ କୋଟି ୯ ଲକ୍ଷ ୫୦ ହଜାର ଟଙ୍କାର ସମ୍ପତି ଠାବ ହୋଇଛି। ତେବେ ତାଙ୍କର ଆୟ ଓ ଖର୍ଚ୍ଚ ଟଙ୍କା କୁ ଛାଡି ଦେଲେ ୮୦ ଲକ୍ଷ ୫୪ ହଜାର ଟଙ୍କାର ଆୟର ବହିର୍ଭୁତ ସମ୍ପତି ଠାବ ହୋଇଥିବା ସୂଚନା ଦେଇଛି ଭିଜିଲାନ୍ସ। ହେଲେ ସୁଧୀରଙ୍କ ଆୟବର୍ହିଭୂତ ଠୁଳ ନେଇ ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ଦେଇଛି ଭିଜିଲାନ୍ସ।

ଏଠି ପ୍ରଶ୍ନ ଉଠୁଛି, ବିଡିସିସି ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ୍ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଯଦି କୋଟିଏରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଛି, ତେବେ ଅନ୍ୟ ବଡ଼ବଡ଼ିଆ କର୍ମଚାରୀଙ୍କ ଘରେ କେତେ ପରିମାଣର ଟଙ୍କା ବାହାରିବ ତାହା କହିବା ମୁସ୍କିଲ। ବିଡିସିସି ବ୍ୟାଙ୍କ ହେଉଛି ଦୁର୍ନୀତିର ଗାନ୍ତା ଘର। ବିଭିନ୍ନ ସମୟରେ ଘୋଟାଲା ନେଇ ଚର୍ଚ୍ଚାରେ ରହି ଆସିଛି ଏହି ବ୍ୟାଙ୍କ। କେତେବେଳେ ଲୁନ କରି ଚାଷୀ ଟଙ୍କା ହଡ଼ପ ତ ଆଉ କେତେବେଳେ ବେଆଇନ୍ ନିଯୁକ୍ତି ଭଳି କେଳେଙ୍କାରୀ ରହିଛି। ଏବେ ଏହି ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ୍ ମ୍ୟାନେଜର ସୁଧୀର କୁମାର ନନ୍ଦ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ବ୍ୟାଙ୍କର ଅନ୍ୟ ଦୁର୍ନୀତିଖୋର କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। କେତେବେଳେ କେଉଁ କର୍ମଚାରୀ ଉପରେ ଚଢ଼ାଉ ଆଶଙ୍କା ଥିବାରୁ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ଦେଖାଯାଉ ଆଗକୁ ଭିଜିଲାନ୍ସ କି ପ୍ରକାର ତତ୍ପରତା ଦେଖାଉଛି।

Leave a Reply