ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ବର୍ଷ ଉପହାର

ଓଡ଼ିଶାବଡ଼ ଖବରମନୋରଞ୍ଜନ

ଏନ୍ଏନ୍ ବ୍ୟୁରୋ। ଜୀ-ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନ ଓଡ଼ିଆ ଟେଲିଭିଜନ ଜଗତରେ ଏକ ନୂଆ ଅଧ୍ୟାୟ ରଚନା କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ନୂଆ ଓଡ଼ିଆ ଧାରାବାହିକ ‘କେମିତି କହିବି କହ’। ଏହି ମେଗା ଧାରାବାହିକର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜୁଛନ୍ତି ଜଣାଶୁଣା ଅଭିନେତ୍ରୀ ସୁପ୍ରିୟା। ଏହା ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ ପରିଚିତ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ।

ଛୋଟପରଦାର ଦର୍ଶକ ପ୍ରଥମ ଥର ପାଇଁ ସିଦ୍ଧାନ୍ତଙ୍କୁ ଏକ ମେଗା ଧାରାବାହିକରେ ଦେଖିବାକୁ ପାଇବେ। ଯଦିଓ ସେ ଆଗରୁ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ଚୋରାବାଲି’ରେ ଅଭିନୟ କରିଥିଲେ ତେବେ ତାହା ମାତ୍ରା 13 ଏପିସୋଡ ବିଶିଷ୍ଟ ଥିଲା, ଆଉ ଏହା 300 ଏପିସୋଡ ବିଶିଷ୍ଟ ମେଗା ଧାରାବାହିକ। ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟ ପରଦାର ଅଗଣିତ ଦର୍ଶକଙ୍କ ପାଇଁ ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ଏହା ସବୁଠୁ ବଡ ଉପହାର ତଥା ନୂଆ ବର୍ଷର ଭେଟି। ଓଡ଼ିଆ ସିନେମାର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ ‘କେମିତି କହିବି କହ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କ୍ୟାମେରା ପରିଚାଳନା କରିଛନ୍ତି ଜଣାଶୁଣା କ୍ୟାମେରାମ୍ୟାନ ସୀତାଂଶୁ ମହାପାତ୍ର।

ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଦୁନିଆରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ। ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଧାରାବାହିକ ଗୁଡିକ ଟିଆରପି ରେଟିଙ୍ଗରେ ଆଗରେ ରହିବା ସହିତ ବିପୁଳ ଦର୍ଶକୀୟ ସମର୍ଥନ ଲାଭ କରି ଓଡ଼ିଆ ଟେଲିଭିଜନ ଜଗତରେ ଆଲୋଡନ ସୃଷ୍ଟି କରିପାରିଛି। କେବଳ ସେତିକି ନୁହେଁ, ‘ପାଇକ ବିଦ୍ରୋହ’ର ପ୍ରସ୍ତୁତି ତଥା ପରିକଳ୍ପନା ଏହି ପ୍ରଯୋଜନା ସଂସ୍ଥାର ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ। ସେହିପରି ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଅକ୍ଷୟ ପରିଜା ପ୍ରଡକ୍ସନ ଦେଶ ବିଦେଶରେ ଖ୍ୟାତି ଓ ସୁନାମ ଅର୍ଜନ କରିଛି। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଜିଅନ୍ତାଭୂତ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରି ଓଡିଶା ପାଇଁ ଗୌରବ ଆଣି
ଦେଇଥିଲା। ହିନ୍ଦୀ ଚଳଚ୍ଚିତ୍ର ‘କଡ଼ଭି ହୱା’ ଏବଂ ବଙ୍ଗଳା ଚଳଚ୍ଚିତ୍ର ‘କଣ୍ଠ’ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସା ଲାଭ କରିଥିଲା।

ମନୋରଞ୍ଜନ ଦୁନିଆରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଓଡ଼ିଶାର ନମ୍ବର ୱାନ ପ୍ରଯୋଜନା ସଂସ୍ଥା ଅକ୍ଷୟ ପରିଜା ପ୍ରଡକ୍ସନ ଓ ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଗାମୀ ଧାରାବାହିକ ‘କେମିତି କହିବି କହ’ ନିଶ୍ଚିତ ଭାବେ ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ଦେବ।
କରୋନା ସଂକ୍ରମଣର ସଙ୍କଟ କାଳରେ ଯେତେବେଳେ ସମସ୍ତେ ଜୀବନ ଓ ଜୀବିକା ପାଇଁ ସଂଘର୍ଷରତ, ସେପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ବିରାଟ ପ୍ରକଳ୍ପର ପରିକଳ୍ପନା ନିଶ୍ଚିତ ଭାବରେ କଳାକାର ଓ ଟେକନିସିଆନଙ୍କ ମନରେ ଆଶା, ବିଶ୍ୱାସ ଓ ଭରସା ଆଣିଦେଇଛି। ଏଥିପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନିରନ୍ତର ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ।

ଏ ପରିପ୍ରେକ୍ଷୀରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଭୂମିକା ମଧ୍ୟ କିଛି କମ ନୁହେଁ। ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଶିଳ୍ପର ପୁନଃରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଧାରାବାହିକରେ ଅଭିନୟ ସମ୍ପର୍କରେ ସିଦ୍ଧାନ୍ତ କୁହନ୍ତି, ‘ଏହା ଏକ ଫାଇନାଇଟ ସିରିଜ। ଏଥିରେ ସବୁକିଛି ପୂର୍ବ ନିର୍ଦ୍ଦିଷ୍ଟ ଓ ପୂର୍ବ ନିର୍ଧାରିତ। ତଥାକଥିତ ସିରିୟଲ ପରି ଅଚାନକ କିଛି ବଦଳାଯାଇ ପାରିବନି। ସିନେମା ହେଉ କି ସିରିୟଲ, ନିର୍ମାତା ନିର୍ଦ୍ଦେଶକମାନେ ସବୁବେଳେ ପରୀକ୍ଷା ନିରୀକ୍ଷା ଜାରି ରଖିବା ଉଚ୍ଚିତ। ୟେ ସେମିତି ଏକ ବଡ ଏକ୍ସପେରିମେଣ୍ଟ। ଦର୍ଶକଙ୍କୁ ଆକୃଷ୍ଟ କରିବା ଓ ବ୍ୟାବସାୟିକ ସଫଳତା ଲାଗି ଏହା ନିତାନ୍ତ ଜରୁରୀ ଏବଂ ଏଥିରେ ଆମେ ସଫଳ ହେବୁ ବୋଲି ଆଶା। ଆଗାମୀ ଦିନରେ ଏହା ଦ୍ୱାରା ଅନୁପ୍ରାଣିତ ହୋଇ ଅନ୍ୟ ନିର୍ମାତା ନିର୍ଦ୍ଦେଶକମାନେ ନୂତନ ପରୀକ୍ଷା ନିରୀକ୍ଷା ସହ ଉଚ୍ଚ ମାନର ଧାରାବାହିକ ତଥା ଚଳଚ୍ଚିତ୍ର ନିର୍ମାଣ କରିବେ ଯାହା ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଇଣ୍ଡଷ୍ଟ୍ରିର ହୃତଗୌରବ ଫେରାଇ ଆଣିବାରେ ବିଶେଷ ଭାବରେ ସହାୟକ ହେବ।’

ଚଳଚ୍ଚିତ୍ର ଓ ଧାରାବାହିକ କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଅକ୍ଷୟ ପରିଜା ପ୍ରଡକ୍ସନ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ସେହି ଆଭିମୁଖ୍ୟକୁ ଅବ୍ୟାହତ ରଖି ଓଡ଼ିଶାର ନିୟମିତ ତଥା ନିର୍ଭରଯୋଗ୍ୟ ପ୍ରଯୋଜନା ସଂସ୍ଥା ଅକ୍ଷୟ ପରିଜା ପ୍ରଡକ୍ସନ ଓ ଜୀ-ସାର୍ଥକ ନୂଆ ବର୍ଷରେ ଭେଟି ଦେବାକୁ ଯାଉଛି ବ୍ୟୟବହୁଳ ମେଗା ଧାରାବାହିକ ‘କେମିତି କହିବି କହ’। ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା।