ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ

ଓଡ଼ିଶାମନୋରଞ୍ଜନ

ଏନ୍ଏନ୍ ବ୍ୟୁରୋ। ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ ‘କିଛି ମାଗୁନାହିଁ ତତେ’| ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ଏବଂ ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗମାନେ। କିଛି ଦିନ ତଳେ ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ ଭାଇରାଲ ହେଇଥିଲା। ଆଉ ଏବେ ଏହାର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି ଯାହାକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ ପସନ୍ଦ କରିବା ସାଙ୍ଗକୁ ଉତ୍ସ୍ୱସିତ ପ୍ରଶଂସା ମିଳିବାରେ ଲାଗିଛି।

ଓଡ଼ିଶାର ରାନୁ ମଣ୍ଡଳ ଭାବେ ପରିଚିତ ନମିତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ସୋସିଆଲ ମିଡ଼ିଆରେ ନମିତାଙ୍କ କଣ୍ଠସ୍ୱର ଶୁଣି ବେଶ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରଖିବାକୁ ଯାଇ ପ୍ରାଥମିକ ପର୍ଯ୍ୟାୟରେ ନମିତାଙ୍କ କଣ୍ଠରେ ଏହି ଭଜନଟି ରେକର୍ଡ କରାଯାଇଥିଲା ଏବଂ ଏହା ବେଶ ଲୋକପ୍ରିୟତା ହାସଲ କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଗୀତ ରଚନା କରିଥିଲେ ବରିଷ୍ଠ ଗୀତିକାର ବିଜୟ ମଲ୍ଲ। ଏହାର ଷ୍ଟଡିଓ ଭର୍ସନକୁ ଯେପରି ଆଶାତୀତ ଭଲପାଇବା ମିଳିଥିଲା ତାକୁ ନଜ଼ରରେ ରଖି ଓଡ଼ିବାବା ମ୍ୟୁଜିକ ଷ୍ଟଡିଓଜ ଏହାର ଏକ ନିଆରା ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି କଟକ ସ୍ଥିତ ଆଶ୍ରୟ ସ୍କୁଲର ଦୃଷ୍ଟିବାଧିତ ତଥା ଦିବ୍ୟାଙ୍ଗ କିଶୋର କିଶୋରୀ। ସେମାନେ ହେଲେ ସନ୍ଧ୍ୟାରାଣୀ, ଆଶା ବହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନୀ ରାଉଳ, ଦୀପା ସହାୟ ଓ ଭାସ୍କର ସହାୟ। ଏହି ଦିବ୍ୟାଙ୍ଗ କିଶୋର କିଶୋରୀଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ସାହୁ। କ୍ୟାମେରାରେ ଚନ୍ଦନ ଥିବାବେଳେ ସମ୍ପାଦନା କରିଛନ୍ତି ସରୋଜ ରାଉଳ। ପ୍ରସ୍ତୁତିରେ ବିଶେଷ ସହାୟତା କରିଛନ୍ତି କଟକ ସ୍ଥିତ ଆଶ୍ରୟ ସ୍କୁଲର ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଓ ସୁସ୍ମିତା ମ୍ୟାଡ଼ାମ। ଏହି ପ୍ରେରଣାଦାୟୀ ମ୍ୟୁଜିକ ଭିଡିଓଟି ନନ୍ଦିଘୋଷ ଟିଭିରେ ପ୍ରସାରିତ ହେବା ସହ ବର୍ଷାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

Leave a Reply