ସ୍କୁଲ ଟଙ୍କା ହଡ଼ପ ଘଟଣାରେ ଜେଲ ଗଲେ ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ମହଙ୍ଗା ପଡ଼ିଲା ସ୍କୁଲ ଟଙ୍କା ହଡ଼ପ। ୪୫ ଲକ୍ଷ ଟଙ୍କା ଆତ୍ମସାତ ଘଟଣାରେ ପାଟଣାଗଡ଼ ଲାୟନସ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟ ଜେଲ ଯାଇଛନ୍ତି। ଜେଲ ଯାଇଥିବା ଅଭିଯୁକ୍ତମାନେ ହେଲେ ମନୋଜ କୁମାର ନନ୍ଦ ଓ ମାନଭଞ୍ଜନ ଠାକୁର। ନିକଟରେ ଲାୟନସ ପବ୍ଲିକ ସ୍କୁଲର ପରିଚାଳନା କମିଟିର ନୂଆ ସଭାପତି କେଶବ ଛାବରିଆ ଓ ସମ୍ପାଦକ ସୁନୀଲ ଅଗ୍ରୱାଲ ହେବା ପରେ ସ୍କୁଲର ଟଙ୍କା ହଡ଼ପ ଗନ୍ଧ ବାରି ହୋଇଥିଲା। ଏବଂ ସେମାନଙ୍କ ନିର୍ଦ୍ଦେଶରେ ଗୁରୁବାର ସ୍କୁଲର ପ୍ରିନ୍ସିପାଲ ନାରାୟଣ ପ୍ରସାଦ ପଟ୍ଟନାୟକ ପୂର୍ବ ସଭାପତି ମନୋଜ ନନ୍ଦ ଓ ଆକାଉଣ୍ଟଟାଣ୍ଟ ମାନଭଞ୍ଜନ ଠାକୁରଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଘଟଣାର ଛାନଭିନ ପରେ ୪୫ ଲକ୍ଷ ଟଙ୍କା ଆତ୍ମସାତ କରିବା ଜଣା ପଡ଼ିବା ପରେ ପୋଲିସ ୪୦୯ ଦଫାରେ ଏକ ମାମଲା ରୁଜୁ କରିଥିଲା। ଏବଂ ଘଟଣାରେ ପୂର୍ବ ସଭାପତି ମନୋଜ ନନ୍ଦ ଓ ଆକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁରକୁ ଗିରଫ କରିଛି। ହେଲେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ସ୍କୁଲ ପରିଚାଳନା କମିଟିର ସଭାପତି ଥିଲେ ମନୋଜ କୁମାର ନନ୍ଦ। ସଭାପତି ଦାୟିତ୍ଵ ନେବା ଦିନ ଠାରୁ ତାଙ୍କ ଠାରେ ସବୁ ଟଙ୍କା ଜମା ହୋଇ ଆସୁଥିଲା। ଏପରିକି ୟୁପିଆଇ ମାଧ୍ୟମରେ ମଧ୍ୟ ମନୋଜ ନନ୍ଦଙ୍କ ଜମାଖାତାରେ ଟଙ୍କା ଜମା ହୋଇଥିବା ଜଣା ପଡିଛି। ସେହିପରି ଆକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁରଙ୍କ ପାଖରେ ମଧ୍ୟ ବିଦ୍ୟାଳୟର ଟଙ୍କା ଜମା ହୋଇ ଆସୁଥିଲା। ପ୍ରାୟ ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ ବି କେହି କିଛି ଜାଣି ପାରିନଥିଲେ। ହେଲେ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ବଦଳିବା ପରେ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଥିଲା। ଏନେଇ ପ୍ରିନ୍ସିପାଲ୍ ଥାନାରେ ଏତଲା ଦେବା ପରେ ପୂର୍ବତନ ସଭାପତି ମନୋଜ ନନ୍ଦ ଓ ଆକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁରକୁ ବାନ୍ଧି ଜେଲ ପଠାଇଛି ପୋଲିସ।

Leave a Reply