ଏନ୍ଏନ୍ ବ୍ୟୁରୋ। ବିଜେଡ଼ି ଦଳକୁ ଘାରିଛି ଏବେ ଦଳୀୟ କନ୍ଦଳ ଚିନ୍ତା। ବ୍ଲକସ୍ତରରେ ଦଳୀୟ କର୍ମୀ ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଥିବା ବେଳେ ଜିଲ୍ଲାସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖା ଦେଇଛି। ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଖପ୍ପା ଜିଲ୍ଲା ପରିଷଦ ସଭ୍ୟ। ମାନମାନି ଚରମ ସୀମାରେ ପହଞ୍ଚିବା ପରେ ଦେବକୀ ବିରୋଧରେ ମେଳି ବାନ୍ଧିଛନ୍ତି ଜିଲ୍ଲା ପରିଷଦ ସଭ୍ୟ। ଏବଂ ତାଙ୍କ ମନମୁଖୀ ଉପରେ ରୋକ୍ ଲଗାଇବା ପାଇଁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ହେଲେ ଏହାରି ପଛରେ ଜିଲ୍ଲାର ଜଣେ ବିଧାୟକଙ୍କ ହାତ ରହିଥିବା କୁହାଯାଉଛି।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ବଲାଙ୍ଗିର ପାଟଣାଗଡ଼ ରାସ୍ତାର ଏକ ନର୍ସରୀରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ବିରୋଧରେ ଜିଲ୍ଲା ପରିଷଦ ସଭ୍ୟମାନେ ମେଳି ବାନ୍ଧିଥିଲେ। ଏଥିରେ ବିଜେଡ଼ିର ୨୬ ଜଣଙ୍କ ମଧ୍ୟରୁ ୨୩ ଜିଲ୍ଲା ପରିଷଦ ସଭ୍ୟ ସାମିଲ ହୋଇଥିଲେ। ଏବଂ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ଏପରିକି ଦେବକୀ ସାହୁ ନିଜ ଜୋନକୁ ଅଗ୍ରାଧିକାର ଭିତ୍ତିରେ ପାଣ୍ଠି ଦେଇଥିବା ବେଳେ ଅନ୍ୟ ଜୋନ ପ୍ରତି ଅଣଦେଖା କରୁଛନ୍ତି। ନାମ ଗୋପନ ରଖି ଜଣେ ସଦସ୍ୟ କହିଛନ୍ତି ଯେ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଅଗୋଚରରେ କାମ କରୁଛନ୍ତି। ଗ୍ରାମାଞ୍ଚଳ ଅଞ୍ଚଳର ପ୍ରକଳ୍ପ ପାଇଁ ଯୋଜନା ରହିଥିଲେ ମଧ୍ୟ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କୁ ପଚାରୁ ନାହାନ୍ତି। ହେଲେ କୋଟି କୋଟି ଟଙ୍କାର ପ୍ରକଳ୍ପର କାରସାଦି ଜଣା ପଡ଼ିବା ପରେ ଅସନ୍ତୋଷ ହୋଇ ୨୩ ଜିଲ୍ଲା ପରିଷଦ ସଭ୍ୟ ଦେବକୀ ବିରୋଧରେ ମେଳି କରିଛନ୍ତି।
ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ବିରୋଧରେ ଜେଡପି ମେମ୍ବରଙ୍କ ମେଳି ପରେ ଜିଲ୍ଲା ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି। ଏନେଇ ଉପରିସ୍ଥ ପଦାଧିକାରୀ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ବି ଫେଲ ମାରିଥିବା ଜଣାପଡିଛି। ଏପରିକି ଆବଶ୍ୟକ ପଡିଲେ ଜିଲ୍ଲା ପରିଷଦ ସଭ୍ୟ ପଦରୁ ୨୩ ଜଣ ଯାକ ରିଜାଇନ ଦେବାକୁ ଚେତାବନୀ ଦେଇଥବା କୁହା ଯାଉଛି। କିନ୍ତୁ ଏହି ମେଳି ପଛରେ ଜଣେ ବିଧାୟକଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଚର୍ଚ୍ଚା ହେଉଛି। ବ୍ଲକ୍ ସ୍ତରର ନେତୃତ୍ଵ ନେଉଥିବା ସଂପୃକ୍ତ ବିଧାୟକ ଏବେ ଜିଲ୍ଲାସ୍ତର ରାଜନୀତିକୁ ଆସିବାକୁ ମନ ବଳାଇଲେଣି। ତେବେ ନିଜ ସ୍ବାର୍ଥ ସାଧନ ପାଇଁ ବିଜେଡ଼ି କନ୍ଦଳକୁ ପ୍ରୋତ୍ସାହିତ କରି ବିଧାୟକ ଜଣକ ଦଳକୁ ବିଭ୍ରାଟ କରିବାକୁ ଉଦ୍ୟମ କରୁଛନ୍ତି।
ସେପଟେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କୁ ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟ ନେତାଙ୍କ ଦ୍ଵାରା ପରିଚାଳିତ ହେଉଥିବା ଜିଲ୍ଲା ପରିଷଦ ସଭାପତିଙ୍କ ମନମାନି ଏବେ ମହଙ୍ଗା ପଡିପାରେ। ଏଥିରୁ ସ୍ପଷ୍ଟ ଯେ, ବଲାଙ୍ଗିର ଜିଲ୍ଲାରେ ବିଜେଡ଼ି ଦଳ ଆଉ ଆଗ ଭଳି ଠିକଠାକ୍ ଚାଲୁନି। ଶୃଙ୍ଖଳିତ ଦଳ ଏବେ ବିଶୃଙ୍ଖଳିତ ଆଡ଼କୁ ଗତି କରୁଛି। ଏଥିପାଇଁ ଦଳୀୟ ନେତୃବୃନ୍ଦ ନିଶ୍ଚିତ ଭାବରେ ଦାୟୀ। କାରଣ ଦଳର ଯେତିକି ଲୋକପ୍ରିୟତା ବଢୁଛି ଜିଲ୍ଲାରେ ସେତିକି ବଢୁଛି ଦଳୀୟ କନ୍ଦଳ। ହେଲେ ଜିଲ୍ଲା ପରିଷଦ ସଭାପତିଙ୍କ ବିରୋଧରେ ମେଳି କରାଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବିଧାୟକ ଜଣକ। ଦେଖାଯାଉ ଜିଲ୍ଲା ପରିଷଦ ସଭ୍ୟଙ୍କ ଏହି ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ କି ପ୍ରକାର ରୂପ ନେଉଛି।
