୬ ଜଣଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ଅପରାଧବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଚାଞ୍ଚଲ୍ୟ। ଗୋଟିଏ ପରିବାର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ବାମୀସ୍ତ୍ରୀ ସହ ତାଙ୍କ ୪ ପୁଅଝିଅକୁ ହତ୍ୟା କରିଛନ୍ତି ହତ୍ୟାକାରୀ। ସହରର ସଅଁରାପଡାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ୬ଟି ମୃତଦେହ ଗୋଟିଏ ଘରେ ପଡ଼ିଥିବା ସହ ସବୁ ମୃତ ଶରୀର ଉପରେ କମ୍ବଳ ଘୋଡ଼ା ଯାଇଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି। ମୃତକମାନେ ହେଲେ ସ୍ବାମୀ ସ୍ତ୍ରୀ ବୁଲୁ ଜାନୀ (୫୦), ଜ୍ୟୋତି ଜାନୀ(୪୮) ଏବଂ ଦୁଇ ଝିଅ ସରିତା (୧୨), ଶ୍ରୀୟା (୩) ଓ ଦୁଇ ପୁଅ ଭୀଷ୍ମ (୫), ସଂଜୀବ (୨) ବର୍ଷର ପିଲାଙ୍କୁ ହତ୍ୟା କରି ଗୋଟିଏ ପରିବାର ଛାରଖାର ହୋଇ ଯାଇଛି।


ସବୁଦିନ କାମ ଧନ୍ଦା କରି ଯାଉଥିବା ବୁଲୁ ବୁଧବାର ଘରୁ ବାହାରି ନଥିଲେ। ଦିନ ୧୧ଟା ସମୟରେ ତାଙ୍କ ଘରକୁ ଯାଇ ଦେଖିଲା ବେଳକୁ ପଡୋଶୀଙ୍କ ହୋସ ଉଡି ଯାଇଥିଲା। ଆଉଜା ହୋଇଥିବା କବାଟ ଖୋଲି ଦେଖିବାରୁ ୬ ଜଣ ଯାକ କମ୍ବଳ ଘୋଡାଇ ହୋଇ ପଡିଥିବା ଦେଖି ଥିଲେ। ଏହାକୁ ନେଇ ତାଙ୍କ ମନରେ ଆଶଙ୍କା ଦେଖାଦେବାରୁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଟଣାଗଡ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ମାଜିଷ୍ଟ୍ରେଟ ଭାବେ ପାଟଣାଗଡ ତହସିଲଦାର ଡ. ପୁଷ୍ପାଞ୍ଜଳୀ ପଣ୍ଡା ଘଟଣାସ୍ଥଳରେ ପହଂଚି ଛାନଭିନ କରିଥିଲେ।

ପରେ ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ବଲାଙ୍ଗିର ଏସ.ପି. ମଡକର ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ପାରିପାଶ୍ୱିକ ସ୍ଥିତି ଦେଖିବା ପରେ ଏହା ସୁପରିକଳ୍ପିତ ହତ୍ୟା ବୋଲି କହିଥିଲେ ଏସ.ପି। ତେବେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସେ ଜଣାଇଥିଲେ। ଘଟଣାସ୍ଥଳରୁ ଏକ ଟାଙ୍ଗି, ଗଇଁତି ଜବତ କରାଯାଇଛି। ଏ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ସୂଚନା ଦେଇଛନ୍ତି ଏସ.ପି। ଅନ୍ୟପଟେ ପାଟଣାଗଡ ଥାନା କେଶ ନଂ ୨୪୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


ସେପଟେ ପଡୋଶୀଙ୍କ କହିବା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ତାଙ୍କ ଘରେ ପାଟି ତୁଣ୍ଡ ଶୁଭିଥିଲା। ଏହା ପରେ ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଏପରିକି ୬
ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସମସ୍ତଙ୍କ ଦେହ ଉପରେ କମ୍ବଳ ଘୋଡାଇ ଫେରାର ହୋଇ ଯାଇଛନ୍ତି ହତ୍ୟାକାରୀ। ଏଯାଏଁ ହତ୍ୟା ଘଟଣାର କାରଣ ଜଣା ପଡିନଥିବା ବେଳେ ପୋଲିସ ମଧ୍ୟ ହତ୍ୟାକାରୀର ସୁରାକ ପାଇ ପାରିନି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଦେଖାଯାଉ କେବେ ଏହି ହତ୍ୟା ଘଟଣାର ପର୍ଦ୍ଧାଫାଶ କରୁଛି ପୋଲିସ।