ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ଚିକିତ୍ସାର ଘୋର ଅଭାବ। ଗୋଟିଏ ଦିନରେ ଚାଲିଗଲା ଦୁଇଟି ଅମୁଲ୍ୟ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସବ୍ଡିଭିଜନରେ। ତାହା ପୁଣି ଖୋଦ୍ ମହିଳା ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ।
ସୂଚନା ଅନୁସାରେ ଟିଟିଲାଗଡ଼ ଥାନା ବାହ୍ମଣୀପଦର ଗାଁର କୁଂତ ସୁନା(୫୦)(ଛଦ୍ମନାମ) ଓ ତାଙ୍କ ସ୍ତ୍ରୀ ବାସନ୍ତୀ (୩୮) (ଛଦ୍ମନାମ) ଉଭୟ ଏଚ ଆଇ ଭି/ ଏଡ୍ସରେ ଆକ୍ରାନ୍ତ ଥିଲେ। ଦୀର୍ଘ ଚାରିମାସ ହେଲା ଘରେ ଶଯ୍ୟାଶାୟୀ ଅବସ୍ଥାରେ ରହିଥିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ବୁଧବାର ସକାଳ ପ୍ରାୟ ୧୦ଟା ବେଳେ କୁନ୍ତଙ୍କର ମୃତ୍ୟୁ ଘଟିଲା। ଏବଂ ଏହାର ୫ ଘଣ୍ଟା ପରେ ଅପରାହ୍ନ ୩ଟା ବେଳେ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମୃତ୍ୟୁ ଘଟିଲା।
ଉଭୟେ ଗୁଜୁରାଟକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ। ହେଲେ କରୋନା ଯୋଗୁଁ ଗତ ଚାରି ମାସ ତଳେ ନିଜ ଗାଁକୁ ଫେରି ଆସିଥିଲେ। ଉଭୟେ ଏଚ,ଆଇ,ବି ଆକ୍ରାନ୍ତ ଥିଲେ ମଧ୍ୟ ଏ ଆର ଟି ଔଷଧ ସେବନ କରିବାକୁ ପାଇ ନ ଥିଲେ। ତାଙ୍କୁ ବଲାଙ୍ଗିର ଜିଲ୍ଲା ଏ ଆର ଟି କେନ୍ଦ୍ର ଯିବାକୁ କୁହାଯାଇଥିଲା। କିନ୍ତୁ ବସ, ଟ୍ରେନର ସୁବିଧା ନ ଥିବାରୁ ସେଠାକୁ ଯାଇପାରି ନ ଥିଲେ। ଫଳରେ ନିରୁପାୟ ହୋଇ ଗାଁରେ ଜଣେ କ୍ବାକ ଓ ଗୁଣିଆକୁ ଦେଖାଇ ଥିଲେ।
ଠିକ୍ ଚିକିତ୍ସା ସୁବିଧା ନ ମିଳିବାରୁ ଧୀରେ, ଧୀରେ ଅଧିକ ଗୁରୁତର ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଥିଲେ। ଶେଷରେ ବୁଧବାର କୁନ୍ତଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବି ତାଙ୍କୁ କେହି ସହାୟ ହୋଇନଥିଲେ। ଗାଁ ଲୋକେ ସଂସ୍କାର ପାଇଁ ଯିବାକୁ ଅମଙ୍ଗ ହୋଇଥିଲେ। ଏହା ଦେଖି ଆହୁରି ଭାଙ୍ଗି ପଡ଼ିଥିଲେ ବାସନ୍ତୀ। କାନ୍ଦି,କାନ୍ଦି ଅପରାହ୍ନ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବାସନ୍ତୀ। କୁନ୍ତଙ୍କ ବୃଦ୍ଧା ମାଆ ଗାଁ ଲୋକଙ୍କୁ ଗୁହାରୀ କରିବା ସତ୍ୱେ କେହି ଶୁଣି ନ ଥିଲେ।
କୌଣସି ହିସାବରେ ଖବର ପାଇ ସନ୍ଧ୍ୟା ୬ଟା ବେଳେ ଟିଟିଲାଗଡ଼ରୁ କିଛି ସ୍ବେଚ୍ଛାସେବୀ ସେ ଗାଁକୁ ଯାଇଥିଲେ। ଏବଂ ଗାଁର କିଛି ଯୁବକଙ୍କ ସହଯୋଗରେ ଶବ ସତ୍କାର କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି,ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନାର କାର୍ଯ୍ୟକାରିତାକୁ ନେଇ। କାରଣ ଉପଯୁକ୍ତ ଚିକିତ୍ସା ଅଭାବରୁ ଦୁଇ ଜଣ ଏଡ୍ସ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ଏଚଆଇଭି / ଏଡ୍ସ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ କାଗଜ କଲମରେ ଚାଲିଛି।
