ଭୁବନେଶ୍ୱର, ଏନ୍ଏନ୍ ବ୍ୟୁରୋ I ଚଳିତ ଖରିଫ ଋତୁରେ ରାଜ୍ୟରେ ଚାଲିଥିବା ଧାନ କିଣା ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି I ଏବେ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ସମେତ ୧୮ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି I ଏ ସବୁ ଜିଲ୍ଲାରେ ୧୫୯୧ଟି ମଣ୍ଡିରେ ଧାନ କିଣା ଜାରି ରହିଛି । ତେବେ ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ଆରମ୍ଭ କରାଯିବ I ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି I ଏହା ବ୍ୟତୀତ ପଞ୍ଜୀକୃତ ଚାଷୀଙ୍କୁ ଆଗୁଆ ସୂଚନା ସହ ଟୋକନ ପ୍ରଦାନ କରାଯାଉଛି I
ତେବେ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ଧାନ କିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି I ବାହାର ରାଜ୍ୟର ଧାନ ଗାଡି ଏବଂ ଧାନ କିଣା ସମୟରେ ଆବଶ୍ୟକତା ଠାରୁ ଅଧିକ ଧାନ ରଖୁଥିବା ବ୍ୟବସାୟୀଙ୍କ ଉପରେ କଡା ନଜର ରଖାଯାଇଛି I ଏଥିପାଇଁ ଏସବୁ ଜିଲ୍ଲାରେ ୧୯୦ ଜଣ ଇନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି I ଏପରିକି ଘଟଣା ଜଣାପଡିବା ପରେ ତ୍ୱରିତ ପଦକ୍ଷେପ ନିଆଯାଉଛି I ଏଥିଲାଗି ସମ୍ପୃକ୍ତ ଅଧିକାରୀମାନେ ଦିନରାତି ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି l ହେଲେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନପୁଟ ସହାୟତା ପ୍ରଦାନ କରାଯାଉଛି I ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଛି I ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି I
