ବେଳଗାଁ ନ୍ୟୁଉ ଢାବାରେ ବେଆଇନ କୋଇଲା ଚୋରା ଚାଲାଣ, ଜଣେ ଅଟକ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ଢାବାରେ ବେଆଇନ କୋଇଲା ଚୋରା ଚାଲାଣ I ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ଜଣା ପଡିଛି I ବଲାଙ୍ଗିର ଜିଲ୍ଲା ବେଳଗାଁ ଫାଣ୍ଡି ଅନ୍ତର୍ଗତ 26 ନମ୍ବର ଜାତୀୟ ରାଜପଥ କଡରେ ଥିବା ନ୍ୟୁଉ ଢ଼ାବାରେ ବେଆଇନ କୋଇଲା ଚୋରା ଚାଲାଣ ଅଭିଯୋଗ ନେଇ ପୋଲିସ ଚଡ଼ାଉ କରିଛି I ହେଲେ ଚଡାଉ ସମୟରେ କୋଇଲା ଚୋରାରେ ବିକ୍ରି କରୁଥିବା ଟ୍ରକ ଫେରାର ମାରିଥିବା ଜଣାପଡିଛି I ଘଟଣା ଅନୁସାରେ କଳାହାଣ୍ଡି, ବଲାଙ୍ଗିର ଜିଲ୍ଲା ସୀମାନ୍ତ 26 ନମ୍ବର ଜାତୀୟ ରାଜପଥ କଡ଼ରେ ନିର୍ମଳ ଜୈନଙ୍କ ନ୍ୟୁଉ ଢ଼ାବା ରହିଛି I ଗତ କିଛି ଦିନ ହେବ ରାୟପୁରର ସଞ୍ଜୟ ବାଗୱାନି ଉକ୍ତ ଢ଼ାବାରେ ବିଶାଖାପାଟଣାରୁ ଝାରସୁଗୁଡାକୁ ଯାଉଥିବା କୋଇଲା ଟ୍ରକର ଡ୍ରାଇଭରମାନଙ୍କୁ ହାତ କରି କୋଇଲା କିଣି ରଖୁଥିଲେ I ମଙ୍ଗଳବାର ପୂର୍ବାହ୍ନରେ ସଞ୍ଜୟ ନ୍ୟୁଉ ଢାବାଠାରେ ରାୟପୁର ଅଞ୍ଚଳର ଏକ ଟ୍ରକ କୋଇଲା ବିକ୍ରି କରୁଥିବା ବେଳେ ଟ୍ରକ ମାଲିକ ସାଗର ଶର୍ମା ପହଁଚିଥିଲେ I ଏହାକୁ ନେଇ ଚୋରା ଚାଲାଣକାରୀ ଓ ଟ୍ରକ ମାଲିକ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା I ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଟ୍ରକକୁ ନେଇ ଡ୍ରାଇଭର ଫେରାର ମାରିଥିଲା I ହେଲେ କୋଇଲା ଚୋରା ଚାଲାଣ କରୁଥିବା ସଞ୍ଜୟ ବାଗୱାନିଙ୍କୁ ବେଳଗାଁ ଫାଣ୍ଡିରେ ଅଟକ ରଖି ପରାଉଚରା କରୁଛି ପୋଲିସ I

ଅନ୍ୟପଟେ ନ୍ୟୁଉ ଢ଼ାବାର ମାଲିକ ନିର୍ମଳ ଜୈନ କୋଇଲା କାରବାରରେ କୋଣସି ସମ୍ପୃକ୍ତ ନ ଥିବା କହିଛନ୍ତି I ତେବେ ବେଳଗାଁ ଫାଣ୍ଡି ସୀମାନ୍ତ ଅଞ୍ଚଳରେ ରହିଥିବା ବେଳେ ଫାଣ୍ଡିରେ କୋଣସି ଆଧିକାରୀ ନାହାନ୍ତି I ଯେଉଁଥି ପାଇଁ ବେଳଗାଁ ଅଞ୍ଚଳରେ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି I ଏନେଇ ସଇଁତଳା ଥାନା ଅଧିକାରୀ ଅବନୀ ସାହୁଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏସଡିପିଓଙ୍କ ପ୍ରତିକ୍ରିୟା ନେବାକୁ କହିଥିଲେ I ସେପଟେ ଘଟଣା ନେଇ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ଯ ପ୍ରତିକ୍ରିୟା ମିଳି ପାରିନାହିଁ I

Leave a Reply