ଛେଳି ଦେଖି ଚିହିଁକି ଉଠିଲେ ଅଧ୍ୟକ୍ଷ: ସମିତି ସଭ୍ୟଙ୍କୁ ଗେଟ ଆଉଟ କହି ପରେ କୋଳାଇଲେ

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ପଞ୍ଚାୟତ ସମିତି ବୈଠକରେ ଛେଳି ଦେଖି ଚିହିଁକି ଉଠିଲେ ଅଧ୍ୟକ୍ଷ।ରାଗରେ ଗରଗର ହୋଇ ସମିତି ସଭ୍ୟଙ୍କୁ ଗେଟ୍ ଆଉଟ୍ କହିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ। ଏପରିକି ବିଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଅସମର୍ଥ ଅଧ୍ୟକ୍ଷ ପୋଲିସର ସହାୟତା ଲୋଡ଼ିଥିଲେ। ସେପଟେ ବ୍ଲକ ଅଧ୍ୟକ୍ଷଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଥିଲେ ସମିତି ସଭ୍ୟ। ଜଣେ ସମିତି ସଭ୍ୟଙ୍କୁ ଅଧ୍ୟକ୍ଷ ଗେଟ୍ ଆଉଟ୍ କହିବା ଠିକ୍ ନୁହଁ ବୋଲି କହିଥିଲେ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର। ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ସହ ବୈଠକକୁ ପୋଲିସ ପ୍ରବେଶ ଯାଏ କଥା ଯାଇଥିଲା। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ବୈଠକରେ।

ଘଟଣା ଅନୁସାରେ, ଗତକାଲି ଦେଓଗାଁ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ବୈଠକ ବସିଥିଲା। କିନ୍ତୁ ପଞ୍ଚାୟତ ସମିତି ଇତିହାସରେ କେବେ ଘଟିନଥିବା ଘଟଣା ଏହି ବୈଠକରେ ଘଟିଥିଲା। ଠିକା କାମକୁ ନେଇ ସରପଞ୍ଚ, ସମିତି ସଭ୍ୟଙ୍କ ମଧ୍ୟରେ ଟଣାଓଟରା ତ ଲାଗିଲା। ପରେ ଯାହା ଘଟିଲା ତାହା ଦେଖି ବ୍ଲକ ଅଧ୍ୟକ୍ଷଙ୍କ ରାଗ ପଞ୍ଚମ।

ଗାଈ ଓ ଛେଳି ଗୁହାଳ ବିଲ ନେଇ ହାତୀସରା ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ର ବୈଠକକୁ ଏକ ଛେଳି ଆଣିଥିଲେ। ବର୍ଷ ବର୍ଷ ହେଲା ବ୍ଲକର ୮ ଶହରୁ ଅଧିକ ହିତାଧିକାରୀଙ୍କ ଗୁହାଳ ବିଲ ବାକି ପଡ଼ିଛି। ଏନେଇ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ। ତେଣୁ ସମିତି ବୈଠକରେ ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଥିଲେ ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ର। ସାଥିରେ ଏକ ଛେଳି ଆଣି ବୈଠକରେ ଗୁହାଳ ବିଲ ପାସ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବୈଠକରେ ଛେଳି ଦେଖି ବିଗିଡିବା ସହ ରାଗରେ ଗରଗର ହୋଇଯାଇଥିଲେ ଅଧ୍ୟକ୍ଷ ଦୟାନିଧି ଖମାରୀ। ଏବଂ ସଂପୃକ୍ତ ସମିତି ସଭ୍ୟଙ୍କୁ ଗେଟ୍ ଆଉଟ୍ କହିଥିଲେ ବ୍ଲକ ଅଧ୍ୟକ୍ଷ। ଏହାକୁ ନେଇ ବୈଠକରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏତେ ହୋହାଲ୍ଲା ହେଲା ଯେ, ବ୍ଲକ ଅଧ୍ୟକ୍ଷ ସଦସ୍ୟଙ୍କୁ ମନାଇବାରେ ଅସମର୍ଥ ହୋଇ ପଡିବା ସହ ପୋଲିସର ସହାୟତା ଲୋଡ଼ିଥିଲେ।

ତେବେ ସମିତି ବୈଠକକୁ ପୋଲିସ ପ୍ରବେଶ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସମିତି ସଭ୍ୟ। ଅଧ୍ୟକ୍ଷଙ୍କ ଏଭଳି ଆଚରଣକୁ ନାପସନ୍ଦ କରିବା ସହ ନିର୍ବାଚିତ ପ୍ରତିନିଧିମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏପରିକି ବିଡ଼ିଓ ସୁରେନ୍ଦ୍ର ମେହେର, ତହସିଲଦାର ଯୁଗଳ କିଶୋର ବିଶ୍ୱାଳଙ୍କ ଉପସ୍ଥିତିରେ ଏସବୁ ଘଟିଥିଲା। ଶେଷରେ ନିରୁପାୟ ଅଧ୍ୟକ୍ଷ ଦୟାନିଧି ଖମାରୀ ସଂପୃକ୍ତ ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ରଙ୍କୁ କୋଳାଇ ନେଇଥିଲେ। ପ୍ରଥମେ ରାଗରେ ପଞ୍ଚମ ହୋଇଥିବା ଅଧ୍ୟକ୍ଷ ପରେ ନରମି ଯାଇଥିଲେ। କାରଣ ଅଧ୍ୟକ୍ଷଙ୍କ ସମର୍ଥନରେ ମାତ୍ର ଚାରି ଜଣ ସମିତି ସଭ୍ୟ ରହିଛନ୍ତି। ଗାଦି ଭୟରେ ଅଧ୍ୟକ୍ଷ, ସମିତି ସଭ୍ୟଙ୍କୁ କୋଲାଇଥିବା ନେଇ ଜିଲ୍ଲାରେ ଜୋରସୋର ଚର୍ଚ୍ଚା।

Leave a Reply