ବାଏପାସ ଶିଳାନ୍ୟାସକୁ 22 ବର୍ଷ, 25ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତ !

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ I ବହୁ ପ୍ରତିକ୍ଷିତ ବଲାଙ୍ଗିର ବାଏପାସ ପାଇଁ ଶିଳାନ୍ୟାସ I ଦୀର୍ଘ 22 ବର୍ଷ ପରେ ଏହାର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ ହୋଇଛି I 430 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବାଏପାସର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀ I ତେବେ ଆସନ୍ତା 2025ରେ ଏହା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି I ସୂଚନା ଅନୁସାରେ ବଲାଙ୍ଗିର 26 ନମ୍ବର ଜାତୀୟ ରାଜପଥ ପାଇଁ ଏହି ବାଏପାସ ନିର୍ମାଣ ହେଉଛି। ଏପରିକି ଗତ ଏପ୍ରିଲ 26 ତାରିଖରେ କଣ୍ଟ୍ରାକ୍ଟରକୁ କାର୍ଯ୍ୟାଦେଶ ଦିଆଯାଇଛି। ମୋଟ 11 କିମି 67 ମିଟର ରାସ୍ତା ଆସନ୍ତା ଅକ୍ଟୋବର 2025ରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ଯ ଧାର୍ଯ୍ୟ ହୋଇଛି। ଦୁଇ ଲେନ ବିଶିଷ୍ଟ ଏହି ବାଏପାସରେ 4ଟି ବ୍ରିଜ, 2ଟି ଫ୍ଲାୟଓଭର, ଯାନ ବାହାନ ପାସ 7ଟି, ଛୋଟ ବ୍ରିଜ 4ଟି, କଲଭର୍ଟ 23ଟି ଓ ଜଙ୍କସନ 11ଟି ନିର୍ମାଣ ହେବ।

ବଲାଙ୍ଗିର ସହର ଦେଇ ଖୋର୍ଦ୍ଧା ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥ ଓ ବରଗଡ଼ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ଦୁଇ ଜାତୀୟ ରାଜପଥ ଯୋଗୁଁ ବଲାଙ୍ଗିରରେ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହିବା ସହ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ଏଥିପାଇଁ ବଲାଙ୍ଗିରବାସୀ ଦୁଇ ଦଶନ୍ଧି ହେଲା ଦାବି କରି ଆସୁଛନ୍ତି। ଅନେକ ଆନ୍ଦୋଳନ ଓ ବନ୍ଦ ଡାକରା ପରେ କେନ୍ଦ୍ର ସରକାର ଦାବି ଶୁଣିବା ସହ ବାଏପାସ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏବଂ ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି। ବିଜାଖମନଠାରେ ଅୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଭର୍ଚୁଆଲ ମୋଡରେ ସାମିଲ ହୋଇ ବଲାଙ୍ଗିର ବାଏପାସ ରାସ୍ତାର ଶିଳାନ୍ୟାସ କରିଥିଲେ I ସେହିପରି ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ସଂଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ ଏବଂ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶିଳାନ୍ୟାସ କରିବା ପରେସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏବଂ ଏହା ଆସନ୍ତା ଅକ୍ଟୋବର 2025 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ନୀତିନ୍। ଏହାଦ୍ୱାରା ବରଗଡ଼, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଗତି ମିଳିବ ଓ ବିକାଶରେ ସାହାଯ୍ୟ ହେବ ବୋଲି ସେ କହିଛନ୍ତି। ତେବେ ଓଡ଼ିଶାରେ ବିଗତ ନଅ ବର୍ଷ ମଧ୍ୟରେ ବ୍ୟାପକ ଜାତୀୟ ରାଜପଥ ଉନ୍ନତି କାମ ହୋଇଥିବା କହିଛନ୍ତି। 5 ହଜାର 7 ଶହ 53 କିମି ଜାତୀୟ ରାଜପଥ ଉନ୍ନତିକରଣ ହୋଇଛି। ଓଡ଼ିଶାରେ 372 କିମି ସିକ୍ସ ଲେନ ରାସ୍ତା, 1545 କିମି ଫୋର ଲେନ ରାସ୍ତା ଓ 2066 କିମି ଟୁ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହୋଇଛି। ହେଲେ 2024 ସୁଦ୍ଧା ଆଉ 588 କିମି ରାସ୍ତା ଏଥିରେ ଯୋଡି ହେବ ବୋଲି ସେ କହିଛନ୍ତି। 25 ହଜାର କୋଟି ଟଙ୍କା ବ୍ୟୟରେ ରାୟପୁର ବଲାଙ୍ଗିର ବିଶାଖାପାଟଣା ଜାତୀୟ ରାଜପଥ କାମ ଚାଲିଛି। ଏଥିସହ 25 ହଜାର କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଦେଓଗଡ଼ ଅନୁଗୁଳ ଓ କୋଲକାତା ଖଡ଼ଗପୁର ଜାତୀୟ ରାଜପଥ କାମ ଚାଲିଛି I ଯଦ୍ୱାରା ପଶ୍ଚିମ ଓଡ଼ିଶା ସିଧାସଳଖ କୋଲକାତା ସହ ଯୋଡି ହେବ। କେବଳ ଏତିକି ନୁହେଁ, ଭଦ୍ରକ ବାଲେଶ୍ୱର ଜାତୀୟ ରାଜପଥ, କଟକ ଅନୁଗୁଳ ସମ୍ବଲପୁର ଜାତୀୟ ରାଜପଥ , ବିରମିତ୍ରପୁର ରାଜନଲା ଜାତୀୟ ରାଜପଥ ଓ ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥର ମଧ୍ୟ ବିକାଶ କାମ ଚାଲିଛି।

ସେପଟେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ବାଏପାସ ନିର୍ମାଣ ପାଇଁ ସେ କେନ୍ଦ୍ରକୁ ଅନେକ ଥର ଚିଠି ଲେଖିଛନ୍ତି I ବିଳମ୍ବରେ ହେଲେ ବି ଏବେ ପଦକ୍ଷେପ ନେଇଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି I ହେଲେ ଏହାକୁ ନେଇ କୌଣସି ରାଜନୀତି ନ କରି କାମ ଶୀଘ୍ର ହେଉ ବୋଲି କହିଛନ୍ତି ନରସିଂହ ମିଶ୍ର। ଏପରିକି ଶିଳାନ୍ୟାସ ପାଇଁ ଯେମିତି 22 ବର୍ଷ ଲାଗିଲା ସେହିପରି କାମ କଚ୍ଛପ ଗତିରେ ନ ହେଉ ବୋଲି ସେ କହିଛନ୍ତି। ଏବଂ ନିର୍ମାଣ କାମ ଉନ୍ନତମାନର ହେଉ ବୋଲି ସେ କହିଛନ୍ତି। ଏହାବ୍ୟତୀତ ପଟଣାଗଡ ପଦ୍ମପୁର କିମ୍ବା ପଟଣାଗଡ କଣ୍ଟାବାଞ୍ଜି ରାସ୍ତାକୁ ଜାତୀୟ ରାଜପଥରେ ସାମିଲ କରାଯାଉ ବୋଲି ସେ ଦାବି କହିଛନ୍ତି। ସେହିପରି ବରପାଲି ବଲାଙ୍ଗିର ଫୋର ଲେନ ରାସ୍ତା ନିର୍ମାଣ ପାଇଁ ମଧ୍ଯ ସେ ଦାବି କରିଛନ୍ତି। ଏବଂ ଦେଶର ଅନ୍ୟଠାରେ ବିକାଶ ସାଙ୍ଗକୁ ବଲାଙ୍ଗିରର ବିକାଶ ଦାବି କରିଛନ୍ତି। ଅନ୍ୟପଟେ ସାଂସଦ ସଂଗୀତା ସିଂହଦେଓ କେନ୍ଦ୍ରର ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ବିଳମ୍ବ କାରଣ ନେଇ ସେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି I ଏବଂ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ପୁଣି ଏହାର କାମକୁ ତ୍ଵରାନ୍ବିତ କରିଥିବା ସେ କହିଛନ୍ତି। ଦେଖାଯାଉ ବାଏପାସ ନିର୍ମାଣ କାର୍ଯ୍ୟ 2025ରେ ସରୁଛି ନା ଆହୁରି କେତେ ବର୍ଷ ଲାଗୁଛି I

Leave a Reply