ସଇଁତଳାରେ ଚାଞ୍ଚଲ୍ୟ, ପରକିୟା ସନ୍ଦେହରେ ସ୍ତ୍ରୀକୁ ହାଣିଲା ସ୍ଵାମୀ !

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ସ୍ଵାମୀର ଅମାନୁଷିକ କାଣ୍ଡ I ବିଲରେ କାମ କରୁଥିବା ବେଳେ ସ୍ତ୍ରୀକୁ ରଫାରେ ହାଣିଲା ସ୍ଵାମୀ I ବଲାଙ୍ଗିର ଜିଲ୍ଲା ଟିକରାପଡ଼ା ଫାଣ୍ଡି ଝରବାହାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା I ମୃତକ ଜଣକ ହେଲେ ବବି କଅର I ଘଟଣାରେ ଅଭିଯୁକ୍ତ ସ୍ଵାମୀ ଲମ୍ବୋଦର ନାଏକକୁ ଅଟକ ରଖିଛି ପୋଲିସ I

ଅଭିଯୋଗ ଅନୁସାରେ ଆଜି କପା କିଆରୀରେ କାମ କରୁଥିବା ବେଳେ ସ୍ଵାମୀ ଲମ୍ବୋଦର ନାଏକ ହଠାତ୍ ଉତ୍ୟକ୍ତ ହୋଇ ପଡିଥିଲେ I ଏବଂ ସ୍ତ୍ରୀ ବବିର ମୁଣ୍ଡ ପଛ ପଟେ ଏକ ରଫାରେ ମରଣାନ୍ତକ ଆକ୍ରମଣ କରିଥିଲେ I ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ହେଲେ ସେଠାରେ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ I ଘଟଣାରେ ଅଭିଯୁକ୍ତ ସ୍ଵାମୀ ଲମ୍ବୋଦରକୁ ଥାନାରେ ଅଟକ ରଖା ଯାଇଛି I ଅନ୍ୟପଟେ ଟିଟିଲାଗଡ଼ ଏସଡିପିଓ, ସଇଁତଳା ଥାନା ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି I

ସୂଚନାଯୋଗ୍ୟ ଯେ, ଗତ 8 ବର୍ଷ ତଳେ ଲମ୍ବୋଦର ଭଲ ପାଇ ବବିକୁ ବିବାହ କରିଥିଲା I ହେଲେ ସ୍ତ୍ରୀକୁ ସବୁବେଳେ ଲମ୍ବୋଦର ସନ୍ଦେହ କରୁଥିବା ମୃତ ବବିଙ୍କ ସମ୍ପର୍କୀୟ ଲୋକେ କହିଛନ୍ତି I ଏବଂ ଆଜି କପା କିଆରୀରେ ସ୍ତ୍ରୀ ବବିକୁ ହତ୍ୟା କରିଛି ଲମ୍ବୋଦର I ପରକିୟା ସନ୍ଦେହରେ ଏଭଳି କାଣ୍ଡ ଭିଆଇଛି ଲମ୍ବୋଦର I ମୃତ ବବିର ୬ ବର୍ଷର ଓ ଅଢେଇ ବର୍ଷର ୨ଟି ପୁଅ ଅଛନ୍ତି I ଏନେଇ ପୋଲିସ ଏକ ମାମଲା ରୁଜୁ କରି ଲମ୍ବୋଦରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି I

Leave a Reply