ଏନ୍ଏନ୍ ବ୍ୟୁରୋ I ବଜ୍ରପାତରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର I ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଛି ଏଭଳି ଦୁଃଖଦ ଘଟଣା I ମୃତ ଶ୍ରମିକ ଜଣକ ହେଉଛନ୍ତି ଛତିଶଗଡ଼ ସାରଙ୍ଗଗଡ଼ ଜିଲ୍ଲାର ବିକୁ ନାଏକ I ସୂଚନା ଅନୁସାରେ, ତିନି ମାସ ହେବ ବିକୁ ନାଏକ ତାଙ୍କ ବାପାଙ୍କ ସହ ପାଟଣାଗଡ ଥାନା ଚିଟକାମାଲରେ ଥିବା କ୍ରସରରେ କାମ କରୁଥିଲେ I ହେଲେ ମଙ୍ଗଳବାର ସନ୍ଧ୍ୟାରେ କ୍ରସରରେ ବସିଥିବା ବେଳେ ବଜ୍ରପାତରେ ବିକୁ ଗୁରୁତର ହୋଇଥିଲେ I ତାଙ୍କୁ ସଙ୍ଗେ ସଙ୍ଗେ ପାଟଣାଗଡ ଡାକ୍ତରଖାନାକୁ ଅଣାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏହାପରେ ମୃତ ବିକୁର ବାପା ପୋଷ୍ଟ ମର୍ଟମ କରିବା ପାଇଁ ମନା କରିଥିଲେ I ପୋଲିସ ଓ ତହସିଲଦାର ବୁଝାଇବା ପରେ ବି ନବୁଝିବାରୁ ବାଧ୍ୟ ହୋଇ ଶବ ଛାଡ଼ିଥିଲେ I
ସେହିପରି ଖପ୍ରାଖୋଲ ବର୍ତିଆରେ ବଜ୍ରାଘାତରେ ଜଣେ ମହିଳା ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି I କପା କିଆରୀରେ କାମ କରୁଥିବା ବେଳେ ବିଜୁଳି ମାରିବାରୁ ମହିଳା ଶ୍ରମିକ ଗୁରୁତର ହୋଇଥିଲେ I ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଚାଲିଛି I
