ଓଡିଆ ଜାତିକୁ ବିଶ୍ୱରେ ପରିଚିତ କରିବା ସମସ୍ତ ଓଡ଼ିଆ ଜାତିର ଦାୟିତ୍ଵ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଏକବିଂଶ ଶତାବ୍ଦୀରେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ହେଉ ତଥା ପୃଥିବୀର ଏକ ଅଗ୍ରଣୀ ଅଂଚଳ ଭାବେ ପରିଗଣତ ହେଉ । ଏଥିପାଇଁ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। କେବଳ ଏତିକି ନୁହେଁ, ଓଡିଆ ଜାତିକୁ ବିଶ୍ୱରେ ପରିଚିତ କରିବାର ଦାୟିତ୍ୱ ଖାଲି ଦିଲ୍ଲୀ ଏବଂ ଭୁବନେଶ୍ୱରରେ ଥିବା ସରକାରଙ୍କର ନୁହେଁ ସମଗ୍ର ଓଡିଆ ଜାତିର। ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ଓଡିଆ ଉତ୍ସବରେ ଯୋଗଦେଇ ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ବଦଳିଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି। ତେଣୁ ଏବେ ନିଜ ଅଂଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ୱ ନେବାର ସମୟ ଆସିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ। ଓଡିଶା ଆଜି ବିଶ୍ୱରେ ସମ୍ପନ୍ନତାର ଚରମ ସୀମାରେ ପହଁଚିଥିବା ବେଳେ ଓଡିଆ ଲୋକମାନେ ସନ୍ତୋଷକୁ ହାତରେ ରଖି ଓଡିଶା ପାଇଁ ବଡ କଳ୍ପନା କରିବାର ଆବଶ୍ୟକତା ରହିଛି । ତେଣୁ ଆଗାମୀ ଦିନରେ ଓଡିଆ ପ୍ରବାସୀମାନେ ଓଡିଆ ସମାଜର ଅଗ୍ରଦୂତ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତା ସହ ଓଡିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ମାଛ ତରକାରୀ, ସମ୍ବଲପୁରୀ ଶାଢୀ, ଖୋର୍ଦ୍ଧା ଗାମୁଛା, ଏ ସବୁକୁ ବିଶ୍ୱରେ କିଏ ପହଁଚାଇବ ? ଏକବିଂଶ ଶତାବ୍ଦୀରେ ଓଡିଶାର ସମସ୍ତ ଲୋକ ଏକାଠୀ ହୋଇ ଓଡିଶାର ଏହି ସବୁ ଜିନିଷକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି । ତାହେଲେ ଯାଇ ଓଡିଶା ଅଧିକରୁ ଅଧିକ ବିଶ୍ୱରେ ପରିଚିତ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ପ୍ରବାସୀ ଓଡ଼ିଆ ଉତ୍ସବରେ ଯୋଗଦେଇ ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଓଡିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା। ଓଡିଆ ଲୋକଙ୍କ ଚରିତ୍ରରେ ପରିଶ୍ରମ, ସାଧୁତା, ସମ୍ବେଦନଶୀଳତା ଅଛି । ଯାହା ଆଜିର ବସ୍ତୁବାଦୀ ଦୁନିଆରେ ଦୁଃମୂଲ୍ୟ। ସେହିପରି ପଢା, ଲେଖା ଓ ଜ୍ଞାନରେ ସର୍ବାଭାରତୀୟ ସ୍ତରରେ ଓଡିଆ ଲୋକମାନେ ସୁନାମ ଆଣିପାରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଲୋକେ ସାମିଲ୍ ହୋଇଥିଲେ।

Leave a Reply