ନବନୀତା ବ୍ୟୁରୋ। ଶିକ୍ଷାରେ ଅଛି ଦାରିଦ୍ର୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି। ତେଣୁ ଆଜିର ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ। କେବଳ ଏତିକି ନୁହେଁ, ଆଗାମୀ ଶତାବ୍ଦୀର ଯାତ୍ରାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉପଲବ୍ଧି କେବଳ ଓଡିଶା କିମ୍ବା ଦେଶକୁ ନୁହେଁ ବିଶ୍ୱ ସାମ୍ନାରେ ଥିବା ସମସ୍ୟାକୁ ସମାଧାନ କରିବାରେ ବଡ ଭୂମିକା ନେଉ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ମହାମହିମ ରାଷ୍ଟ୍ରପତିଙ୍କ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନ ସମାରୋହରେ ଯୋଗ ଦେଇ ଥିବାରୁ ନିଜକୁ ଗୌରବ ମନେ କରୁଥିବା ଧର୍ମେନ୍ଦ୍ର କହିଛନ୍ତି । ୭୫ ବର୍ଷର ଲମ୍ବା ଯାତ୍ରାରେ ଓଡିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ବା ସଫଳତାର ଯାତ୍ରାର ଆଦିଭୂମି ଏହି କ୍ୟାମ୍ପସ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ, ଓଡିଶା ପାଇଁ ନୂଆ କଳ୍ପନା କରିଥିଲେ, ଓଡିଶାକୁ ଜାତୀୟ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟର ମଞ୍ଜି ବୁଣାଯାଇଥିଲା ଏବଂ ଆଜି ସେହି ମଞ୍ଜି ଏକ ବିଶାଳ ବଟବୃକ୍ଷର ରୂପ ନେଇଛି । ଏଠାରେ ଅଶୋକ ଯୁଦ୍ଧରେ ଲକ୍ଷ ଲକ୍ଷ ଓଡିଆ ଲୋକଙ୍କୁ ମାରିବା ପରେ ଚଣ୍ଡା ଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇଥିଲେ । ଓଡିଆ ଲୋକଙ୍କୁ ଅଶୋକ ହରେଇନଥିଲେ ବରଂ ଅଶୋକଙ୍କର ଅହଙ୍କାରକୁ ଓଡିଆ ଲୋକମାନେ ହରାଇଥିଲେ ।

ତେଣୁ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ । ଏକବିଂଶ ଶତାବ୍ଦୀ ଏକ ଜ୍ଞାନର ଶତାବ୍ଦୀ । ଆଗାମୀ ୨୫ ବର୍ଷରେ ଏହି ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ଜ୍ଞାନ କେନ୍ଦ୍ର ଭାବେ ଗଢି ଉଠୁ । ଏଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
