ନବନୀତା ବ୍ୟୁରୋ। ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଖୋର୍ଦ୍ଧା ବରୁଣେଇରେ ଆୟୋଜିତ ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ କାର୍ଯକ୍ରମରେ ଯୋଗ ଦେଇଥିଲେ। ଏ ଅବସରରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ କରିଥିଲେ। ତା ପରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ। ସହିଦ୍ ମାନଙ୍କ ଭୂମି ହେଉଛି ବରୁଣେଇ, ଏହି ପୂଣ୍ୟ ଭୂମିରେ ମୁଁ ପାଇକ ବିଦ୍ରୋହର ବୀର ବଳିଦାନକୁ ପ୍ରଣାମ କରୁଛି। ଏହି ପବିତ୍ର ଭୂମିରେ ପାଇକ ବିଦ୍ରୋହରେ ସାମିଲ୍ ସମସ୍ତ ବୀର ସୈନିକଙ୍କ ସ୍ମୃତିସ୍ଥଳ ପାଇଁ ଭୂମି ପୂଜନ ଅବସରରେ ମୁଁ ସାମିଲ୍ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଥିବା କହିଥିଲେ ରାଷ୍ଟ୍ରପତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ପାଇକ ବିଦ୍ରୋହ ଥିଲା ବ୍ରିଟିଶ ବିରୋଧରେ ଏକ ଗଣ ଆନ୍ଦୋଳନ। ଏଥିରେ ସାରା ଓଡ଼ିଶା ସାମିଲ ହୋଇଥିଲା। ରାଜ୍ୟ ସରକାର ପାଇକ ବିଦ୍ରୋହ ସ୍ମାରକ ପାଇଁ ଜମି ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦେବାକୁ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ ଉତ୍ସବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ବୀର ପାଇକମାନଙ୍କ ସଂଗ୍ରାମକୁ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛି। ଏଥିସହ ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ସ୍ଵତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ଦାବି କରିଛନ୍ତି।

ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଖୋର୍ଦ୍ଧା ବରୁଣେଇ ଠାରେ ମାନନୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାରୁ ଜଣେ ଓଡିଆ ଭାବେ ଆଜି ମୋ ପାଇଁ ଗୌରବର ଦିନ ବୋଲି କହିଥିଲେ। ଐତିହାସିକ ବରୁଣେଇ ପାହାଡର ପାଦଦେଶରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ହୋଇଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବରୁଣେଇ ପାହାଡର ପାଦଦେଶରେ ଏହି ସ୍ମାରକୀର ଶୁଭାରମ୍ଭ ହୋଇଯାଇଛି । ଏହି ସ୍ମାରକୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

୨୦୧୭ ମସିହାର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ରାଷ୍ଟ୍ରୀୟ ଉତ୍ସବକୁ ଉଦଘାଟନ କରି ପାଇକ ବିଦ୍ରୋହକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ-ଉଦଘୋଷଣାର ଉଜ୍ଜଳ ଘଟଣା ବୋଲି ଅଭିହିତ କରିଥିଲେ । ଏପରିକି କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ଶୌର୍ଯ୍ୟ ପୂଣ୍ୟ ପାଇକ ବିଦ୍ରୋହକୁ ‘ଏନସିଇଆରଟି’ର ପାଠ୍ୟ ପୁସ୍ତକରେ ସମ୍ମିଳିତ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସଂଗ୍ରାମୀ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାସହ ପ୍ରଧାନମନ୍ତ୍ରୀ ମୋଦି ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ଜୁବୁଲି ପାଳନ ସଂପର୍କରେ ନିଜର ଅଭିଭାଷଣ ରଖିଥିଲେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
