ନବନୀତା ବ୍ୟୁରୋ। ଦିଲ୍ଲୀ ଅନାଜ୍ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣାରେ ଏଯାଏଁ ୪୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଅନେକ ଲୋକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଗୁରୁତର ଲୋକଙ୍କୁ ଦିଲ୍ଲୀ ଲେଡୀ ହାର୍ଡିଂ, ସଫଦରଜଂ ଓ ଏଲ୍ଏନଜେପି ମେଡିକାଲରେ ଭର୍ତ୍ତି କରାଯାଇଛି।

ଭୟାଭୟ ଅଗ୍ନିକାଣ୍ଡ ମାମଲାରେ ସଦର ଥାନା ପୋଲିସ ଅବହେଳା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ମାମଲା କାରଖାନା ମାଲିକ ରିହାନ ବିରୁଦ୍ଧରେ ରୁଜୁ କରାଯାଇଛି। ଏଥିସହ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ଦିଆ ଯାଇଛି। କାରଖାନା ମାଲିକ ରିହାନକୁ ପୋଲିସ ହାଜତକୁ ନେଇଛି। ତାସହ ରିହାନଙ୍କ ପିତା ରହିମଙ୍କୁ ମଧ୍ୟ ପୋଲିସ କବଜାରେ।
ସେପଟେ ଦିଲୀ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି। ପୂର୍ବ ଜିଲ୍ଲାର ଜିଲ୍ଲାଧିକାରି ଅରୁଣ କୁମାର ମିଶ୍ର ଏହି ମାମଲାର ଯାଞ୍ଚ କରିବେ। ଅନ୍ୟପଟେ ଗୁରୁତରଙ୍କୁ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ ଲୋକ ନାୟକ ମେଡିକାଲ ଯାଇ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
ତେବେ ଅଗ୍ନିକାଣ୍ଡରେ ମୃତାହତଙ୍କ ପରିବାର ଲୋକଙ୍କୁ ଦିଲ୍ଲୀ ସରକାର, କେନ୍ଦ୍ର ସରକାର ଓ ଦିଲ୍ଲୀ ବିଜେପି ପକ୍ଷରୁ ମୋଟ ୧୭ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ସେହିପରି ଗୁରୁତର ଲୋକଙ୍କୁ ୭୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆର୍ଥିକ ସହାୟତା ମଧ୍ୟରୁ ୧୦ ଲକ୍ଷ ଦିଲ୍ଲୀ ସରକାର, ୫ ଲକ୍ଷ ଦିଲ୍ଲୀ ବିଜେପି ଓ ୨ ଲକ୍ଷ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ।
