ନବନୀତା ବ୍ୟୁରୋ I ଘର ବାହୁଡ଼ା କରିବେ ଦେଓଗାଁ ବ୍ଲକ୍ ଅଧ୍ଯକ୍ଷ ! ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେପିରେ ସାମିଲ ହେବା ନେଇ ଜିଲ୍ଲାରେ ଚର୍ଚ୍ଚା l ୧୭ ସରପଞ୍ଚ ଓ ୮ ସମିତି ସଭ୍ଯଙ୍କ ସହ ବିଜେପିରେ ମିଶିବେ ଦୟାନିଧି! ବିଜେଡି- ବିଜେପି ମେଣ୍ଟ ସରକାର ସମୟରେ ବିଜେପିରେ ଥିଲେ ଦୟାନିଧି I କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ହଠାତ୍ ବିଜେଡିରେ ସାମିଲ ହୋଇଥିଲେ I ଏବଂ ଗତ 2022 ମସିହାରେ ବିଜେଡି ଅନ୍ତଦ୍ୱନ୍ଦ ଯୋଗୁଁ କଂଗ୍ରେସ ସମର୍ଥନରେ ବ୍ଳକ ଅଧ୍ୟକ୍ଷ ଆସନରେ ବସିଥିଲେ ଦୟାନିଧି ଖମାରୀ I ଏବେ ଦଳରେ ଅଣନିଶ୍ବାସୀ ତଥା ବିଜେଡି ନେତାଙ୍କ ଦ୍ୱାରା ବିରୋଧ ଓ ଦୁର୍ନୀତି ନେଇ ଦଳୀୟ ନେତା ଅଡୁଆରେ ପକାଉଥିବାରୁ ଦୟାନିଧି ପୁଣି ବିଜେପିରେ ସାମିଲ ହେବା ନେଇ ଆଭାସ ମିଳୁଛି !
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଗାଇବାହାଲ ପଞ୍ଚାୟତରେ ଏକ ଗୁପ୍ତ ବୈଠକ ବସିଥିଲା l ବୈଠକରେ ୧୭ ସରପଞ୍ଚ ଓ ୮ ସମିତି ସଭ୍ଯ ସାମିଲ ହୋଇଥିଲେ I ବନ୍ଧପଡା ବ୍ଲକ୍ ଦାବି ସହ ବିଜେପିରେ ସାମିଲ ନେଇ ଆଲୋଚନା ହୋଇଥିବା ଜଣାପଡିଛି I ଏପରିକି ବନ୍ଧପଡା ବ୍ଲକ୍ ଦାବି ପାଇଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ରେଜୁଲେସନ ମଧ୍ଯ କରିଛନ୍ତି I ଆଗକୁ ଭବିଷ୍ୟତ ଅନ୍ଧାର ଦେଖା ଯାଉଥିବାରୁ ବିଜେପି ମୁହାଁ ହେଉଛନ୍ତି ଦୟାନିଧି! କେବଳ ଦୟାନିଧି ନୁହଁ, ତାଙ୍କ ସହ ୧୭ ସରପଞ୍ଚ ଓ ୮ ସମିତି ସଭ୍ଯ ମଧ୍ଯ ବିଜେପିରେ ସାମିଲ ହେବେ !
ତେବେ ବିଜେଡିର ବ୍ଲକ୍ ଅଧ୍ୟକ୍ଷ ହୋଇଥିଲେ ବି ଦଳୀୟ ନେତାଙ୍କ ବିରୋଧ ଯୋଗୁଁ ଦଳରେ ଅଣନିଶ୍ବାସୀ ଦୟାନିଧି I ଗତ କିଛି ମାସ ତଳେ ପଞ୍ଚାୟତ ସମିତି ବୈଠକରେ ଦୁର୍ନୀତି ପ୍ରସଙ୍ଗ ନେଇ ଅଧ୍ୟକ୍ଷ ଦୟାନିଧିଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ ନେତା ଲକ୍ଷ୍ମଣ ମେହେର I ବ୍ଲକରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଅଧ୍ୟକ୍ଷଙ୍କୁ ସମିତି ବୈଠକରେ ଘେରିଥିଲେ I ଜଳ ଯୋଗାଣ ପ୍ରକଳ୍ପରେ ଦୁର୍ନୀତି ସହ ଆରଡି ରାସ୍ତାରେ ବ୍ଲକ୍ ପାଣ୍ଠି ଲଗାଇ ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା I ପରେ କିନ୍ତୁ ବିଧାୟକଙ୍କ ଦେଓଗାଁ ବ୍ଳକ ସମୀକ୍ଷା ସରିବା ପରେ ପ୍ୟାଲେସରେ ଚପଲ ଧରି ଲକ୍ଷ୍ମଣ ମେହେରଙ୍କୁ ପିଟିବା ପାଇଁ ଧାଇଁଥିଲେ ଦୟାନିଧି I ଏବେ ଦଳରେ ତାଙ୍କ ସ୍ଥିତି ଠିକ୍ ନଥିବା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବାରୁ ବିଜେପି ଆଡ଼କୁ ଢଳୁଛନ୍ତି ଦୟାନିଧି I ଏନେଇ ତାଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ବି ଫୋନ ରିସିଭ୍ କରୁନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ I