ନବନୀତା ବ୍ୟୁରୋ I ବଲାଙ୍ଗିରରେ ତେଜୁଛି ବିଜେଡି ଗୋଷ୍ଠୀ କନ୍ଦଳ I ଅସନ୍ତୋଷ ନେତା ଦଳ ଛାଡୁ ଥିବା ବେଳେ ଦେଓଗାଁରେ ବିଜେଡି ଫାଳ ଫାଳ I ଦଳରେ ଅସନ୍ତୋଷ ତଥା ଦୁର୍ବଳ ନେତୃତ୍ୱ ଯୋଗୁ ସଦର ବ୍ଲକର 7 ଜଣ ସମିତି ସଭ୍ଯ ବିଜେପିରେ ସାମିଲ ହୋଇଛନ୍ତି I ଅବଶ୍ଯ ବହୁ ବୁଝାସୁଝା ଓ କସରତ ପରେ ଜଣେ ସମିତି ସଭ୍ଯ ବିଜେଡିକୁ ଫେରି ଆସିଛନ୍ତି I ହେଲେ ଦେଓଗାଁ ବ୍ଳକରେ ବିଜେଡି ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି I ଜଣେ ନେତା ଆଉ ଜଣଙ୍କ କାର୍ଯ୍ୟକ୍ରମରେ ସାମିଲ ବି ହେଉ ନାହାଁନ୍ତି I ଉପରଝରରେ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରି ସାମିଲ ହୋଇଥିବା ବେଳେ ବରିଷ୍ଠ ନେତା ଲକ୍ଷ୍ମଣ ମେହେର୍ ଅନୁପସ୍ଥିତ ରହିଥିଲେ I ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ବିକ୍ଷୋଭରେ ଲକ୍ଷ୍ମଣ ମେହେର୍ ଯୋଗ ଦେଇଥିଲେ l କିନ୍ତୁ ଏଥିରେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ସାମିଲ ହୋଇନଥିଲେ I
କେବଳ ଏତିକି ନୁହେଁ, ବ୍ଳକର ବିଭିନ୍ନ ଦୁର୍ନୀତି ଅଭିଯୋଗ ନେଇ ଅଧ୍ୟକ୍ଷ ଦୟାନିଧି ଖମାରିଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଲକ୍ଷ୍ମଣ ମେହେର୍ I ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଘୋଟାଲା ସହ ଆରଡି ରାସ୍ତା ଉପରେ ବ୍ଲକ୍ ପାଣ୍ଠିରୁ 34 ଲକ୍ଷ ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ପ୍ରଶ୍ନ କରିଛନ୍ତି I ଏନେଇ ପରେ ବିଧାୟକ କଳିକେଶ ସିଂହଦେଓ ପ୍ୟାଲେସରେ ଦେଓଗାଁ ବ୍ଳକର ସମୀକ୍ଷା କରିଥିଲେ I ଏଥିରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରି, ଲକ୍ଷ୍ମଣ ମେହେରଙ୍କ ସହ ବହୁ ବିଜେଡି ନେତା କର୍ମୀ ସାମିଲ ହୋଇଥିଲେ I ସମୀକ୍ଷା ବୈଠକରେ ମଧ୍ଯ ଲକ୍ଷ୍ମଣ ଦେଓଗାଁ ବ୍ଲକ୍ ଦୁର୍ନୀତି କଥା ଉଠାଇ ଥିଲେ I ହେଲେ ବୈଠକ ସରିବା ପରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ରାଗି ଯାଇଥିଲେ I ଏବଂ ପିଟିବା ପାଇଁ ଚପଲ ଖୋଲି ଲକ୍ଷ୍ମଣ ମେହେରଙ୍କୁ ଦୌଡାଇଥିଲେ ଦୟାନିଧି I ଘଟଣା ନେଇ ପଚାରିବାରୁ ଉଭୟେ କଥାକୁ ସତ ମାନି ବି ଛନ୍ତି I
ସେପଟେ ବିଜେଡି ଗୋଷ୍ଠୀ କନ୍ଦଳ କଥାକୁ ଅସ୍ୱୀକାର କରିଛନ୍ତି ବିଧାୟକ କଳିକେଶ ସିଂହଦେଓ I ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ, ସବୁ ଠିକ୍ ଠାକ୍ ଚାଲିଥିବା କହିଛନ୍ତି I ବଲାଙ୍ଗିର ବିଜେଡି ଦଳରେ କିଛି ସମସ୍ୟା ନାହିଁ, କିନ୍ତୁ ଯାହା ବି ଅସୁବିଧା ରହିଛି ତାହା ଆଗାମୀ ଦିନରେ ସମାଧାନ କରାଯିବାକୁ କହିଛନ୍ତି ବିଧାୟକ I ଏପରିକି ଯେଉଁମାନେ ବିଜୁ ଜନତା ଦଳର ବିଚାରଧାରାରେ ଅଛନ୍ତି ସେମାନେ ଭବିଷ୍ୟତ ଯାଏ ରହିବେ ଏବଂ ଯେଉଁମାନେ ବିଜେଡି ବିଚାରଧାରାରେ ନାହାଁନ୍ତି ସେମାନେ ଅଲଗା ଆଡ଼େ ଯିବେ ବୋଲି କହିଛନ୍ତି ବିଧାୟକ କଳିକେଶ I ଯେଉଁ ନେତା ଅଲଗା ଦଳରୁ ଆସି ବିଜେଡିରେ ସାମିଲ ହୋଇଛନ୍ତି ସେମାନଙ୍କୁ ପରୋକ୍ଷରେ ବିଧାୟକଙ୍କ ଏହା ଏକ ଇସାରା ନୁହେଁ କି? ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବିଜେଡିରେ ଗୋଷ୍ଠୀ କନ୍ଦଳ ନାହିଁ, ତାହେଲେ ଲକ୍ଷ୍ମଣ ମେହେରଙ୍କୁ ଚପଲ ଧରି ଦୟାନିଧି ଖମାରି ପିଟିବାକୁ ଧାଇଁ ଥିଲେ କେମିତି? ବିଧାୟକ ନିଜ ଦୁର୍ବଳ ନେତୃତ୍ୱ ଲୁଚାଇବାକୁ ଏଭଳି ହାଲୁକା ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି I ଦେଖାଯାଉ ଦେଓଗାଁ ବିଜେଡି ଗୋଷ୍ଠୀ କନ୍ଦଳ ଆଗାମୀ ଦିନରେ କେଉଁଆଡ଼େ ଗତି କରୁଛି I