ନବନୀତା ବ୍ୟୁରୋ I ପ୍ରେସ ବିବୃତ୍ତି ଦେଇ ଫସିଲେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି! ନିଜକୁ ବିଜେଡିର ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ବୋଲି ଖୋଦ୍ ସ୍ୱୀକାର ବି କରିଛନ୍ତି I ଅର୍ଥାତ୍ ସେ ବିଜେଡି ଦଳର ନେତା କି କର୍ମୀ ନୁହଁନ୍ତି, କେବଳ ସମର୍ଥିତ ! ଏକଥା ଆମେ କହୁନୁ, ସେ ନିଜେ ପ୍ରେସ ବିବୃତିରେ ଲେଖି କିଛି ଗଣମାଧ୍ୟମକୁ ଦେଇଛନ୍ତି I ଏପରିକି ଯେଉଁ ଗଣମାଧ୍ୟମରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେପିରେ ସାମିଲ ହେବା ଚର୍ଚ୍ଚା ନେଇ ଖବର ପ୍ରକାଶିତ ହୋଇଥିଲା, ସେ ମିଡିଆକୁ ଏଯାଏ ପ୍ରତିକ୍ରିୟା ରଖି ନାହାଁନ୍ତି I ଖବର ପ୍ରକାଶନ ଗୋଟିଏ ମିଡିଆରେ, କିନ୍ତୁ ପ୍ରେସ ବିବୃତ୍ତି ଅଲଗା ଗଣମାଧ୍ୟମରେ I ଏହା ନିଶ୍ଚିତ ଭାବେ ବ୍ଲକ୍ ଅଧ୍ୟକ୍ଷଙ୍କ ଅପରିପକ୍ବତା ବୋଲି କୁହାଯିବ I କାହିଁକି ନା ଯେଉଁ ମିଡିଆରେ ଖବର ପ୍ରକାଶନ ହୁଏ, ସେହି ମିଡିଆରେ ପ୍ରତିକ୍ରିୟା ରଖିଲେ ହିଁ ସ୍ପଷ୍ଟୀକରଣ ସତ ବୋଲି ଧରାଯାଏ I କିନ୍ତୁ ଏଭଳି ଭାବେ ପ୍ରତିକ୍ରିୟା ରଖିବା ଗଣମାଧ୍ୟମ ଜଗତରେ ବିରଳ !
ସୂଚନାଯୋଗ୍ୟ ଯେ, ବିଜେଡି- ବିଜେପି ମେଣ୍ଟ ସରକାର ସମୟରେ ଦୟାନିଧି ବିଜେପିରେ ଥିଲେ I ହେଲେ ମେଣ୍ଟ ଭାଙ୍ଗିବା ପରେ ବିଜେପିର ହାତ ଛାଡ଼ି ହଠାତ୍ ବିଜେଡିରେ ସାମିଲ ହୋଇଥିଲେ I ଏବଂ ଏହାର କିଛି ବର୍ଷ ପରେ ଲଗାତାର ଦ୍ଵିତୀୟ ଥର ସରପଞ୍ଚ ହୋଇଥିଲେ ଦୟାନିଧି I ହେଲେ 2022 ମସିହାରେ ସମିତିସଭ୍ଯ ଭାବେ ଜିତିଥିଲେ ବି ବିଜେଡି ଅନ୍ତଦ୍ୱନ୍ଦ ଯୋଗୁଁ କଂଗ୍ରେସ ସମର୍ଥନରେ ବ୍ଳକ ଅଧ୍ୟକ୍ଷ ଆସନରେ ବସିଥିଲେ ଦୟାନିଧି ଖମାରୀ I ଏପରିକି ଅଧ୍ୟକ୍ଷ ନିର୍ବାଚନ ଦିନ ହିଁ ପ୍ରତିଦ୍ଵନ୍ଦିତା କରିଥିବା ବିଜେଡି ବରିଷ୍ଠ ନେତାଙ୍କ କଲର ଟାଣି ଆକ୍ରମଣ ଉଦ୍ୟମ କରି ଚର୍ଚ୍ଚାକୁ ଆସିଥିଲେ ଦୟାନିଧି I ଏବେ ବିଜେଡି ନେତାଙ୍କ ଦ୍ୱାରା ପ୍ରବଳ ବିରୋଧ ଓ ଦୁର୍ନୀତି ନେଇ ଦଳୀୟ ନେତା ଅଡୁଆରେ ପକାଉଥିବାରୁ ଦୟାନିଧିଙ୍କ ମୁଣ୍ଡବ୍ୟଥା ବଢି ଯାଇଛି I
ତେବେ ବନ୍ଧପଡାକୁ ବ୍ଲକ୍ ଦାବି ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବ୍ଲକ୍ ଅଧ୍ୟକ୍ଷ ଦୟାନିଧି I ଏନେଇ ଗତ କିଛି ଦିନ ତଳେ ଗାଇବାହାଲ ପଞ୍ଚାୟତରେ ଏକ ଗୁପ୍ତ ବୈଠକ ବି ବସିଥିବା ଜଣାପଡିଛି l ଯେଉଁଥିରେ ୧୭ ସରପଞ୍ଚ ଓ ୮ ସମିତି ସଭ୍ଯ ସାମିଲ ହୋଇ ବନ୍ଧପଡା ବ୍ଲକ୍ ଦାବି ସହ ଦଳଡିଆଁ ନେଇ ଆଲୋଚନା ହୋଇଥିବା ଜଣାପଡିଛି I ଏପରିକି ବନ୍ଧପଡା ବ୍ଲକ୍ ଦାବି ପାଇଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ରେଜୁଲେସନ ମଧ୍ଯ କରି ସାରିଛନ୍ତି I ହେଲେ ଡିଲ ଛିଣ୍ଡୁ ନଥିବାରୁ ଦଳଡିଆଁ ପର୍ବ ଆଗେଇ ପାରୁନି I ଖବର ପ୍ରକାଶିତ ମିଡିଆରେ ଏଯାଏଁ ପ୍ରତିକ୍ରିୟା ରଖିନଥିବା ବେଳେ ଅନ୍ୟ ମିଡିଆରେ ଛୋଟିଆ ପ୍ରେସ୍ ବିବୃତି ରଖି ବିଜେପିରେ ସାମିଲ ହେବା କଥାକୁ ଅସ୍ୱୀକାର କରିଥିବା ଜଣାପଡିଛି I କିନ୍ତୁ ବିଜେଡି ଦଳର ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ବୋଲି ସ୍ୱୀକାର କରି ପୁଣି ବିବାଦ ଘେରକୁ ଆସିଛନ୍ତି ଦୟାନିଧି I
ଗତ 2022 ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ବିଜେଡି ମଧ୍ୟରେ ଲଢେଇ ହୋଇଥିଲା I କଂଗ୍ରେସର 11 ସମିତି ସଭ୍ୟଙ୍କ ସମର୍ଥନ ସହ (ବିଜେଡିର 3) ମୋଟ 14ଟି ଭୋଟ ପଡିଥିଲା ଦୟାନିଧିଙ୍କ ସପକ୍ଷରେ I ହେଲେ କୌଣସିକାରଣରୁ ତାଙ୍କ ପତ୍ନୀ ତଥା ସମିତି ସଭ୍ଯ ଅନୁପସ୍ଥିତ ରହିଥିଲେ I ଅନ୍ୟପଟେ ଲକ୍ଷ୍ମଣ ମେହେର୍ 11ଟି ଭୋଟ ପାଇ ଦୟାନିଧି ଠାରୁ ପରାସ୍ତ ହୋଇଥିଲେ I ସେତେବେଳେ ନିର୍ବାଚନ ସମୟରେ ବଲାଙ୍ଗିର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଥିଲେ I ଏବେ ବିଜେଡିର କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ବିଧାୟକ ଅଛନ୍ତି I ଏପରିକି ସେତେବେଳେ କଂଗ୍ରେସ ସମର୍ଥନରେ କହୁଥିବା ବେଳେ ଏବେ ବିଜେଡି ସମର୍ଥନ ବୋଲି କହୁଛନ୍ତି ଦୟାନିଧି! ଭୋଟ ଦେଇ ବ୍ଲକ୍ ଅଧ୍ୟକ୍ଷ କରାଇଥିବା କଂଗ୍ରେସକୁ ଏ ଶକ୍ତ ଧକ୍କା ନୁହଁ ତ! ସେ ଯାହା ବି ହେଉ ଜିଲ୍ଲାର ରାଜନୀତି ନେଇ ସବୁବେଳେ ଦେଓଗାଁ ଚର୍ଚ୍ଚାରେ ରହି ଆସିଛି l ଦେଖାଯାଉ ଆଗକୁ କିଏ କେଉଁ ଦଳକୁ ଡେଉଁଛି ସେ ଉପରେ ରହିଛି ସମସ୍ତଙ୍କ ନଜର I