ବଲାଙ୍ଗିରରେ ସାଇବର ସୁରକ୍ଷା ଚିନ୍ତା, ଗଡ଼ିଲା ଅଭିଯାନ ରଥ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିରରେ ସାଇବର ସୁରକ୍ଷା ଚିନ୍ତା। କୋଶଲ କଳା ମଣ୍ଡଲ ପଡିଆଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ , ଜିଲ୍ଲା ଜଜ ଲଲାଟେନ୍ଦୁ ଜେନା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି , ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ଡ. ଉମାବଲଭ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ ସ୍ବାଗତ ଭାଷଣ ଦେବା ସହ ସାଇବର ସୁରକ୍ଷା ଅଭିଯାନ ୨୦୨୩ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ।

ତେବେ ଆଜିଠାରୁ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାରେ ଦୁଇଟି ସାଇବର ରଥ ବୁଲିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଆସନ୍ତା ୧୫ ତାରିଖ ଯାଏ ଜିଲ୍ଲାର ଭିଭିନ୍ନ ଅଞ୍ଚଳର ସ୍କୁଲ, କଲେଜ, ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ପରିକ୍ରମା କରିବ। ଏହି କାର୍ଯ୍ୟକ୍ରମଗୁଡିକରେ ସ୍ଥାନୀୟ ଥାନାଧିକାରୀମାନେ ସଂଚାଳନ କରିବେ। ରଥରେ ବିଭିନ୍ନ ପ୍ରକାର ସଚେତନତା ଭିଡିଓ ପ୍ରଦର୍ଶିତ ହେବ । ତାସହ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବ।

ଏବେ ଡିଜିଟାଲ ଯୁଗରେ ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଅନ୍ ଲାଇନରେ ଟଙ୍କା ଦିଆନିଆ, ଗେମିଂ, ଲୋନ ଓ ସାମାଜିକ ଗଣମାଧ୍ୟମ ଭଳି ଆପ ଦ୍ଵାରା ଲୋକେ ଠକାମିରେ ପଡ଼ି ଟଙ୍କା ହରାଉଛନ୍ତି। ଏପରିକି ସାଇବର ସେବା ପ୍ରତି ଲୋକଙ୍କ କମ ଅଭିଜ୍ଞତା ଯୋଗୁଁ ଧନହାନି ଓ ପ୍ରାଣହାନିର ମଧ୍ୟ ନଜିର ରହିଛି l ତେଣୁ ଏହାର ପ୍ରତିକାରସ୍ୱରୂପ ସାଇବର ନିରାପତ୍ତା ଅଭିଯାନର ରଥ ଲୋକଙ୍କୁ ଅନେକ ବିଷୟରେ ସଚେତନ କରେଇବ। ଏହାଦ୍ବାରା ଲୋକ ସଚେତନ ହେଇ ଅନ୍ୟମାନଙ୍କୁ ସଚେତନ କରାଇବେ । ଏଥିସହ ୧୯୩୦ କି ୧୧୨ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। “ଗୋଟିଏ ଲୋନ ଆପ” , “ଶିଶୁ ଅଶ୍ଳୀଳତା” କୁ ପାଥେୟ କରି ଦୁଇଟି ଭିଡିଓ ବାର୍ତ୍ତା ଦ୍ଵାରା ଲୋକଙ୍କୁ ସଚେତନ କରାଯିବ। ସାଇରା ନାମକ ମାସ୍କଟକୁ ଡିଜାଇନ କରାଯାଇଛି ଯାହା ଅଭିଯାନକୁ ପ୍ରତିନିଧିତ୍ଵ କରିବ। ଆଶା କର୍ମୀ , ମିସନ ଶକ୍ତି ମହିଳା , ଅଙ୍ଗନବାଡି କର୍ମୀ ତୃଣମୂଳସ୍ତରରେ ଅଭିଯାନର ମୁଖ୍ୟ ସାଜିବେ । ସେହିପରି ଅନଲାଇନ, ଅଫଲାଇନ ଉଭୟ ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯିବା କାର୍ଯ୍ୟକ୍ରମ ରହିଛି।

Leave a Reply