ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଜନସାଧାରଣଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ତେବେ ଭାରତୀୟ ରେଳବାଇ ଏହାର ନେଟୱାର୍କରେ ବ୍ୟାପକ ଅଭିଯାନ କରାଇଛି । ଯେଉଁଥିରେ ରେଳବାଇ କର୍ମଚାରୀ, ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ, ଯାତ୍ରୀ, ରେଳ ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପୂର୍ବତଟ ରେଳପଥ ତିନୋଟି ରେଳ ମଣ୍ଡଳ ୱାଲଟିୟର, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ସହିତ ଏହାର ଉତ୍ପାଦନ ୟୁନିଟ୍ ଓ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନମାନଙ୍କୁ ଜଡିତ କରି ଏହାର ପରିସରରେ ବିଶାଳ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ରେଳ ଷ୍ଟେସନରେ କର୍ମଚାରୀ ଓ ଅଧିକାରୀମାନଙ୍କ ସହ ସ୍ଵଚ୍ଛତା କାର୍ଯ୍ୟକ୍ରମ କରିଥିଲେ। ରେଳ ଷ୍ଟେସନର ରେଳ ଟ୍ରାକ, ପ୍ଲାଟଫର୍ମ, ଯାତ୍ରୀମାନଙ୍କ ଚଳପ୍ରଚଳ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ପାଇଁ ଶ୍ରମ ଦାନ କରି ରେଳ ପରିସରକୁ ସ୍ୱଚ୍ଛତା ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଏଥିସହ ରେଳ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନ କରାଇବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଏକ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜନ କରାଯାଇଥିଲା।

ସେହିପରି ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କଟକ ରେଳ ଷ୍ଟେସନଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ । ସମସ୍ତ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକମାନେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ । ତାସହ ରେଳପଥର ପ୍ରମୁଖ ଅଧିକାରୀମାନେ ମଧ୍ୟ ମନୋନୀତ ଷ୍ଟେସନରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହାବ୍ୟତୀତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସଫା କରିବା ପାଇଁ ୧୪ ମିନିଟର ଚମତ୍କାର ସ୍ୱଚ୍ଛତା ଡ୍ରାଇଭ୍ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ମନୋନୀତ ହୋଇଥିଲା। ପରବର୍ତ୍ତୀ ଯାତ୍ରା ପାଇଁ ମାତ୍ର ୧୩ ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚଏସ ବାଜୱା ପୁରୀ ରେଳ ଷ୍ଟେସନରେ ୧୪ ମିନିଟର ଚମତ୍କାର ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ।

ସ୍ଵଚ୍ଛ ଭାରତ ମିଶନ ୨୦୧୪ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ କରାଯାଇଥିଲା। ଜାତିର ପିତା ଭାବରେ ଜଣାଶୁଣା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରି ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଏହି ଆୟୋଜନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭାରତୀୟ ସହରକୁ ‘ଆବର୍ଜନା ମୁକ୍ତ’ ଏବଂ ‘ଜଳ ନିରାପତ୍ତା’ କରିବା ଉଦ୍ଦେଶ୍ୟରେ ୨୦୨୧ ମସିହା ଅକ୍ଟୋବର ୧ରେ ସ୍ୱଚ୍ଛ ଭାରତ ମିଶନ ୨.୦ ଆରମ୍ଭ କରିଥିଲେ। ଆଉ ଏବେ ୨୦୨୩ରେ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଏକ ଅଗ୍ରଦୂତ ଭାବରେ କାର୍ଯ୍ୟ କରିଛି।

Leave a Reply