ନବନୀତା ବ୍ୟୁରୋ। ଦେଶରେ କରୋନା କହର ଜାରି। ଗୋଟିଏ ଦିନରେ ସର୍ବାଧିକ ୧୧,୪୫୮ କରୋନା ଭୂତାଣୁ ସଂକ୍ରମଣ ମାମଲା ସାମନାକୁ ଆସିଛି। ଏଥିସହ ସମଗ୍ର ଦେଶରେ ମୋଟ କରୋନା ରୋଗୀ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି। ସେହିପରି ସଂକ୍ରମଣ ଯୋଗୁଁ ୩୮୬ ଜଣଙ୍କ ମୃତ୍ୟୁ ହେବା ସହ ମୃତକଙ୍କ ସଂଖ୍ୟା ୮୮୮୪କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ଓଡ଼ିଶାର ସ୍ଥିତି ମଧ୍ୟ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସର୍ବାଧିକ ୨୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକରେ ସବୁଠାରୁ ଅଧିକ ରୋଗୀ ୯୨ ଜଣ ଚିହ୍ନଟ ହୋଇଥିବା ଓଡ଼ିଶା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ତାଳ ଦେଇ ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ଜିଲ୍ଲାରୁ ଅନେକ ରୋଗୀ ଚିହ୍ନଟ ହେଉଛନ୍ତି। ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଶୁକ୍ରବାର ବଲାଙ୍ଗିର ଜିଲ୍ଲାରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଓ କଳାହାଣ୍ଡି ଜିଲ୍ଲାରେ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେ ଆସନ୍ତୁ ଜାଣିବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନଜର ପକାଇବା ବଲାଙ୍ଗିର ଜିଲ୍ଲା ଉପରେ। ଏହି ଜିଲ୍ଲା ସମଗ୍ର ପଶ୍ଚିମ ଓଡ଼ିଶାର ଶୀର୍ଷରେ ରହିଛି। ଏଯାଏ ଚିହ୍ନଟ ୧୪୧ ଜଣ ରୋଗୀ ମଧ୍ୟରୁ ୯୯ ସୁସ୍ଥ ହୋଇଥିବା ବେଳେ ୪୨ ରୋଗୀ ସକ୍ରିୟ ରହିଛନ୍ତି। ତା ତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଉଛି। କରୋନା ରୋଗୀ ସଂଖ୍ୟା ୧୨୩ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୨ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ନୂଆପଡ଼ାରେ ୭୪ ମଧ୍ୟରୁ ୫୭ ସୁସ୍ଥ, ୧୭ ସକ୍ରିୟ, କଳାହାଣ୍ଡିରେ ୪୧ରୁ ୨୦ ସୁସ୍ଥ, ୨୧ ସକ୍ରିୟ, ଦେବଗଡ଼ରେ ୪୦ରୁ ୩୩ ସୁସ୍ଥ, ୭ ସକ୍ରିୟ, ବୌଦ୍ଧରେ ୩୮ରୁ ୩୪ ସୁସ୍ଥ, ୪ ସକ୍ରିୟ, ସୋନପୁରରେ ୨୯ରୁ ୧୬ ସୁସ୍ଥ, ୧୩ ସକ୍ରିୟ, ସମ୍ବଲପୁରରେ ୨୩ରୁ ୧୫ ସୁସ୍ଥ,୮ ସକ୍ରିୟ,ବରଗଡ଼ରେ ୧୮ରୁ ୧୧ ସୁସ୍ଥ, ୭ ସକ୍ରିୟ ଏବଂ ଝାରସୁଗୁଡ଼ାରେ ୧୫ରୁ ୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ସକ୍ରିୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଏଯାଏ ସମଗ୍ର ପଶ୍ଚିମ ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ୫୪୨କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୩୭୫ ଜଣ ସୁସ୍ଥ ହୋଇ ଥିବା ବେଳେ ୧୬୭ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ୧୦ ଜିଲ୍ଲା ମଧ୍ୟରୁ ଦୁଇ ଜିଲ୍ଲାରେ ଶହେ ରୋଗୀ ଟପି ସାରିଛି। ବଲାଙ୍ଗିର ଟପରେ ଥିବା ବେଳେ ସୁନ୍ଦରଗଡ଼ ଦ୍ବିତୀୟରେ ରହିଛି। ନୂଆପଡାରେ ୭୪ ରୋଗୀ ଚିହ୍ନଟ ସହ ତୃତୀୟ ସ୍ଥାନରେ ରହିଛି।
