ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ କଳାହାଣ୍ଡି ଥିଏଟର୍‌ର ଶ୍ରଦ୍ଧାଞ୍ଜଳି

ଓଡ଼ିଶାମନୋରଞ୍ଜନ

ନବନୀତା ବ୍ୟୁରୋ। ଯୁବଗୋଷ୍ଠୀ ଦେଶର ଅମୂଲ୍ୟ ସଂପଦ । ସେମାନଙ୍କ କାନ୍ଧରେ ଆସନ୍ତାକାଲିର ଭାରତର ଭାର । କଳା, ସଂସ୍କୃତି, ସାହିତ୍ୟ ଠାରୁ ଆରମ୍ଭ କରି ରାଜନୀତି ତଥା ସାରାବିଶ୍ୱରେ ଦେଶର ନାଁ ଉଜ୍ଜ୍ୱଳ କରିବାର ଦାୟିତ୍ୱ ସେମାନଙ୍କର । ତେବେ ଅସମୟରେ ଫୁଟିଆସୁଥିବା ଫୁଲଟିଏ ଝଡ଼ିଯିବା ଦେଶ ପାଇଁ ଅଶୁଭ ସୂଚନା । ତେଣୁ ଯୁବଗୋଷ୍ଠୀ ନିଜ ମଧ୍ୟରେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାର ସତ୍‌ସାହସ ରଖିବା ନିହାତି ଦରକାର ବୋଲି କଳାହାଣ୍ଡି ଥିଏଟର୍ ଆୟୋଜିତ ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଛି।

ରାଜ୍ୟର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାହାଣ୍ଡି ଥିଏଟର୍ ଦ୍ୱାରା ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ଅନୁଷ୍ଠିତ ଅନ୍‌ଲାଇନ୍‌ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଯୁବ କଳାକାର ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ କଳାକାର ଡିଲେଶ୍ୱର ରଣା ପରିଚାଳନା କରିଥିଲେ । ଏଥିରେ ସାମିଲ୍ ହୋଇଥିବା କଳାକାରମାନେ ସ୍ୱର୍ଗତ ରାଜପୁତଙ୍କ ସିନେ ଜୀବନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଯୁବ କଳାକାର ସାବିତ୍ରୀ ମହାରଣା, ଭୋଳାପ୍ରସାଦ ନାଗ, ଯାଦବେନ୍ଦ୍ର ସାହା, ଅଜିତ ଭୋଇ, ନଳୀନକାନ୍ତ ଦାଶ, କାଜଲ ମହାରଣା, ସୁକନ୍ୟା ଦାସ, ତାରାକାନ୍ତ ନାଗ, ସସ୍ମିତା ସାହୁ, ହେମନ୍ତ ମାଝୀ, ସଲିଲ ଧଙ୍ଗଡ଼ାମାଝୀ, ବେଦପ୍ରକାଶ ବଗତ୍ତୀ (ମିଲୁ), ଭାସ୍କର ବାଗ (ମଣ୍ଟୁ), ଚିନ୍ମୟୀ ବୈଠାରୁ, ଚନ୍ଦନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କଳାକାର ଦକ୍ଷ ସାହୁ ।

Leave a Reply