ନବନୀତା ବ୍ୟୁରୋ। ସାରା ଦେଶରେ କରୋନା କହର ଜାରି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୬୬୭ ନୂଆ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ୩୮୦ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ରୋଗୀ ସଂଖ୍ୟା ୩୪୩୦୯୧କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୧୫୩୧୭୮ ଜଣ ରୋଗୀ ସକ୍ରିୟ ଥିବା ବେଳେ ୧୮୦୦୧୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ମୃତକଙ୍କ ସଂଖ୍ୟା ୯୯୦୦କୁ ବୃଦ୍ଧି ପାଇଛି।
ଏପଟେ ଓଡ଼ିଶାର ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଗୋଟିଏ ଦିନରେ ୧୦୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୫ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩ ଜଣ ଲୋକାଲ କେସ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ଜିଲ୍ଲାରୁ ଅନେକ ରୋଗୀ ଚିହ୍ନଟ ହେଉଛନ୍ତି। ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ସୋମବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ପରେ ସୁନ୍ଦରଗଡ଼ ଓ ଏବେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏବେ ସୁଦ୍ଧା ୫୦ ଡେଇଁଲାଣି ସଂକ୍ରମିତ ସଂଖ୍ୟ।

ଏବେ ଆସନ୍ତୁ ଜାଣିବା ପୁରା ପଶ୍ଚିମ ଓଡ଼ିଶାର ସ୍ଥିତି ସମ୍ପର୍କରେ। ଏଯାଏ ପଶ୍ଚିମ ଓଡ଼ିଶାରେ ମୋଟ ୫୯୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୪୫୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୮ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସବୁଠାରୁ ଶୀର୍ଷରେ ରହିଛି ବଲାଙ୍ଗିର ଜିଲ୍ଲା। ଏଯାଏ ଚିହ୍ନଟ ୧୪୪ ଜଣ ରୋଗୀ ମଧ୍ୟରୁ ୧୨୧ ସୁସ୍ଥ ହୋଇଥିବା ବେଳେ ୨୩ ରୋଗୀ ସକ୍ରିୟ ରହିଛନ୍ତି। ଏହା ତଳକୁ ଦ୍ବିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଉଛି। କରୋନା ରୋଗୀ ସଂଖ୍ୟା ୧୩୨ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୧୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ନୂଆପଡ଼ାରେ ୭୪ ମଧ୍ୟରୁ ୬୨ ସୁସ୍ଥ, ୧୨ ସକ୍ରିୟ, କଳାହାଣ୍ଡିରେ ୫୮ ରୋଗୀ ଚିହ୍ନଟ ହୋଇଛନ୍ତି। କିଛି ଦିନ ହେଲା ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ଜିଲ୍ଲାର ସ୍ଥିତି ବିଗିଡିବାରେ ଲାଗିଛି। ଚିହ୍ନଟ ୫୮ ରୋଗୀ ମଧ୍ୟରୁ ୨୫ ସୁସ୍ଥ ହୋଇଥିବା ବେଳେ ୩୩ ରୋଗୀ ସକ୍ରିୟ ରହିଛନ୍ତି। ସେହିପରି ଦେବଗଡ଼ରେ ୪୦ରୁ ୩୩ ସୁସ୍ଥ, ୭ ସକ୍ରିୟ, ବୌଦ୍ଧରେ ୩୮ରୁ ୩୪ ସୁସ୍ଥ, ୪ ସକ୍ରିୟ, ବରଗଡ଼ରେ ୩୫ରୁ ୧୬ ସୁସ୍ଥ, ୧୯ ସକ୍ରିୟ, ସୋନପୁରରେ ୩୧ରୁ ୨୯ ସୁସ୍ଥ, ୨ ସକ୍ରିୟ, ସମ୍ବଲପୁରରେ ୨୪ରୁ ୧୬ ସୁସ୍ଥ,୮ ସକ୍ରିୟ ଏବଂ ଝାରସୁଗୁଡ଼ାରେ ୧୮ରୁ ୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ସକ୍ରିୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୨୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯୫ ସକ୍ରିୟ ରହିଛନ୍ତି। ଏଯାଏ ୧୧ ଜଣ କରୋନା ରୋଗରେ ମୃତ୍ୟୁ ବରଣ କରିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅନ୍ୟ ୩ ଜଣ କରୋନା ବ୍ୟତୀତ ଅନ୍ୟ କାରଣରୁ ମୃତ୍ୟୁବରଣ କରିଛନ୍ତି।
