ଫଟକରାର ଭଗ୍ନ ଶିବ ମନ୍ଦିରର ପୁନରୁଦ୍ଧାର ପ୍ରତିଶ୍ରୁତି ଦେଲେ ପୁଇନ୍ତଲା ବ୍ଲକ୍ ଅଧ୍ୟକ୍ଷ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଭଗ୍ନ ଶିବ ମନ୍ଦିରର ପୁନରୁଦ୍ଧାର ପ୍ରତିଶ୍ରୁତି ଦେଲେ ବ୍ଲକ୍ ଅଧ୍ୟକ୍ଷ। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଆଜି ଫାଟକରାର ଭଗ୍ନ ଶିବ ମନ୍ଦିର ପରିଦର୍ଶନ କରିଥିଲେ। ଗତ ୨୦୧୯ ବନ୍ୟାର କରାଳ ରୂପରେ ମନ୍ଦିରଟି ସମ୍ପୂର୍ଣ ଭାଙ୍ଗିରୁଜି ଯାଇଛି। ଏଯାଏ ମନ୍ଦିରର ପୁନରୁଦ୍ଧାର ତ ଦୂରର କଥା ଏଥିପ୍ରତି କାହାରି ନିଘା ମଧ୍ୟ ପଡୁନି। ଯଦ୍ୱାରା ଭଗ୍ନ ଶିବ ମନ୍ଦିରର ଟିକିଏ ଦୂରରେ ଏକ ଅସ୍ଥାୟୀ ଭାବରେ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଛି।

ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ଆଜି ଅପରାହ୍ନରେ ସଂପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ। ଏବଂ ଏହି ଶିବ ମନ୍ଦିରର ପୁନରୁଦ୍ଧାର କରାଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏସପିଏଫ୍ ଫଣ୍ଡରୁ ୨/୩ ଲକ୍ଷ ଟଙ୍କା ଅଟକଳରେ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି ବ୍ଲକ୍ ଅଧ୍ୟକ୍ଷ। ଏଥିପାଇଁ ପ୍ରଥମେ ଗ୍ରାମବାସୀଙ୍କ ସହ ଆଲୋଚନା କରି ମନ୍ଦିର କେଉଁଠି ନିର୍ମାଣ କରାଯିବ ସେନେଇ ମତାମତ ନିଆଯିବା ପରେ କାର୍ଯ୍ୟ ଆଗେଇବ ବୋଲି ସେ କହିଛନ୍ତି। ସେପଟେ ବର୍ଷ ବର୍ଷ ହେଲା ଏହି ଅସ୍ଥାୟୀ ସ୍ଥାନରେ ଶିବ ମହାପ୍ରଭୁଙ୍କ ପୂଜା କରି ଆସୁଥିବା କହିଛନ୍ତି ପୂଜକ ବିପିନ ଚନ୍ଦନ। ଏବେ ବ୍ଲକ୍ ଅଧ୍ୟକ୍ଷ ଏଠାକୁ ଆସି ପ୍ରତିଶ୍ରୁତି ଦେବା ପରେ ମନ୍ଦିର ଖୁବ ଶୀଘ୍ର ନିର୍ମାଣ ନେଇ ପୂଜକ ଖୁସି ବ୍ୟକ୍ତ କରିଛନ୍ତି।