ପୁଇନ୍ତଲା ବିଜେଡ଼ି ଦୁଇ ଫାଳ: ବ୍ଲକ୍ ଅଧ୍ୟକ୍ଷ ଓ ସଭାପତିଙ୍କ ବିରୋଧରେ ମେଳି

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ପଦାରେ ପଡ଼ିଲା ପୁଇନ୍ତଲା ବ୍ଲକରେ ବିଜେଡ଼ି ଗୋଷ୍ଠୀ କନ୍ଦଳ। ଗୋଟିଏ ଗୋଷ୍ଠୀର ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ଯୋଗୁଁ ବ୍ଲକ୍ ବିଜେଡ଼ି ଏବେ ଦୁଇ ଫାଳ ହୋଇଯାଇଛି। ଏପରିକି ପୁରୁଣା କର୍ମୀଙ୍କୁ ଅଣଦେଖା ଅଭିଯୋଗ କରି ଦଳୀୟ କର୍ମୀ ଏକଜୁଟ ହୋଇ ମେଳି ବାନ୍ଧିଛନ୍ତି। ଦଳର ଶତାଧିକ କର୍ମୀ ଠୋଲ ହୋଇ ବ୍ଲକ୍ ସଭାପତି, ଅଧ୍ୟକ୍ଷ ଓ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ବ୍ଲକ୍ ସଭାପତି ବିଷ୍ଣୁ ପ୍ରସାଦ ପଟେଲ, ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଓ ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ମନମାନି ଯୋଗୁଁ ଦଳ ଭାଗ ଭାଗ ହୋଇ ଯାଇଛି। ଗୋଟିଏ ଗୋଷ୍ଠୀ ନିହାର ସମର୍ଥକଙ୍କ ମଧ୍ୟରେ ରହିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ହେଉଛନ୍ତି ବ୍ଲକର ପୁରୁଣା କର୍ମୀ। ହେଲେ ସମସ୍ତ ପୁରୁଣା କର୍ମୀଙ୍କୁ ଏବର ବ୍ଲକ୍ ସଭାପତି, ଅଧ୍ୟକ୍ଷ ଓ ରାଜ୍ୟ ପରିଷଦ ସଭ୍ୟ ସେମାନଙ୍କୁ ଅଣଦେଖା କରୁଛନ୍ତି। କେବଳ ନିଜ ସମର୍ଥକଙ୍କୁ ଗୁରୁତ୍ଵ ଦେଉଥିବାରୁ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି। ତେଣୁ ବ୍ଲକ୍ ବିଜେଡ଼ି ସଭାପତି ବିଷ୍ଣୁ ପଟେଲଙ୍କୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ପୁରୁଣା କର୍ମୀ ମେଳି କରି ଏକ ପ୍ରସ୍ତାବ ପାରି କରିଛନ୍ତି। ଯେଉଁଥିରେ ଶତାଧିକ କର୍ମୀଙ୍କ ଦସ୍ତଖତ ରହିଛି।

ମେଳିରେ ପ୍ରଥମେ ଯୁବ ବିଜେଡ଼ି ନେତା ଭରତ ଭୂଷଣ ପ୍ରଧାନ ଦଳୀୟ କର୍ମୀଙ୍କୁ ଅଣଦେଖା କଥା ଉଠାଇଥିଲେ। ଦୀର୍ଘ ବର୍ଷରୁ ବ୍ଲକରେ ବିଜେଡ଼ି ଅଧ୍ୟକ୍ଷ ପଦ ପାଇବା ନେଇ କର୍ମୀ ଖୁସି ଥିଲେ। କିନ୍ତୁ ଅଧ୍ୟକ୍ଷ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଥିବାରୁ ଦଳୀୟ କନ୍ଦଳ ସୃଷ୍ଟି ହୋଇଥିବା ସେ କହିଛନ୍ତି। ପରେ ପରେ ପୁଇନ୍ତଲା ବିଜେଡ଼ି ମହିଳା ସଭାନେତ୍ରୀ ଗୀତାଞ୍ଜଳି ସେଠ୍ ନିହାର ଗୋଷ୍ଠୀ ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି ନିହାର ରଞ୍ଜନ ବେହେରା, ବିଷ୍ଣୁ ପଟେଲ ଓ ସରୋଜ ପ୍ରଧାନ ମିଶି ସମସ୍ତ କାର୍ଯ୍ୟ କରୁଛନ୍ତି। ତାଙ୍କ ସମର୍ଥିତ କର୍ମୀ, ନେତା ବ୍ୟତୀତ ଅନ୍ୟ କାହାରିକୁ ଗୁରୁତ୍ଵ ଦେବେ କଣ ପଚାରୁ ବି ନାହାନ୍ତି। ଏବଂ ନିହାର, ବିଷ୍ଣୁ ଦ୍ଵାରା ବ୍ଲକ୍ ଅଧ୍ୟକ୍ଷ ପରିଚାଳିତ ହେଉଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଗୀତାଞ୍ଜଳି। ସେହିପରି ଦଳର ପୁରୁଣା ନେତା ତଥା ସମିତି ସଭ୍ୟ ଶ୍ରୀପତି ବାଗ, ବିଜେଡ଼ି ନେତା ସଞ୍ଜୀବ ସେଠ୍ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ସୁନା ଗୋଷ୍ଠୀ କନ୍ଦଳକୁ ମାନିବା ସହ ବ୍ଲକ୍ ସଭାପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ବ୍ଲକ୍ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଦେବରାଜ ଅମାତ ମଧ୍ୟ ବିଜେଡ଼ିରେ ଫାଟ କଥାକୁ ସ୍ୱୀକାର କରିଛନ୍ତି। ଗୋଟିଏ ଗୋଷ୍ଠୀର ମନମୁଖୀ କାମ ପାଇଁ ଆଜି ସମସ୍ତ ପୁରୁଣା କର୍ମୀ କୋଣଠେସା ହୋଇ ପଡିଛନ୍ତି। ଯଦ୍ୱାରା ବିଜେଡ଼ି ମଧ୍ୟରେ ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇ ଦୁଇ ଫାଳ ହୋଇ ଯାଇଛି। ତେଣୁ ଏନେଇ ଉପରିସ୍ଥ ପଦାଧିକାରୀଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ହେଲେ ଦଳର ସକ୍ରିୟ କର୍ମୀ ସୀତାକାନ୍ତ ସାଏ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦଶନ୍ଧି ଦଶନ୍ଧି ଧରି ପୁଇନ୍ତଲା ବ୍ଲକରେ ଶୃଙ୍ଖଳିତ ଥିବା ବିଜେଡ଼ି ଏବେ ବିଶୃଙ୍ଖଳିତ ହୋଇ ଯାଇଛି। କାରଣ ଅନ୍ୟ ଦଳରୁ ଆସି ବ୍ଲକ ଅଧ୍ୟକ୍ଷ ପଦରେ ବସି ଥିବାରୁ ଏଭଳି ସମସ୍ୟା ଉପୁଜିଛି। କାରଣ ସେ ବିଜେଡ଼ି ଦଳର ନେତା କର୍ମୀଙ୍କ ସହ ଖାପଖୁଆଇ ନ ପରିବା ସହ ତାଙ୍କ ପୂର୍ବ ପରମ୍ପରା ଏଠାରେ ପ୍ରଦର୍ଶିତ କରୁଥିବା କହିଛନ୍ତି ସୀତାକାନ୍ତ। କେବଳ ଏତିକି ନୁହେଁ, କିଛି ଦିନ ତଳେ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିରୋଧ ଓ ଅଣ୍ଡା ମାଡ଼ ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ହେଲେ ସେ ମଧ୍ୟରେ ବିଜେଡ଼ିର ୫ ଜଣ ଥିବା ବେଳେ ଜଣେ ମାତ୍ର କଥାକଥିତ ବିଜେଡ଼ି କର୍ମୀ ରହିଥିଲେ। ଏପରିକି ଏ ଘଟଣାରେ ପୂର୍ବତନ ସାଂସଦଙ୍କୁ ବିଜେପି ନେତା ଆକ୍ଷେପ ବି କରିଥିଲେ। ଯେହେତୁ ଗିରଫ ନେତା ମଧ୍ୟରେ ଜଣେ ପୂର୍ବ ସାଂସଦଙ୍କ ନୋମିନି ରହିଥିଲେ। ତେବେ ଏଭଳି ଅସାମାଜିକ ତତ୍ତ୍ଵଙ୍କ ଯୋଗୁଁ ଦଳ ଉପରେ ବହୁ ପ୍ରଭାବ ପକାଉଛି। ତେଣୁ ବିଶୃଙ୍ଖଳିତ କର୍ମୀ ଉପରେ କଠୋର ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଦଳର ଆହୁରି କ୍ଷତି ଘଟିବ ବୋଲି ସୀତାକାନ୍ତ ସାଏ କହିଛନ୍ତି।

ସେପଟେ ଦଳୀୟ କର୍ମୀଙ୍କୁ ଅଣଦେଖା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ଲକ ସଭାପତି ବିଷ୍ଣୁ ପଟେଲ। ସେ କହିଛନ୍ତି, ପାର୍ଟିକୁ କଳହ ସୃଷ୍ଟି କରିବା ପାଇଁ ଏଭଳି ମେଳି କରିଥିବା ସେ କହିଛନ୍ତି। ତେବେ ଅସନ୍ତୋଷ କର୍ମୀଙ୍କୁ ଡାକି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ବିଷ୍ଣୁ ପଟେଲ। ଅନ୍ୟପଟେ ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ କହିଛନ୍ତି, ବ୍ଲକ୍ ଅଧ୍ୟକ୍ଷ ପଦ କୌଣସି ଦଳୀୟ ଚିହ୍ନରେ ନିର୍ବାଚନ ହୁଏ ନାହିଁ। କିନ୍ତୁ ଏଥିପ୍ରତି ସବୁ ଦଳର ସହଯୋଗ ଓ ସହାୟତା ମିଳିଥିବା କହିଛନ୍ତି। କିନ୍ତୁ ଆକ୍ଷେପ କରିବା ଆଗରୁ କର୍ମୀ ନେତା ମୋ ସହ ଆଲୋଚନା କରନ୍ତୁ ବୋଲି କହିଛନ୍ତି ସରୋଜ ପ୍ରଧାନ। ସେପଟେ ଏନେଇ ନିହାର ରଞ୍ଜନ ବେହେରା ଆହ୍ୱାନ କରି କହିଛନ୍ତି ଯେ, ସମସ୍ତେ ଆସି ଆଲୋଚନା କରନ୍ତୁ। ହେଲେ ଦଳରେ କାହାରିକୁ ଅଣଦେଖା କଥାକୁ ସିଧା ମନା କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପୁଇନ୍ତଲା ବିଜେଡ଼ିରେ ଦଳୀୟ କନ୍ଦଳ କି ଗୋଷ୍ଠୀ ବିବାଦ ନାହିଁ, ତାହେଲେ ପୁରୁଣା ଗୋଷ୍ଠୀ ମେଳି କରିବାର କାରଣ କଣ? ନିହାର ସମର୍ଥକଙ୍କ କାର୍ଯ୍ୟକ୍ରମରେ ପୁରୁଣା କର୍ମୀ ସାମିଲ ନହେବା ଅନ୍ତଃକନ୍ଦଳ ନୁହେଁ କି? ଦୀର୍ଘ ବର୍ଷରୁ ଦଳରେ ଫାଟ ସୃଷ୍ଟି ହୋଇଥିଲେ ବି ଜିଲ୍ଲା ସଭାନେତ୍ରୀ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି ! ଜିଲ୍ଲା ରାଜନୀତିରେ ଅନେକ ସମୟରେ ପର୍ଯ୍ୟବେକ୍ଷକ ମୁଣ୍ଡ ଖେଳାଉଥିବାରୁ ଦଳୀୟ କନ୍ଦଳ ନେଇ ଅବଗତ ଥିବେ ନିଶ୍ଚିତ! କିନ୍ତୁ ସମସ୍ତ ପଦାଧିକାରୀ ସବୁ ଜାଣି ଚୁପ୍ ରହିବା ଦଳୀୟ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେଖାଯାଉ ପୁଇନ୍ତଲା ବ୍ଲକରେ ବିଜେଡ଼ି ଗୋଷ୍ଠୀ କନ୍ଦଳ ଆଗାମୀ ଦିନରେ କି ମୋଡ଼ ନେଉଛି।

Leave a Reply