ବାଲେଶ୍ଵରରେ ୧୮୦୬ କୋଟିର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା

ଏନ୍ଏନ୍ ବ୍ୟୁରୋ। ବାଲେଶ୍ଵରରେ ୧୮୦୬ କୋଟିର ପ୍ରକଳ୍ପର ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବାଲେଶ୍ବର ଗସ୍ତରେ ଯାଇ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ଅବସରରେ ସୋମନାଥପୁରଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏ ଅବସରରେ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରି ମିଶନ ଶକ୍ତି ମାମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ। ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ୬୦ ହଜାର ମା’ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।

ଏଥିସହ ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ଵାରୋପ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ, ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରି ପାରିବେ, ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ। ମାମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଗାମୀ ୫ ବର୍ଷରେ ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ହେଲେ ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି-ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ।