ଭୁବନେଶ୍ୱର ରେଳ ଷ୍ଟେସନର ନିରୀକ୍ଷଣ କଲେ ECoR ଜିଏମ୍

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ। ଆଜି ECoR ଜିଏମ୍ ରୂପ ନାରାୟଣ ସୁନକର ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ସମୟରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ଏବଂ ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଜିଏମ ସୁନକର।

ସେ କହିଛନ୍ତି, ଏହି ଷ୍ଟେସନ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସମଗ୍ର ଭାରତରେ ରେଳ ଯାତ୍ରୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୁବିଧା ସହିତ ଉନ୍ନତମାନର ଯାତ୍ରୀ ପରିସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନ କରିବା ପରିକଳ୍ପନାର ଏକ ଅଂଶ। ଏହି ପ୍ରକଳ୍ପ କାର୍ଯ୍ୟକାରୀତା ଉପରେ ତୀକ୍ଷଣ ନଜର ରଖିଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ୍ୟତା ପାଉଅଛି। ଏପରିକି ଏହି ଷ୍ଟେସନ ନିର୍ମାଣର ଶୀଘ୍ର କାର୍ଯ୍ୟ ସମ୍ପାଦନ ଓ କାର୍ଯ୍ୟକାରିତା ନେଇ ରେଳମନ୍ତ୍ରୀ ବିଶେଷ ଧ୍ୟାନ ଦେଉଥିବା କହିଛନ୍ତି ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ସୁନକର।

ଏହାବାଦ ଭିତ୍ତିଭୂମି ବିକାଶ ସହ ଜଡିତ ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, କନକୋର୍ସ, ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାଞ୍ଚ କରିଥିଲେ। ଏଥିସହ ପ୍ରକଳ୍ପର ଦୈନନ୍ଦିନ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ସାଇଟ ଅଫିସ, ଷ୍ଟେସନ ପରିଷ୍କାର ପରିଚ୍ଛନ୍ନତା, ଯାତ୍ରୀଙ୍କ ସୁବିଧା ମଧ୍ୟ ଯାଞ୍ଚ କରାଯାଇଥିଲା। ଏ ସମୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ମୁଖ୍ୟାଳୟ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।