ଜେଲରେ କାହିଁକି ଜୀବନ ହାରିଲେ ଗୋବିନ୍ଦ !

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଜେଲରେ ଜୀବନ ହାରିଲେ ଗୋବିନ୍ଦ ସାହୁ। ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ୍ ପରିସରରେ ଏକ ଗଛରେ ଟାୱେଲ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଉଦ୍ଧାର କରି ଜେଲ କର୍ମଚାରୀ ମେଡିକାଲ ନେଇଥିବା ବେଳେ ଡ଼ାକ୍ତର ସେଠାରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ସୂଚନା ଅନୁସାରେ, ଆଜି କୋର୍ଟରେ ହାଜର ହୋଇଥାନ୍ତେ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ। ମାମଲାରେ ସମସ୍ତ ପକ୍ଷର ସାକ୍ଷ୍ୟ ସହ ମମିତାଙ୍କ ପରିବାର ଲୋକଙ୍କ ମଧ୍ୟ ସାକ୍ଷ୍ୟ ସରିଥିଲା। ହେଲେ ଗୋବିନ୍ଦଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ। କିନ୍ତୁ ଜେଲର ସ୍ବତନ୍ତ୍ର ୱାର୍ଡରେ ନରଖି ଗୋବିନ୍ଦଙ୍କୁ ଅନ୍ୟ କଏଦୀଙ୍କ ସାଙ୍ଗରେ ରଖାଯାଇଥିବା ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ ଉଦ୍ୟମ ଅଭିଯୋଗରେ ଚଳିତ ମାସ ୧ ତାରିଖରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗୋବିନ୍ଦଙ୍କ ସମ୍ପର୍କୀୟ ପୁତୁରା ତଥା ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ସେନଚେର ପ୍ରଥମିକ ବିଦ୍ୟାଳୟର ଶିକ୍ଷକ କୃତିବାସ ଚନ୍ଦନଙ୍କୁ ପୋଲିସ ଗିରଫ କରିଥିଲା। ହେଲେ ଆଜି କୋର୍ଟରେ ହାଜର ହେବା ଆଗରୁ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବାର କାରଣ କଣ ହୋଇପାରେ। ଏପରିକି ସେ ଜେଲରେ କାହିଁକି ଜୀବନ ହାରିଲେ ? ପୂର୍ବରୁ ଜାମିନରେ ଘରକୁ ଯାଇ ପୁଣି ଜେଲକୁ ଆସିଥିଲେ ଗୋବିନ୍ଦ। କିନ୍ତୁ ଜେଲରେ ଜୀବନ ହାରିବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି? ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଭାବରେ ଜୀବନ ହାରିଲେ ଗୋବିନ୍ଦ? ମାମଲା ନେଇ ଅବସାଦରେ ଥିଲେ ନା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଯେହେତୁ ମମିତା ମେହେର ହତ୍ୟା ଘଟଣାରେ ନେତା ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଏବେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ଆହୁରି ରହସ୍ୟଘେରକୁ ଟାଣି ଆଣିଛି।