ପିଛା ଛାଡୁନି ବିବାଦ, ମାଂସ ପାଇଁ କର୍ମୀ ପିଟାପିଟି !

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବିଧାୟକଙ୍କୁ ସତେ ଯେମିତି ପିଛା ଛାଡୁନି ବିବାଦ। ଦଳୀୟ ଭୋଜିରେ ମାଂସ ପାଇଁ କର୍ମୀ ପିଟାପିଟି ହେବା ଚର୍ଚ୍ଚାର ବିଷୟ ପାଲଟିଛି। ମିଶନ ୨୦୨୪ ଲାଗି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ମାଂସ ଖିଆ ମଡେଲ ସବୁଠି ଚହଳ ସୃଷ୍ଟି କରିଛି। ନିକଟରେ ନବୀନ ନିବାସରେ ୨୦୨୪ ନିର୍ବାଚନ ନେଇ ନେତାଙ୍କୁ ଗୁରୁମନ୍ତ୍ର ପରେ ପାଟଣାଗଡ଼ ଫେରି ହରିଶଙ୍କରଠାରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ ବିଧାୟକ। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ ଓ ବେଳପଡ଼ାର ନେତା କର୍ମୀଙ୍କୁ ଡାକି ମିଶନ ୨୦୨୪ ପାଇଁ କର୍ମୀ ସମ୍ମିଳନୀ କରିଥିଲେ ବିଧାୟକ ସରୋଜ ମେହେର। ହେଲେ କର୍ମୀ ସମ୍ମିଳନୀରେ ଗୋଟିଏ ପଟେ ଭାଷଣବାଜି ଚାଲିଥିବା ବେଳେ ଅନ୍ୟପଟେ ଭୋଜିରେ ମାଂସ ପାଇଁ କର୍ମୀ ବାଡାବାଡି ହୋଇଥିଲେ। କିନ୍ତୁ ମାଂସ ପାଇଁ ଦଳୀୟ କର୍ମୀ ପିଟାପିଟି ହେବା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବିଧାୟକ ସରୋଜ କୌଣସି ନା କୌଣସି କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ଜେଇଙ୍କୁ କାନ ଧରି ଉଠବସ ହେଉକି ଦଳୀୟ ପୋଷ୍ଟରରେ ପଣ୍ଡିଆନଙ୍କ ଫଟୋ ମାରି ଅଡୁଆରେ ପଡିଥିବା ବିଧାୟକ ଏବେ ପୁଣି ଚର୍ଚ୍ଚାରେ। ହେଲେ ଏଥର କର୍ମୀ ସମ୍ମିଳନୀରେ ଆୟୋଜିତ ମାଂସ ଭୋଜିକୁ ନେଇ ବିବାଦ ଘେରକୁ ଆସିଛନ୍ତି ବିଧାୟକ। ଭୋଜିରେ ମାଂସ ପାଇଁ କର୍ମୀ ପିଟାପିଟି ହେବା ସହ ଭୋଜିସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ହେଲେ ଏନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଦେଖାଯାଉ ଆଗାମୀ ଦିନରେ ବିଧାୟକ ଏଭଳି ବିବାଦରୁ ମୁକୁଲୁଛନ୍ତି ନା ଆହୁରି ବିବାଦଘେରକୁ ଟାଣି ହେଉଛନ୍ତି। ତେବେ ମିଶନ ୨୪ର ମାଂସ ମଡେଲ ତଥା ମାଂସ ପାଇଁ କର୍ମୀ ପିଟାପିଟି ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଛି।