୩୦ରେ ସମବାୟ ନିର୍ଦ୍ଦେଶକ ନିର୍ବାଚନ, ୧୫ ପଦ ପାଇଁ ମଇଦାନରେ ୪୫ ପ୍ରାର୍ଥୀ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବହୁ ବାଦ ବିବାଦ ପରେ ରାଜ୍ୟରେ ସମବାୟ ନିର୍ବାଚନ ଚାଲିଛି। ପ୍ୟକ୍ସ୍ ନିର୍ଦ୍ଦେଶକ ପରେ ଏବେ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନ ଶେଷ ହେବା ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇ ସରିଛି। ତେବେ ଏହି ପଦବୀ ପାଇଁ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତଥା ଏଡିଏମ୍ ଲମ୍ବୋଦର ଧରୁଆ। ଏଥର ବ୍ୟାଙ୍କର ୧୫ ନିର୍ଦ୍ଦେଶକ ପଦ ପାଇଁ ମୋଟ ୧୧୪ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ୮୭ ପ୍ରାର୍ଥୀ ରହିଥିଲେ। ପରେ ୪୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାପରେ ୪୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଏବେ ୧୫ ଜୋନ ନିର୍ଦ୍ଦେଶକ ପଦବୀ ପାଇଁ ମଇଦାନରେ ଏବେ ୪୫ ପ୍ରାର୍ଥୀ ରହିଥିବା କହିଛନ୍ତି ନିର୍ବାଚନ ଅଧିକାରୀ।

ସେପଟେ ଆସନ୍ତା ୩୦ରେ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ବ୍ୟାଲଟ, ଭୋଟ ବାକ୍ସ ସହ ପୋଲିସ ଅଧିକାରୀଙ୍କୁ ତାଲିମ ମଧ୍ୟ ଦିଆ ସରିଛି। ଟାଉନ ବଏଜ୍ ହାଇସ୍କୁଲରେ ନିର୍ବାଚନ ଅନୁଷ୍ଠିତ ହେବ। ୩୦ ତାରିଖରେ ନିର୍ବାଚନ ହେବ ସହ ସେହିଦିନ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ତେବେ ବ୍ୟାଙ୍କ ସଭାପତି ହେବା ପାଇଁ ଜୋନ ନିର୍ଦ୍ଦେଶକମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ସମସ୍ତ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଦିଆଯାଇଥିବା କୁହା ଯାଉଛି। କିନ୍ତୁ କେତେକ ଜୋନରେ ଦଳର ଅନେକ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏପରିକି ପୂର୍ବତନ ସଭାପତି ଲକ୍ଷଣ ମେହେର, ସୁଶିଲ ଚାନ୍ଦଙ୍କ ସହ ଅନେକ ପ୍ରଭାବଶାଳୀ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି। ଦେଖାଯାଉ ନିର୍ବାଚନରେ କିଏ ବାଜି ମାରି ସଭାପତି ଆସନ ଅକ୍ତିଆର କରୁଛି।