ବଲାଙ୍ଗିର ପଛୁଆ ଅଞ୍ଚଳ ବୋଲି ମାନିଲେ ମୁଖ୍ୟମନ୍ତ୍ରୀ ନବୀନ !

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବଲାଙ୍ଗିରରେ ଉଦଘାଟିତ ହେଲା ମୋତିଲାଲ୍ ଓସୱାଲ୍ କିସ ଆଦିବାସୀ ଆବାସିକ ବିଦ୍ୟାଳୟ। ତାସହ ୫୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରବାସୀଙ୍କୁ ଜୁହାର କରି ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ। ତେବେ ଜିଲ୍ଲାରେ ଆଦିବାସୀ ଆବାସିକ ବିଦ୍ୟାଳୟ ଉଦଘାଟନ କରି ମୁଁ ବହୁତ୍ ଖୁସି ବୋଲି କହିଥିଲେ ନବୀନ। ହେଲେ ଏ ପଛୁଆ ଅଞ୍ଚଳରେ ଏହି ବିଦ୍ୟାଳୟ ମୁଖ୍ୟ ଭୂମିକା ନିର୍ବାହ କରିବା ନେଇ ଦୃଢ଼ ବିଶ୍ୱାସ ରଖିଛନ୍ତି ନବୀନ। ସେ ଯାହା ହେଉ ନିଜ ବକ୍ତବ୍ୟ ମାଧ୍ୟମରେ ବଲାଙ୍ଗିରକୁ ପଛୁଆ ଅଞ୍ଚଳ ବୋଲି ମାନିଲେ ନବୀନ। ତେବେ ପଛୁଆ ଅଞ୍ଚଳର ବିକାଶ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆ ଯାଇନି। ପଛୁଆ ଅଞ୍ଚଳ ଉପରେ କିଛି କହିନ ଥିବା ବେଳେ ରାଜ୍ୟରେ ୧୦୧ ସ୍କୁଲକୁ ଏକ୍ସସେଲେନସ ବିଦ୍ୟାଳୟ କରିବା ପାଇଁ ସରକାର ପଦକ୍ଷେପ ନେଇଥିବା କହିଥିଲେ ନବୀନ।

ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ବିଧାନସଭା ଚାଲିଥିବା ସତ୍ତ୍ଵେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ତାସହ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ମୋତିଲାଲ ଓସୱାଲ ଫାଉଣ୍ଡେସନକୁ ବି ଶୁଭେଚ୍ଛା ଜଣାଇଥିଲେ ନରସିଂହ ମିଶ୍ର। ତେବେ ନିଃସ୍ଵାର୍ଥପର ସେବା ପାଇଁ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଥିବାରୁ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ସେହିପରି ସ୍ଥାନୀୟ ସାଂସଦ ସଙ୍ଗୀତା ସିଂଦେଓ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଯୁକ୍ତ ଦୁଇ ବିଦ୍ୟାଳୟ ସହ ଜିଲ୍ଲାରେ ଏସଟି ଏସସି ପାଇଁ ହଷ୍ଟେଲର ଆବଶ୍ୟକତା ଥିବା କହିଥିଲେ ସଂଗୀତା। ଏଥିସହ ବଲାଙ୍ଗିରର ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ, ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ, ବାଇ ପାସ୍ ଓ ସୋନପୁର ରିଙ୍ଗ ରୋଡ କାର୍ଯ୍ୟର ତ୍ଵରାନିତ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ। ତାସହ ହାଇକୋର୍ଟ ବେଞ୍ଚ କଥା ମଧ୍ୟ ଉଠାଇଥିଲେ ସଙ୍ଗୀତା। ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃପ୍ରତିଷ୍ଠା କରିବା ଦିଗରେ ଦୃଷ୍ଟି ଦେବାକୁ ନବୀନଙ୍କୁ ଅନୁରୋଧ କରିଥିଲେ ସଙ୍ଗୀତା ସିଂଦେଓ।

ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ମୋତିଲାଲ୍ ଓସୱାଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ସୁନୀତା ଅଗ୍ରୱାଲ ଓ ମୋତି ଲାଲ୍ ଓସୱାଲ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ନରସିଂହ ମିଶ୍ର ଓ ଓସୱାଲ ସଂସ୍ଥା ସଦସ୍ୟ ମାନେ ଅଚ୍ୟୁତ ସାମନ୍ତଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

ମନ୍ତ୍ରୀଙ୍କୁ ସାଂସଦ କହିଲେ ଅଚ୍ୟୁତ

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ବେଳେ ହଡବଡେଇ ଯିବା ସହ ତାଙ୍କ ପାଟି ସ୍ଲିପ ହୋଇ ଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିବାରୁ ଅଧିକ ଉତ୍ସାହିତ ହୋଇ ଥତମତ ହୋଇ ଯାଇଥିଲେ ସାଂସଦ ଅଚ୍ୟୁତ ସାମନ୍ତ। ତେଣୁ ସ୍ବାଗତ ଭାଷଣ ବେଳେ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସାଂସଦ ବୋଲି ସମ୍ବୋଧନ କରିଥିଲେ ଅଚ୍ୟୁତ ସାମନ୍ତ। ହେଲେ ପରେ ପୁଣି ସଂଶୋଧନ କରି ମନ୍ତ୍ରୀ ଟୁକୁନୀ ସାହୁ ବୋଲି ସମ୍ବୋଧନ କରିଥିଲେ।

ଅଚ୍ୟୁତଙ୍କୁ ତାରିଫ୍ କଲେ ନରସିଂହ!

ନରସିଂହଙ୍କ ମୁହଁରେ ପ୍ରଶଂସା। ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭୂରିଭୂରି ପ୍ରଶଂସା କଲେ ନରସିଂହ। ଆଦିବାସୀ ପିଲାଙ୍କ ଲାଗି ବଲାଙ୍ଗିରରେ ଆବାସିକ ବିଦ୍ୟାଳୟ ଖୋଲିବା ସହ ନିଃସ୍ଵାର୍ଥପର ସେବା ପାଇଁ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଥିବାରୁ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ମୋତିଲାଲ ଓସୱାଲ ଓ କିସର ମିଳିତ ଉଦ୍ୟମରେ ନିର୍ମାଣ ହୋଇଛି ଆଦିବାସୀ ଆବାସିକ ବିଦ୍ୟାଳୟ। କିସ ପକ୍ଷରୁ ୨୦ ଏକର ଜମି ଯୋଗାଇ ଦେଇଥିବା ବେଳେ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛି ମୋତିଲାଲ ଓସୱାଲ ସଂସ୍ଥା। ଏଥିରେ ବଲାଙ୍ଗିର ଜିଲ୍ଲାର ଆଦିବାସୀ ପିଲା ମାନେ ମାଗଣାରେ ପାଠ ପଢିବା ସହ ରହିବା, ଖାଇବା ସୁବିଧା ରହିଛି ଏହି ବିଦ୍ୟାଳୟରେ। ୧୫୦୦ ଆଦିବାସୀ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଯାଏ ପିଲା ପାଠ ପଢ଼ିବେ। ତାପରେ ଭୁବନେଶ୍ୱର କିସରେ ରହି ପାଠ ପଢିବେ।