ନବନୀତା ବ୍ୟୁରୋ। ଭୁବନେଶ୍ୱରର ଏକ ଛୋଟ ବସ୍ତିରେ ରହୁଥାଏ ଗରିବ ଦାସ ଓ ସ୍ତ୍ରୀ ଶାନ୍ତିଲତା ଦାସ। ବାହାଘରର ଅନେକ ବର୍ଷ ପରେ ଭଗବାନ ତାଙ୍କ କୋଳକୁ ଏକ ପୁଅଟିଏ ଜନ୍ମ ଦେଲେ। ଯେପରି ଦୁଃଖ ଚାଲିଗଲେ ସୁଖ ଆସେ ଆଉ ସୁଖ ଚାଲିଗଲେ ଦୁଃଖ ଆସେ, ଠିକ ସେହିପରି ଗରିବ ଦାସ ଭାଗ୍ୟରେ ମଧ୍ୟ ସେଇଆ ଲେଖା ହେଇଥିଲା। ଶାନ୍ତି ପୁଅଟିକୁ ଜନ୍ମ କରି ଆରପାରିକୁ ଚାଲିଗଲା। ଗରିବ ଦାସ ଦୁଃଖରେ ଭାଂଗିପଡେ। ହେଲେ ପୁଅଟିର ଭବିଷ୍ୟତକୁ ଲକ୍ଷ ରଖି ସେ ଆଗକୁ ଚାଲେ। ଗରିବ ଦାସ ସେ ପୁଅର ନାଁ ଦେଲା ମେଘଦୂତ।
ସମୟ ଗଡି ଚାଲିଲା। ମେଘଦୂତ ଧୀରେ ଧୀରେ ବଡ ହେଲା। ଦିନେ ମେଘଦୂତ ତା ବାପାଙ୍କ ସହିତ ବଜ଼ାରକୁ ଯାଇଥାଏ ଡ୍ରେସ କିଣିବା ପାଇଁ। ତାର କୌଣସି ଡ୍ରେସ ପସନ୍ଦ ହେଲାନି। କିନ୍ତୁ କାହିଁ କେଜାଣି ମେଘଦୂତକୁ ଝିଅ ପିଲାଙ୍କର ଡ୍ରେସ ପିନ୍ଧିବାକୁ ପସନ୍ଦ ହେଲା, ଝିଅ ପିଲାଙ୍କର ସମସ୍ତ କଷ୍ଟ୍ୟୁମ ତାକୁ ପସନ୍ଦ ଲାଗିଲା। ଦିନେ ସେ ବାପାଙ୍କୁ କିଛି ନ କହି ବଜ଼ାରରୁ ଝିଅ ପିଲା ଡ୍ରେସ, କାନର, ଲିପିସ୍ଟିକ ଆଦି ସବୁ କିଣି ଆଣି ଘରକୁ ଆସେ। ଘରେ ଆଇନା ଆଗରେ ସେ ଡ୍ରେସ ପିନ୍ଧେ, ମଥାରେ ଟିକିଲି ଲଗାଏ, କାନରେ କାନର ଲଗାଏ, ଗୋଡ଼ରେ ପାଉଁଜି ପିନ୍ଧେ ଆଉ ଓଠରେ ଲିପିସ୍ଟିକ ଲଗାଇ କବାଟ ଖୋଲି ଯେତେବେଳେ ବାହାରକୁ ଆସେ, ତା ବାପା ଗରିବ ଦାସ ତାକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଏ। ସେ କିଛି ବୁଝି ପାରେନା ଯେ ତା ପୁଅର ଏମିତି ବେଶ କାହିଁକି? ତାର ଚାଲିଚଳଣକୁ ଦେଖି ସେ ବୁଝି ଗଲା ତାର ଜନ୍ମ ହେଇଥିବା ପୁଅଟି ତୃତୀୟ ସମ୍ପ୍ରଦାୟର ଯାହାକୁ ଆମେ କିନ୍ନର ବା ହିଞ୍ଜିଡା ବୋଲି କହୁ। ମେଘଦୂତ ଯେତେବେଳେ ବାହାରକୁ ଆସେ ଲୋକେ ଦେଖି ତାକୁ ହସରେ ଥଟା ମଜ୍ଜା କଲେ ଏବଂ ତାକୁ ହିଞ୍ଜିଡା ହିଞ୍ଜିଡା ବୋଲି ଡାକିଲେ। ମେଘଦୂତ ସେମାନଙ୍କ କଥା ସହି ନପାରି ଘର ଭିତରକୁ ଚାଲିଯାଏ। ତାପରେ ବସ୍ତିରେ ଥିବା ଲୋକମାନେ ଗରିବ ଦାସକୁ ଆସି କୁହନ୍ତି – “ତୋ ପୁଅ ଗୋଟେ ହିଞ୍ଜିଡା। ସେ ଏଠି ଚଳି ପାରିବନି। ତାକୁ ତା ସମାଜରେ ଛାଡ଼ି ଆସେ। ନହଲେ ଆମେ ତାଙ୍କ ସମାଜକୁ ଖବର ଦେଇ ଦବୁ ସେମାନେ ଆସି ତାକୁ ନେଇଯିବେ।” ବସ୍ତି ଲୋକମାନଙ୍କର କଥା ଶୁଣି ଗରିବ ଦାସ ଆହୁରି ଦୁଃଖରେ ଭାଙ୍ଗିପଡେ। ତା ପରେ ଗରିବ ଦାସ ଚାଲିଯାଏ ଆରପାରିକୁ ଆଉ ଛାଡିଯାଏ ମେଘଦୂତକୁ। ମେଘଦୂତ ବାପାର ଅନ୍ତିମ ସଂସ୍କାର ସାରି ଚାଲିଯାଏ ତାଙ୍କ ହିଞ୍ଜିଡା ସମାଜକୁ। ଆଉ ଧୀରେ ଧୀରେ ସେ ମେଘଦୂତରୁ ପାଲଟି ଗଲା ମେଘା। ଦେହ ବେପାର କରି ସେ ବହୁତ ରୋଜଗାର କଲା। ଏହିପରି ଭାବରେ ମେଘାର ପରିଚୟ ଚାରିଆଡେ ଖେଳିଗଲା। ରାତି ଅଧରେ ରାସ୍ତା କଡରେ ଛିଡା ହେଇ ଲୋକମାନଙ୍କ ଭଡାରେ ଯାଏ।
ମେଦିନାପୁର ଗାଁର ଭରତ ଭୂୟାଁର ପୁଅ ଶଙ୍କର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାଏ। ସେଠାରେ ସେ ଶ୍ରମିକ ଭାବରେ କାମ କରେ। ଆଉ ଶ୍ରମିକ ଭିତରେ କାମ କରୁଥିବା ରୀତା ବୋଲି ଏକ ଝିଅକୁ ସେ ଭଲ ପାଏ ଏବଂ ପରିବାରକୁ ନଜଣାଇ ସେ ତାକୁ ବାହା ହୁଏ। ଶଙ୍କର ଭଲ ରୋଜଗାର କରୁଥାଏ। ପରିବାରକୁ ପ୍ରତି ମାସରେ ଟଙ୍କା ମଧ୍ୟ ପଠାଏ। ହଠାତ ମାଡି ଆସିଲା ମହାମାରୀ ରୋଗ କରୋନା। ସବୁ କାମ ବନ୍ଦ ହେଇଗଲା। ସରକାର ତାଲାବନ୍ଦ ଘୋଷଣା କଲେ। ଗାଡି, ମଟର ସବୁ ବନ୍ଦ ହେଇଗଲା। ଠିକାଦାର ଶ୍ରମିକମାନଙ୍କୁ ଘରୁ ବାହାର କରିଦେଲା। କିଛି ଉପାୟ ନ ପାଇଁ ଶ୍ରମିକମାନେ ଚାଲି ଚାଲି ଘରକୁ ଯିବେ ବୋଲି ନିଷ୍ପତି ନେଲେ। ସେମାନଙ୍କ ସହ ଶଙ୍କର ଆଉ ରୀତା ମଧ୍ୟ ଚାଲିଲେ। କିନ୍ତୁ ରୀତା ସେତେବେଳେ ୯ ମାସର ଗର୍ଭ ଧାରଣା କରିଥାଏ। ଘରକୁ ଏତେ ବାଟ ଯାଇପାରିବ ନାହିଁ। ରାଜ ରାସ୍ତାରେ ଚାଲୁ ଚାଲୁ ପରିବା ବୋଝେଇ ଏକ ଟ୍ରକକୁ ଶଙ୍କର ହାତ ଦେଖାଏ। ଟ୍ରକଟି ଛିଡା ହୁଏ। ଟ୍ରକ ଡ଼ାଲାରେ ପନିପରିବା ଭର୍ତି। ବସିବା ପାଇଁ ଜାଗା ନାହିଁ। ଆଗରେ ମଧ୍ୟ ଜାଗା ନଥାଏ ବସିବା ପାଇଁ। ତଥାପି ଶ୍ରମିକମାନେ ଟ୍ରକ ଡ୍ରାଇଭରକୁ ଅନୁରୋଧ କରନ୍ତି ଶଙ୍କର ଓ ରୀତାକୁ କୌଣସିମତେ ନେଇଯିବା ପାଇଁ। ଶେଷରେ ସେ ଦୁଇଜଣ ଟ୍ରକ ଡ଼ାଲାରେ ବସି ଘରକୁ ଫେରିଲେ। କିନ୍ତୁ ଟ୍ରକଟି ସେମାଙ୍କୁ ଅଧା ବାଟରେ ଓହ୍ଲାଇ ଦେଇ ଅନ୍ୟ ଏକ ବାଟରେ ଚାଲିଯାଏ। ସେଇଠୁ ତାଙ୍କ ଘର ମାତ୍ର ୪୦ କିଲୋମିଟର। ଦିନବେଳା ପ୍ରବଳ ଖରାରେ ରୀତା ଚାଲି ନ ପାରିବାରୁ ରାତିବେଳା ସେମାନେ ଚାଲି ଚାଲି ଘରକୁ ଆସୁଥାନ୍ତି।
ଏପଟେ ମେଘା ନିଜର ଦେହ ବେପାର ପାଇଁ ରାତି ଅଧରେ ରାସ୍ତା ଉପରେ ଲୋକଙ୍କ ଅପେକ୍ଷାରେ ଠିଆ ହେଇଥାଏ। କିନ୍ତୁ କରୋନା ଭୟରେ ଲୋକ କେହି ଘରୁ ବାହାରୁ ନାହାନ୍ତି। ରାସ୍ତା ପୁରା ଶୂନଶାନ। ସେହି ଶୂନଶାନ ରାସ୍ତାରେ ମେଘା ଦେଖେ ଦୁଇଟା ଲୋକ ରାସ୍ତା ଉପରେ ଚାଲି ଚାଲି ଆସୁଥାନ୍ତି। ହଠାତ ଶଙ୍କର ରାସ୍ତା ଉପରେ ଟଳି ପଡେ ଆଉ ରୀତାକୁ କୁହେ – “ମୁଁ ଆଉ ବଂଚିବନି।” ଠିକ ସେହି ସମୟରେ ମେଘା ସେମାନଙ୍କୁ ପାଖକୁ ଆସେ। ଅବସ୍ଥା ଦେଖି ମେଘା ଶଙ୍କରକୁ ଉଠାଇବାକୁ ଚେଷ୍ଟା କରେ। ଶଙ୍କର କିନ୍ତୁ ତାକୁ ମନା କରେ ଆଉ କୁହେ – “ମୁଁ ଆଉ ବଞ୍ଚିବିନି। ଏ ମୋର ସ୍ତ୍ରୀ ରୀତା, ତା ପେଟରେ ୯ ମାସର ପିଲାଟିଏ। ଆମ ଘର ଏଇଠୁ ମାତ୍ର ୨୫ କିଲୋମେଟର ଦୂରରେ। ମୁଁ ଚାଲିଗଲା ପରେ ମୋ ସ୍ତ୍ରୀକୁ ନେଇ ଆମ ଘରେ ଛାଡ଼ିଦେବ।” ତା ପରେ ଶଙ୍କର ଚାଲିଯାଏ।
ଦୁଃଖ କଷ୍ଟରେ ରୀତା ଶଙ୍କରର ଅନ୍ତିମ ସଂସ୍କାର କରେ। ମେଘା ରୀତାକୁ ନେଇ ତା ବାପ ଘରକୁ ଚାଲେ। ସକାଳ ହେଲା। ଗାଁ ପାଖେଇ ଆସିଲା। କିନ୍ତୁ କରୋନା ଭୟରେ ଗ୍ରାମବାସୀମାନେ ଗାଁ ଭିତରକୁ ପଶିବା ପାଇଁ ରାସ୍ତା ବନ୍ଦ କରି ଦେଇଛନ୍ତି। ମେଘା ରାସ୍ତାକୁ ଖୋଲେ, ଆଉ ସେ ସମୟରେ ମାଡି ଆସନ୍ତି ଗାଁ ଲୋକେ। ଗାଁ ଲୋକେ ପଚାରନ୍ତି – “ତମେ ମାନେ କିଏ, ଏଠାକୁ କାହିଁକି ଆସିଛ?” ମେଘା କହେ – “ଏ ଝିଅର ବାପ ଘର ଏ ଗାଁରେ। ସେ ଭରତ ଭୂୟାଁର ପୁଅ ଶଙ୍କରକୁ ବାହା ହେଇଚି। ତାଲାବନ୍ଦ ଯୋଗୁଁ ସେ ଦୁହେଁ ଚାଲି ଚାଲି ଘରକୁ ଫେରୁଥିଲେ କିନ୍ତୁ ଦେହ ଅସୁସ୍ଥ ଯୋଗୁଁ ଶଙ୍କର ବାଟରେ ଚାଲିଗଲେ।” ଏହା ଶୁଣି ଗାଁ ଲୋକେ ଆଶ୍ଚର୍ଯ୍ୟ ହେଇଗଲେ ଆଉ ସେଠାରେ ଥିବା ସଂକରର ବାପା ଭରତ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହେଇଯାଏ ଏବଂ କୁହେ – “ସେ ମୋର ବୋହୁ ନୁହେଁ। ଶଙ୍କର ତାକୁ ବାହା ହେଇଚି ବୋଲି ମୋତେ ସେ କେବେ କହିନି। ଆଉ ସେ ମୋର ବୋହୁ ହେଲା କେମିତି?” ରୀତା ଶଙ୍କରକୁ ବାହା ହେଇଥିବାର ଫୋଟୋ ପରିଚୟ ଦେଖାଏ। ତଥାପି ଭରତ ମାନିବାକୁ ନାରାଜ। ପେଟରେ ଥିବା ପିଲାଟା ଆଉ କାହାର କହି ଭରତ ତାକୁ ଗାଳିଗୁଲଜ କଲା। ତା ପରେ ଗାଁ ଲୋକେ ମିଶି ସେ ଦୁଇଜଣଙ୍କୁ ବେଶ୍ୟା ବୋଲି କହିଲେ। କରୋନା ହେଇଥିବ ଭାବି ସେମାନଙ୍କୁ ଗାଳିଗୁଲଜ କରିବା ସହ ଟେକା ମାଡ କଲେ। ଠିକ ସେହି ସମୟରେ ଏକ ବଡ ପଥରଟିଏ ରୀତାର ପେଟରେ ବାଜେ। ରୀତା ତଳେ ପଡ଼ିଯାଏ ଆଉ ଜୋରରେ ଚିତ୍କାର କରେ। ମେଘା ତାକୁ ଟାଣିନିଏ ଏକ ଗଛ ମୂଳକୁ। ରୀତା ଚିତ୍କାର କରୁଥାଏ, ବହୁତ କଷ୍ଟ ସହି ଶେଷରେ ସେ ଏକ ପୁଅଟିଏ ଜନ୍ମକରି ଆର ପାରିକୁ ଚାଲିଯାଏ।
ମେଘା ସେ ପୁଅକୁ ନେଇ ଗାଁ ଲୋକ ପାଖକୁ ଆସେ। ଆଉ କୁହେ – “ଦୁନିଆରେ ମଣିଷ ଜାତି ହିଁ ସବୁଠୁ ଶ୍ରେଷ୍ଠ ଜାତି। କିନ୍ତୁ ଆଜି ଦେଖିଲି ମଣିଷ ଜାତି ହଉଚି ସବୁଠି ହିଂସ୍ର ଜାତି। ପଶୁ ମାନଙ୍କଠୁ ବି ହୀନ ହେଇଗଲା ଆଜିର ଏ ମଣିଷ ଜାତି। କରୋନା ଭଳି ରୋଗ ଆମ ସମାଜରେ ବ୍ୟାପି ଥିବାରୁ ମଣିଷ ଆଜି ମଣିଷକୁ ଚିହ୍ନି ପାରୁନି। ବାପ ମେଡିକାଲରେ ମରିଗଲେ ମଧ୍ୟ ପୁଅ ଅନ୍ତିମ ସଂସ୍କାର ପାଇଁ ଆସୁନି। ମୁଁ ଧନ୍ୟବାଦ ଦେବି ଭଗବାନଙ୍କୁ ଯାହା ଆମ ହିଞ୍ଜିଡା ସମାଜରେ ଏମିତି ଭାବନା ନାହିଁ। ଯେପରି ଗୋଟେ କାଉ ମରିଗଲେ ଆଉଗୋଟିଏ କାଉ ଚିତ୍କାର କରି ଅନ୍ୟ କାଉମାନଙ୍କୁ ଜଣାଏ ଯେ, ଆମ ଭିତରୁ କିଏ ଜଣେ ଚାଲିଗଲା ଠିକ ସେହିପରି ହିଞ୍ଜିଡା ସମାଜରୁ କିଏ ଜଣେ ଚାଲିଗଲେ ଆମେ ଦୁଃଖରେ ଭାଙ୍ଗିପଡୁ ଆଉ କହୁ ଆମ ସମାଜରୁ କିଏ ଜଣେ ଚାଲିଗଲା। ମୁଁ ବହୁତ ଖୁସି ହିଞ୍ଜିଡା ସମାଜରେ ଜନ୍ମ ହେଇ। ଆଜିଠୁ ଏ ପୁଅକୁ ମୁଁ ପାଳିବି। ତାର ଭବିଷ୍ୟତ ମୁଁ ଗଢିବି।” ଏତିକି କହି ମେଘା ସେ ପୁଅକୁ ନେଇ ଗାଁରୁ ଚାଲିଯାଏ।
ଲକ୍ଷ୍ମୀସାଗର, ଭୁବନେଶ୍ୱର
