ସମ୍ପ୍ରତି କରୋନାକୁ ନେଇ ଯୁବ ଲେଖକ ଭବାନୀ ଶଙ୍କର ପଟେଲଙ୍କ ସୁନ୍ଦର୍ ଆଲେଖ୍ୟ କରୋନା ମହାମାରୀ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଆମ ସମସ୍ତଙ୍କୁ ଯକ୍ଷ୍ମା, କର୍କଟ, ମଧୁମେହ ରୋଗ ବିଷୟରେ ଉଣା ଅଧିକ ଜଣା ଅଛି। କିନ୍ତୁ ବର୍ତ୍ତମାନ ସମୟରେ ଏପରି ଏକ ରୋଗର ଜନ୍ମ ହୋଇଛି ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟୀକାର ଆଵିଷ୍କାର ହୋଇ ନାହିଁ, ତାହା ହେଲା ମାରାତ୍ମକ କରୋନା ରୋଗ। ବର୍ତ୍ତମାନ ଏହି କରୋନା ରୋଗଟି ସମଗ୍ର ଜନଜୀବନକୁ ଆତଙ୍କିତ କରିଛି। ବର୍ତ୍ତମାନ ମଣିଷସମାଜ କରୋନା ରୋଗର ଶିକାର ହୋଇଛି। କରୋନା ଏବେ ବିଶ୍ଵ ମହାମାରୀ ରୂପେ ଉଭା ହୋଇଛି। କରୋନା ରୋଗ ଚାଇନା ଦେଶର ଉହାନ ସହରରୁ ଗତ ବର୍ଷ ଡିସେମ୍ବର ମାସରେ ଜାତ ହୋଇଥିଲା ଏବଂ ଏଠାରୁ ସାରା ବିଶ୍ୱକୁ ସଂକ୍ରମିତ ହୋଇଥିଲା। ଏହା ବାଦୁଡ଼ି ଠାରୁ ମଣିଷ ଶରୀରକୁ ବ୍ୟାପିଥିବାର ଜଣା ପଡେ। ପୂର୍ବରୁ ମଧ୍ୟ ସ୍ବାଇନଫ୍ଲୁ, ପ୍ଲେଗ, ହଇଜା ଆଦି ମହାମାରି ମଣିଷକୁ ଆକ୍ରାନ୍ତ କରିଥିଲା ଓ ଅନେକଙ୍କର ଜୀବନ ମଧ୍ୟ ନେଇ ଥିଲା। କିନ୍ତୁ ଏହି ରୋଗଗୁଡ଼ିକ ତୁଳନାରେ କରୋନା ରୋଗର ପ୍ରଭାବ ଅଧିକ। ସାରା ପୃଥିବୀ ଏବେ କରୋନାରେ ପୀଡିତ। ବୁଢା ଠାରୁ ଛୁଆ, କଣା ଠାରୁ କୁଜା, ନେତାଙ୍କ ଠାରୁ ଜନତା, ରାଜା ଠାରୁ ପ୍ରଜା ସମସ୍ତଙ୍କ ପାଇଁ ରୋଗଟି ମୁଣ୍ଡବିନ୍ଧାର କାରଣ ପାଳଟିଛି। ବର୍ତ୍ତମାନ ବିଶ୍ବରେ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୪୩ ଲକ୍ଷ ଟପି ସାରିଛି ଓ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି। ଏହି ରୋଗ ପୃଥିବୀର ପାଖାପାଖି ଅଧାରୁ ଅଧିକ ଦେଶକୁ ବ୍ୟାପି ସାରିଛି।

ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଡାକ୍ତର, ନର୍ସ, ପୋଲିସ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଦିନ ରାତି ଏକ କରି ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ତାଙ୍କୁ ଆମେ ସମ୍ମାନ ଜଣାଇବା ଉଚିତ୍।

ଆମ ଦେଶ ଭାରତରେ ମଧ୍ୟ ଏହି ରୋଗ ତା’ର କାୟା ବିସ୍ତାର କରିସାରିଛି। ଦେଶର ପ୍ରଧାନମନ୍ତ୍ରୀ ଲୋକଙ୍କୁ ଧୌର୍ଯ୍ୟର ସହ ଏହାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଛନ୍ତି ଓ ଆତଙ୍କିତ ନ ହେବାକୁ କହିଛନ୍ତି। ସେ ‘ମନ କି ବାତ’ ଓ ପ୍ରେସ୍ରବିଜ୍ଞପ୍ତି ମାଧ୍ୟମରେ ଦେଶର ହିତ ପାଇଁ ପରାମର୍ଶ ମାନ ଦେଇଛନ୍ତି। ଏହି ରୋଗ ଠାରୁ ଛାଡ଼ ପାଇବା ପାଇଁ କେନ୍ଦ୍ରସରକାର ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଏବେ ତା’ର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭ୍ରାନ୍ତ ଧାରଣା ଓ ଗୁଜବଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଆମ ଦେଶର ସରକାର ଦେଶର ହିତ ପାଇଁ କୋଡିଏହଜାର କୋଟି ଟଙ୍କାର ବ୍ୟୟ ଅଟକଳ ମଂଜୁର କରିଛନ୍ତି। କରୋନାର ସୂଚନା ପାଇବା ପାଇଁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଆମ ରାଜ୍ୟ ସରକାର ମଧ୍ୟ ଲକଡାଉନ ନିୟମକୁ ପାଳନ କରି ଲୋକଙ୍କ ହିତ ପାଇଁ ଅନେକ ପ୍ରକାର ନିୟମ ବାହାର କରି ତାକୁ କାର୍ଯ୍ୟକାରୀ କରିଛନ୍ତି। ଏଇ ସମୟରେ ଶ୍ରମିକ ମାନଙ୍କ ଦୁଃଖର କଥା କହିଲେ ନ ସରେ। କିଛି ଶ୍ରମିକ ଭୋକ ଉପାସରେ ଅନ୍ୟ ରାଜ୍ୟରେ ଦିନ କଟାଉଛନ୍ତି ଓ ଭୋକକୁ ସହ୍ୟ କରି ନ ପାରି ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେ ପାଦ ରେ ଚାଲି ଚାଲି ନିଜର ପରିବାରକୁ ନେଇ ବାହାର ରାଜ୍ୟରୁ ଆମ ରାଜ୍ୟକୁ ଚାଲି ଆସୁଛନ୍ତି। ରାଜ୍ୟ ସରକାର ଆମ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟ ଗୁଡିକରୁ ଉଦ୍ଧାର କରି ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଅନେକ ସହୃଦୟ ଲୋକ ଓ ସମାଜସେବୀ ସଂଗଠନ “ସେବା ପରମୋ ଧର୍ମଃ” ର ବାର୍ତ୍ତାକୁ ମାନି ଅସହାୟ ଲୋକଙ୍କୁ ସେବାର ହାତ ବଢାଉଛନ୍ତି।

କଂଣ୍ଟେନ୍ଟମେଣ୍ଟ ଜୋନ, ବଫର ଜୋନ, ରେଡ଼ ଜୋନ, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ଆଦି ନାମରେ କିଛି ସ୍ଥାନକୁ ଘୋଷଣା କରି ରାଜ୍ୟ ସରକାର ବିଭିନ୍ନ ନିୟମକୁ ରାଜ୍ୟରେ ଲାଗୁ କରିଛନ୍ତି। ଏପରି ନୂଆଁ ନିୟମ ତଥା ନୁଆଁ ଶବ୍ଦ ସହ ଆମେ ପ୍ରଥମ ଥର ପାଇଁ ପରିଚିତ ହେଉଛୁ।
କିଛି ଅମାନିଆ ଲୋକଙ୍କ ପାଇଁ ଏହି ରୋଗ ଆହୁରି କ୍ଷୀପ୍ର ଗତିରେ ବଢିବାରେ ଲାଗିଛି। ଦିନକୁ ଦିନ ସକାରାତ୍ମକ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଭୟଙ୍କର ପରିସ୍ଥିତିରେ ଯଦି ଆମେ ସରକାରଙ୍କର ନିୟମକୁ ମାନି ଚଳିବା ତେବେ ଏ ରୋଗକୁ ଆମଠାରୁ ଏଡାଇପାରିବା। କିଛି ସ୍ଥାନରେ ପୋଲିସ ପ୍ରସାଶନ, ଡାକ୍ତରମାନେ କରୋନା ଭୁତାଣୁର ବେଶରେ ବା ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରୁଛନ୍ତି। ଆମେ ସମସ୍ତେ ଘରେ ରହିବା, ଜରୁରୀ କାମରେ ଘରୁ ବାହାରିଲେ ମୁହଁରେ ମାସ୍କ କିମ୍ବା ରୁମାଲ ପିନ୍ଧି ବାହାରିବା, ଦିନକୁ ୫ ରୁ ୬ ଥର ସାବୁନ କିମ୍ବା ସାନିଟାଇଜରରେ ଅତି କମରେ କୋଡିଏ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଓ ସାମାଜିକ ଦୂରତାକୁ ମାନି ଚଳିଲେ ଏହି ରୋଗକୁ ଶୀଘ୍ର ଏଡାଇପାରିବା। ଆମେ ଭୋକିଲା ଲୋକ କିମ୍ବା ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା। ଯଦି ଆମେ ସମସ୍ତେ “ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଅ” ବାର୍ତ୍ତାକୁ ପାଳନ କରି ସଚେତନତା ଅବଲମ୍ବନ କରିବା, ତେବେ ଏହି କରୋନା ରୋଗକୁ ଶୀଘ୍ର ହରାଇବାରେ ସଫଳ ହେବା।

ହିନ୍ଦୀ ବିଭାଗ ଛାତ୍ର
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
ବଲାଙ୍ଗିର, ମୋ-୮୨୪୯୦୪୭୦୭୮