ନବନୀତା ବ୍ୟୁରୋ। ମାନବ ସମାଜ ପ୍ରକୃତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ। ଗୋଟିଏ ଗଛ ପାଇଁ ମାନବ ସମାଜ କେତେ ଯେ ଲାଭଦାୟକ ହୋଇଥାଏ, ତାହା ଆମେ ସମସ୍ତେ ଜାଣିଛୁ। ହାରାହାରି ଗୋଟିଏ ବୃକ୍ଷ ବର୍ଷକରେ ପାଖାପାଖି ୬୦୦୦ ପାଉଣ୍ଡ ଅମ୍ଳଜାନ ଉତ୍ପାଦନ କରିଥାଏ।
ବର୍ତ୍ତମାନ ସମୟରେ ଗଛର ଅଭାବରେ ପ୍ରକୃତି ତା’ର ଭାରସାମ୍ୟ ହରାଇ ବସିଲାଣି। ଏହା ଫଳରେ ଅନେକ ପ୍ରକାର ବିପଜ୍ଜନକ ସମସ୍ୟା ମଧ୍ଯ ସୃଷ୍ଟି ହେବାର ଦେଖା ଦେଇଛି। ଆଜିର ଯୁଗରେ ମାଟି ରାସ୍ତା ସବୁ କଂକ୍ରିଟ ରାସ୍ତାରେ ପରିଣତ ହେବାରେ ଲାଗିଛି। ଏହି ପରିସ୍ଥିତିରେ ମଧ୍ଯ ଆମ ଘର ସମ୍ମୁଖରେ ଥିବା କୃଷ୍ଣଚୂଡ଼ା ଗଛ ସଦାସର୍ବଦା ନିଜର ବିରାଟକାୟ ଶାଖାକୁ ପ୍ରସାରିତ କରି ଅତିଥି ମାନଙ୍କର ସ୍ଵାଗତ ସତ୍କାର ପାଇଁ ଅପେକ୍ଷାରତ ରହିଥିବାର ଦୃଶ୍ୟ ମନେହୁଏ। ଏହି ବୃକ୍ଷର ଛାୟାକୁ ସ୍ପର୍ଶକରି କେତେ ଯେ ପଥିକ (ଲୋକ) ପ୍ରତିଦିନ ଏହି ରାସ୍ତା ଦେଇ ଅତିକ୍ରମ କରନ୍ତି, ତା’ର ଆକଳନ କରିବା ଅସମ୍ଭବ ଅଟେ। ଏହି କୃଷ୍ଣଚୂଡ଼ା ଗଛ କେତେ ଯେ ବିବାହଯାତ୍ରା ଓ ମଶାଣି ଯାତ୍ରା ଦେଖିଥିବ ତା’ର ଗଣନା ନାହିଁ। ଅନେକ ଯାନିଯାତ୍ରା ଶୋଭାଯାତ୍ରା ଆଦି ଏହି ଗଛଟିର ଛାୟାକୁ ସ୍ପର୍ଶକରି ଯାଇଛନ୍ତି। ସମୟର ସୁଅରେ ଗଛଟି ତା’ର ରୂପ ବଦଳାଇ ସାରିଛି ସିନା ହେଲେ ତା’ର ଶକ୍ତି, ସାମର୍ଥ୍ୟ, ଆଶା, ଆଙ୍କାକ୍ଷା ପୂର୍ବପରି ବଜାୟମାନ ରହିଛି। ଏହି ସମୟର ଗତିରେ ଆମେ ଆମର ଅନେକ ପ୍ରିୟପରିଜନଙ୍କୁ ହରେଇ ସାରିଛୁ ଏବଂ ଅନେକଙ୍କୁ ପାଇଛୁ ମଧ୍ଯ। ମୁଁ ଯେଉଁ ଗଛ ବିଷୟରେ ଏଠାରେ ଆଲୋଚନା କରୁଛି ତାହା ଆମ ଘର ସମ୍ମୁଖରେ ଥିବା କୃଷ୍ଣଚୂଡ଼ା ଗଛର କିଛି ସ୍ମୃତି। ଏହି ଗଛଟିକୁ ମୋର କାକା ତାଙ୍କର ହାଇସ୍କୁଲ ପଢୁଥିବା ସମୟରେ ଲଗାଇ ଥିଲେ। ଏଥିରୁ ଜଣାପଡ଼ୁଛି ଯେ ଛାତ୍ର ଜୀବନରେ ପିଲାମାନଙ୍କର ଗଛ ଲଗାଇବା ପ୍ରତି ଆଗ୍ରହ ରହିଥାଏ। ଆମ ଘରର ଚାରୋଟି ପିଢି଼ ଏହି ଗଛ ସହ ପରିଚିତ ଅଟୁ।
ଆମ ଘରସାମ୍ନା ରାସ୍ତାରେ କେବଳ ଆମ ଘର ସମ୍ମୁଖରେ ଏହି ଗଛଟି ଅଛି। ଦୂରରୁ ଏହି କୃଷ୍ଣଚୂଡ଼ା ଗଛର ଦୃଶ୍ୟ ବହୁତ ସୁନ୍ଦର ଭରା। ଏହି ଗଛଟି ଆମ ଘରର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ଵିଗୁଣିତ କରେ। ବେଳେ ବେଳେ ଏହି ଗଛଟି ଆମ ଘରର ସଦସ୍ୟ ମାନଙ୍କ ପରିଚୟର ମାଧ୍ୟମ ମଧ୍ଯ ପାଲଟିଛି।
ଆମ ପରିବାରର ସଦସ୍ୟମାନେ ବସି ଯେତେବେଳେ ଗପସପ କରୁ ସେହି ସମୟରେ କାହାରି ନା କାହାରି ମୁହଁରୁ ଏହି ଗଛଟିର ଗୁଣଗାନ ବାହାରି ଆସେ। ଗୁରୁଜନ ମାନେ ଗଛର ଇତିହାସ ବଖାମି ଥା’ନ୍ତି, ଛୋଟପିଲାର ସାମ୍ନାରେ। ଏହି କୃଷ୍ଣଚୂଡ଼ା ଗଛ ବିଷୟରେ ଯେମିତି ବି ହେଉ କିଛି ନା କିଛି ଚର୍ଚ୍ଚା ନିଶ୍ଚେ ହୋଇଥାଏ।
ବେଳେ ବେଳେ ଏହି ଗଛମୂଳ ମୁଖ୍ୟତଃ ଗ୍ରୀଷ୍ମୁଋତୁ ସମୟରେ ପଥିକଙ୍କ ପାଇଁ ବିଶ୍ରାମସ୍ଥଳୀ ପାଳଟି ଯାଏ ତ ବେଳେ ବେଳେ ଗାଡିଚାଳକଙ୍କ ପାଇଁ ଆଶ୍ରୟସ୍ଥଳୀ ପାଳଟି ଯାଏ। ଏହି ଗଛଟିର ପବନରେ ମନ ଶାନ୍ତି ହୋଇଯାଏ। ଏହାର କରୋଡ଼ରେ କେତେ ଯେ ପକ୍ଷୀ ଆଶ୍ରୟ ନ ନେଇଛନ୍ତି, ଏହି ଗଛର ଫୁଲରୁ କେତେ ଯେ କୀଟପତଙ୍ଗ ମଧୁ ସଂଗ୍ରହ କରି ସାରିଛନ୍ତି। ଏହି ଗଛମୂଳେ ଥିବା ଏକ ଛୋଟିଆ ପାଣିକୁଣ୍ଡରୁ ଅନେକ ଗୋରୁ ଗାଈ ତଥା ପଶୁପକ୍ଷୀ ମାନେ ନିଜର ଶୋଷ ମେଣ୍ଟାଇ ସାରିଛନ୍ତି। ମୁଁ ସ୍କୁଲରେ ପଢୁଥିବା ସମୟରେ ପ୍ରାୟ ସବୁ ପର୍ବପର୍ବାଣୀରେ ଏହି ଗଛଟିର ଫୁଲକୁ ପୂଜା ପାଇଁ ନେଇ ଯାଇଛି। ଏହି ଗଛର ଫୁଲ ଅନେକ ପୂଜାର ମାଧ୍ୟମ ହୋଇ ଭଗବାନଙ୍କ ଚରଣ ସ୍ପର୍ଶ ମଧ୍ଯ କରିଆସୁଛି। ଏହି କୃଷ୍ଣଚୂଡ଼ା ଗଛଟିର ଫୁଲ,ଫଳ ଏବଂ କଢ଼ ଆଦି ଅନେକଙ୍କର ପିଲା ବେଳର ସ୍ମୃତି ସହିତ ଜଡିତ, ସେଥିରୁ ମୁଁ ଯେ କେମିତି ବା ବାଦ୍ ପଡ଼ିବି।
ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏହି ଗଛଟିର ଶାଖା ଶ୍ରୀଜଗନ୍ନାଥଙ୍କ ରଥର ଚଲାପଥକୁ ଅବରୋଧ କରୁଥିବାରୁ, ଏହାର କୋମଳ ଶାଖାକୁ ପୌରସଂସ୍ଥାର କର୍ମଚାରୀ ମାନଙ୍କ ଦ୍ୱାରା କାଟିଦିଆ ଯିବାର ମୁଁ ଦେଖିଛି। ଏହା ବାଦ୍ ମଧ୍ଯ ଏହି ଗଛ ତା’ର ବିସ୍ତାର କରି ଦୃଢ଼ତାର ସହ ବିଶାଳକାୟ ରୂପ ଧାରଣ କରିବାରେ ପଛାଇ ନାହିଁ। ପ୍ରତିବର୍ଷ ଚୈତ୍ର ମାସରେ ସ୍ଥାନୀୟ ରାମଜୀ ମନ୍ଦିରରେ ରାମଳୀଲା ହେଉଥିଲା ଏବଂ ସେଠାରେ ଏହି ଗଛଟିର ଫୁଲ, ଶାଖାକୁ ସୌନ୍ଦର୍ଯ୍ୟକରଣରେ ବ୍ୟବହାର କରାଯାଉଥିବାର ମୁଁ ଦେଖିଛି। ଏହି ଗଛର ମଂଜିକୁ କେତେ ଯେ ଲୋକ ନ ନେଇଛନ୍ତି , ନୂଆଁ ଗଛ ଟିଏ ଗଢ଼ି ତୋଳିବାର ଆଶା ନେଇ। କେତେକଙ୍କୁ ଏହା ଜାଲେଣି ମଧ୍ଯ ଦେଇ ଆସୁଛି। ମୋର ଅଜା ଏହି କୃଷ୍ଣଚୂଡ଼ା ଗଛମୂଳେ ନିଜ ବନ୍ଧୁପରିଜନଙ୍କ ସହ ମିଶି ତାସ୍ ଖେଳର ମଜା ନେଇ ସାରିଛନ୍ତି। ଏହି ଗଛମୂଳେ ଏକ ଚା ବିକାଳି ଦୀର୍ଘବର୍ଷ ଧରି ତାଙ୍କର ବ୍ୟବସାୟ କରି ଆସୁଛନ୍ତି। କେତେ ଯେ ଲୋକ ଏ ଗଛମୂଳେ ଟିକେ ବିଶ୍ରାମ କରି, ତାର ମଜା ନେଇ ନିଜର ଦୁଃଖ-ସୁଖର କଥା ଅନ୍ୟ ସହ ବାଣ୍ଟିଛନ୍ତି ତା’ର ମଧ୍ଯ ଗଣନା ନାହିଁ। ସେଥିରୁ ମୁଁ ଯେ କେମିତି ବା ବାଦ୍ ପଡିବି।
ଅନେକ କହନ୍ତି ଗଛଟି ବୟସ୍କ ହୋଇ ବସିଲାଣି, କିନ୍ତୁ କେତେ ଯେ କେଜାଣି ଏହି ବୟସ୍କ ଗଛ ଥିବା ଭିତରେ ନିଜେ ବୟସ୍କ ହୋଇ ଏ ଧରାପୃଷ୍ଠ ସାରିଲେଣି। ରାସ୍ତା ପ୍ରଶସ୍ତିକରଣ ସମୟରେ ଗଛଟିକୁ କଟା ଯିବାର ଥିଲା, କିନ୍ତୁ ସର୍ବସମ୍ମତ କ୍ରମେ ଗଛକୁ ନ କାଟିବା ପାଇଁ ନିର୍ଣ୍ଣୟ ନିଆ ଯାଇଥିଲା। ଏହି ଗଛମୂଳେ ମୋର ପୂର୍ବପୁରୁଷ ସମୟ ଅତିବାହିତ କରିସାରିଛନ୍ତି, ମୁଁ ମଧ୍ଯ ମୋ ବାପାଙ୍କ ସହ ଏହି ଗଛମୂଳେ ବସି ଅନେକ ସତ୍ ଶିକ୍ଷା ପାଇବାର ସୁଯୋଗ ଲାଭ କରିଛି।
ବେଳେ ବେଳେ ଏହି ଗଛର କାଣ୍ଡରେ ବିଜ୍ଞାପନ ପୋଷ୍ଟର ମାନ ଟଙ୍ଗା ହେବାର ମଧ୍ଯ ମୁଁ ଦେଖିଛି। ମୁଁ ଦେଖିଛି, ଏହି ଗଛରେ କେତେକ ରାଜନୈତିକ ଦଳ ଭୋଟ ସମୟରେ ତାଙ୍କର ଦଳୀୟ ସଂକେତର ପୋଷ୍ଟର ଓ ପତାକା ଲଗାଇ ଥିବାର। ତା’ସହ ପର୍ବପର୍ବାଣୀ ସମୟରେ ଏହି ଗଛରେ ଆଲୋକମାଳା ସଜାଇ ହୋଇଥିବାର ମୁଁ ଦେଖିଛି। ଆଉ ମଧ୍ଯ ଅନେକ କଥା ଥିବ, କିନ୍ତୁ ତାହା ମୋର ସ୍ମୃତି ବାହାରେ। ଚିର ଦିନ ପାଇଁ ଏହି କୃଷ୍ଣଚୂଡ଼ା ଗଛ ଆମ ଘରର ସଦସ୍ୟ ମାନଙ୍କର ସ୍ମୃତିରେ ଜଡିତ ହୋଇ ରହିଛି ଓ ରହିବ ମଧ୍ଯ।
‘ବୃକ୍ଷ ହିଁ ଜୀବନ’ ର ବାର୍ତ୍ତା ଦେଇ ମୁଁ ସମସ୍ତଙ୍କୁ ଜୀବନରେ ଗୋଟିଏ ଗଛ ଲଗାଇ,ତା’ର ଯତ୍ନ ନେବା ପାଇଁ ଅନୁରୋଧ କରୁଛି ।
ହିନ୍ଦୀ ବିଭାଗ ଛାତ୍ର,
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,
ବଲାଙ୍ଗିର, ମୋ-୮୨୪୯୦୪୭୦୭୮
