ନବନୀତା ବ୍ୟୁରୋ। ଭାରତବର୍ଷର ଶାସ୍ତ୍ରୀୟ ତଥା ପ୍ରଥମ ଆଧୁନିକ କବି ଭାବରେ କବି ଜୟଦେବ ଅଗ୍ରଗଣ୍ଯ। ସମଗ୍ର ଭାରତବର୍ଷର ପ୍ରାତଃସ୍ମରଣୀୟ କବି ମାନଙ୍କ ମଧ୍ଯରେ ଉତ୍କଳୀୟ କବି ଶ୍ରୀ ଜୟଦେବ ନିସନ୍ଦେହରେ ଜଣେ ଅପ୍ରତିନ୍ଦ୍ବନ୍ଦୀ କବି। ସଂସ୍କୃତରେ ରଚିତ ତାଙ୍କର ଶ୍ରୀଗୀତଗୋବିନ୍ଦ କାବ୍ୟ ଏକ ଅନବଦ୍ୟ କୃତି। ଦ୍ବାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ଯଲୀଳାକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି। ଏହାର ଲଳିତ ସୁନ୍ଦର ପଦାବଳୀ କେବଳ ଶ୍ରୀକ୍ଷେତ୍ରରେ ନୁହେଁ ସାରା ବିଶ୍ବରେ ଆଦୃତି ଲାଭ କରିଛି। ଏଯାବତ୍ ଏହାର ୫୦ ଖଣ୍ଡ ଟୀକା ଏବଂ ଶହେ ପଞ୍ଚାବନ ଖଣ୍ଡ ଅନୁଋପ କାବ୍ୟ ରଚିତ ହୋଇଛି। ଫରାସୀ, ଇଂରାଜୀ, ଋଷୀୟ ଆଦି ବିଭିନ୍ନ ଭାଷାରେ ଏବଂ ଭାରତର ବହୁ ପ୍ରାଦେଶିକ ଭାଷାରେ ଏହି କାବ୍ଯର ଅନୁବାଦ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଛି। ସୁତରାଂ କବି ଭାବରେ ଶ୍ରୀ ଜୟଦେବ ସାରା ବିଶ୍ବରେ ମାନ୍ଯତା ଲାଭ କରିଛନ୍ତି।
ପବିତ୍ର ଶ୍ରୀଜଗନ୍ନାଥଙ୍କ ଭୂମି ପୁରୀଠାରେ ଭାରତର ବହୁ ଧାର୍ମିକ ପରମ୍ପରା ସ୍ରୋତ ପ୍ରବାହିତ ହୋଇଥିବାରୁ ଏହାକୁ ସର୍ବଶ୍ରେଷ୍ଠ ବୈଷ୍ଣବ କ୍ଷେତ୍ର କୁହାଯାଏ। ମୈଥିଳୀ ପଣ୍ଡିତ କେଶବ ମିଶ୍ର, ଚନ୍ଦ୍ରଦତ୍ତ ରାଘବ ଦାସଙ୍କ ଭକ୍ତମାନେ ଚତୁର ଦାସ ଟୀକା, ଗ୍ବାଲିୟର ନିବାସୀ ନାଭୋଜୀ, ମହାରାଷ୍ଟ୍ର ନିବାସୀ ମହିପତି ଓ ପ୍ରିୟଦାସଙ୍କ ଭକ୍ତିରସ ବୋଧିନୀରେ ଲେଖିଛନ୍ତି ଯେ ପୁରୀଠାରୁ ଅଳ୍ପଦୂରରେ ପବିତ୍ର ପ୍ରାଚୀନଦୀ କୂଳରେ ଥିବା କେନ୍ଦୁବିଲ୍ୱ ଜୟଦେବଙ୍କ ଜନ୍ମସ୍ଥାନ। ଆସାମୀ ଭାଷାରେ ଲିଖିତ କୁଳଦୀପକ ଗ୍ରନ୍ଥରେ, ଆନ୍ଧ୍ରରେ ଲିଖିତ ସଂସ୍କୃତ କବି ଜୀବନୀଗ୍ରନ୍ଥରେ, ମହାରାଷ୍ଟ୍ରର ଶ୍ରୀ ହରିଦାସ ହୀରାଚାନ୍ଦଙ୍କ ପୁସ୍ତକରେ ଡ଼ଃ ପର୍ଶୁରାମ ଚତୁର୍ବେଦୀଙ୍କ ଗ୍ରନ୍ଥ “ଉତ୍ତର ଭାରତୀକ ସନ୍ଥ ପରମ୍ପରା ପୁସ୍ତକରେ ମଧ୍ଯ ଜୟଦେବ ଓଡ଼ିଶାରେ ଜନ୍ମ ବୋଲି ଲେଖାଯାଇଛି। କିନ୍ତୁ ବଙ୍ଗୀୟ କବି ବନମାଳୀ ଦାସ ତାଙ୍କର ଜୟଦେବ ଚରିତ ପୁସ୍ତକରେ ଜୟଦେବଙ୍କୁ ବଙ୍ଗଦେଶର ବୀରଭୂମି ଅନ୍ତର୍ଗତ ଅଜୟ ନଦୀତୀରର କେନ୍ଦୁଲୀ ବାସୀ ବୋଲି ଲେଖିଲେ। ତା’ପରେ ବିଭିନ୍ନ ସମୟ ଓ ସ୍ଥାନରେ ବଙ୍ଗୀୟମାନେ ଉଦ୍ଯମ କରିଛନ୍ତି ଜୟଦେବଙ୍କ ଜନ୍ମସ୍ଥାନ ବଙ୍ଗଦେଶରେ ବୋଲି ପ୍ରମାଣ କରିବା ପାଇଁ।
ବଙ୍ଗୀୟ ଭାଷାରେ କେନ୍ଦୁଲୀ ଶବ୍ଦର ଅର୍ଥ ‘ମେଳା’। ଐତିହାସିକ ଡ଼କ୍ଟର ସୁକୁମାର ସେନଙ୍କ ମତରେ ଅଜୟ ନଦୀ କୂଳରେ କେନ୍ଦୁଲୀ ନାମରେ କୌଣସି ରାଜସ୍ବ ଗ୍ରାମ ନାହିଁ କିମ୍ବା ଏକଦା କୌଣସି ଗ୍ରାମ ଥିବା ନେଇ କୌଣସି ପ୍ରମାଣ ନାହିଁ। ପ୍ରତିବର୍ଷ ଅଜୟ ନଦୀ କୂଳରେ ଯେଉଁ ସ୍ଥାନରେ ବାଉଲୀ ମାନଙ୍କର କେନ୍ଦୁଲୀ ମେଳା ଅନୁଷ୍ଠିତ ହୁଏ ସେହି ସ୍ଥାନରୁ ଗଙ୍ଗାନଦୀ ପ୍ରାୟ ଷାଠିଏ କିଲୋମିଟର ଦୂର ହୋଇଥିବାରୁ ପ୍ରତିଦିନ ଜୟଦେବ ଗଙ୍ଗାନଦୀରେ ସ୍ନାନ କରୁଥିବା ତଥ୍ଯ ଏକାନ୍ତ ହାସ୍ଯାସ୍ପଦ। ଯେଉଁ ମନ୍ଦିରରେ ଜୟଦେବ ପୂଜା କରୁଥିବା ଦର୍ଶାଯାଇଛି ତାହାକୁ ୧୬୮୩ରେ ବର୍ଦ୍ଧମାନର ରାଜମାତା ତିଆରି କରାଇଥିବା ରାଧାବିନୋଦ ମନ୍ଦିର। ଡ଼କ୍ଟର ଆଶୁତୋଷ ଭଟ୍ଟାଚାର୍ଯ୍ୟ ଜୟଦେବଙ୍କୁ ଲକ୍ଷ୍ମଣସେନଙ୍କ ରାଜଦରବାରର କବି ବୋଲି ଅସ୍ବୀକାର କରିବା ସହ ଏହା କହିଛନ୍ତି; ମଧ୍ବାଚାର୍ଯ୍ଯଙ୍କ ପ୍ରବର୍ତ୍ତିତ ବୃନ୍ଦାବନ ଲୀଳାରେ ଶ୍ରୀରାଧା ନ ଥିଲେ। ଦ୍ବାଦଶ ଶତାବ୍ଦୀ ପୂର୍ବରୁ ଗୀତଗୋବିନ୍ଦ ରଚନା ହୋଇ ସାରିଥିବା ବେଳେ ବଲ୍ଲଭାଚାର୍ଯ୍ଯ ଓ ଶ୍ରୀଚୈତନ୍ୟ ଷୋଡ଼ଶ ଶତାବ୍ଦୀରେ ପୁରୀ ଆସିଲାପରେ ରାଧା ପୂଜାକୁ ଗୁରୁତ୍ବ ଦେଇଥିଲେ। କିଛିବର୍ଷ ତଳେ ବଙ୍ଗୀୟ ପ୍ରସିଦ୍ଧ ଇତିହାସ ଗବେଷକ ଡ଼କ୍ଟର ସତ୍ଯକାମ ସେନଗୁପ୍ତ ଓ ବଙ୍ଗର ପ୍ରତ୍ନତତ୍ତ୍ଵବିଦ ଗବେଷକ ଡ଼କ୍ଟର ଚକ୍ରବର୍ତ୍ତୀ ଅଂଶଗ୍ରହଣ କରିଥିବା ଉଭୟ ଭୁବନେଶ୍ୱର ଓ ଦିଲ୍ଲୀ ସେମିନାରରେ ଜୟଦେବ ଓଡ଼ିଶାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁବିଲ୍ୱ ନାମକ ସ୍ଥାନରେ ଜନ୍ମ ହୋଇଥିଲେ ବୋଲି ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି।
ଗୀତଗୋବିନ୍ଦ କାବ୍ୟର ସର୍ବପ୍ରଥମ ଟୀକାକାର ହେଉଛନ୍ତି ଉଦୟନ। ଯିଏକି ଭୁବନେଶ୍ୱର ସ୍ଥିତ ମେଘେଶ୍ଵର ମନ୍ଦିରର ଅଭିଲେଖାକାର। ଗଙ୍ଗବଂଶୀ ରାଜା ରାଜରାଜ (୨ୟ) ଙ୍କର ଭଗିନୀପତି ସ୍ବପ୍ନେଶ୍ୱର ଦେବ ହେଉଛନ୍ତି ମେଘେଶ୍ଵର ମନ୍ଦିରର ନିର୍ମାତା। ୧୧୭୦ ରୁ ୧୧୯୪ ପର୍ଯ୍ୟନ୍ତ ରାଜରାଜଙ୍କ ରାଜତ୍ବ ଅବଧି ଥିବା ହେତୁ ଗୀତଗୋବିନ୍ଦର ରଚନା ୧୧୭୦ ପୂର୍ବରୁ ଶେଷ ହୋଇଥିବା ସହଜେ ଅନୁମେୟ। ଉଦୟନଙ୍କ ଜ୍ଯେଷ୍ଠଭ୍ରାତା ଗୋବର୍ଦ୍ଧନ ଆଚାର୍ଯ୍ୟ କୃତିକୁ ଅନୁଧ୍ଯାନ କଲେ ଏହା ସ୍ପଷ୍ଟ ପ୍ରମାଣିତ ହୁଏ ଯେ ସେ ଗୋବର୍ଦ୍ଧନଙ୍କ ପୂର୍ବରୁ ପ୍ରତିଷ୍ଠା ଲାଭ କରିସାରିଥିଲେ। ତେଣୁ ଗୀତଗୋବିନ୍ଦ ରଚନା ୧୧୫୦ ଖ୍ରୀଷ୍ଟାବ୍ଦ ବେଳକୁ ଶେଷ ହୋଇ ସାରିଥିବା ବିଶ୍ବାସଯୋଗ୍ୟ। ଅପରପକ୍ଷରେ ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁବିଲ୍ୱ(କେନ୍ଦୁଲୀ) ରେ ଷଷ୍ଠ/ସପ୍ତମ ଶତାବ୍ଦୀର ବହୁ ପ୍ରତ୍ନତାତ୍ତ୍ୱିକ ଅବଶେଷ ଦେଖିବାକୁ ମିଳେ। ଏଥିରୁ ମିଳିଥିବା ଲକୁଳିଶା, ଭୈରବ ମାଧବ ଏବଂ ଅମ୍ବିକାଙ୍କର ଦ୍ବିଭୂଜ ଅବୟବକୁ କବି ଜୟଦେବଙ୍କର ବୋଲି ବିଶ୍ବାସ କରାଯାଏ। କେନ୍ଦୁଲୀ ଠାରେ ଅବସ୍ଥିତ ଜରାଜୀର୍ଣ୍ଣ ଅମ୍ବିକା ମନ୍ଦିରର ଦ୍ବାରବନ୍ଧରେ ଦ୍ବାଦଶ ଶତାବ୍ଦୀ କାଳର ଏକ ଅଭିଲେଖ ଦେଖିବାକୁ ମିଳେ। ଏହି ଅଭିଲେଖରେ “ଜୟ ଜଗଦୀଶ ହରେ” ବାକ୍ଯର ସ୍ଥାନିତ ହେବା ଜୟଦେବଙ୍କ ଗୀତଗୋବିନ୍ଦର ରଚନା ସମୟ ୧୨୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ବୋଲି ପ୍ରମାଣିତ ହେଉଛି। ଯାହାର ଦୃଢ଼ ପ୍ରମାଣ ସ୍ବରୂପ ଅଭିଲେଖରେ ରଚନା କାଳ ୧୧୧୨ ଶକାବ୍ଦ ଅର୍ଥାତ୍ ୧୧୯୦ ଖ୍ରୀଷ୍ଟାବ୍ଦ ବୋଲି ସ୍ପଷ୍ଟ ଲିଖିତ ଅଛି।
ଭାରତ ସରକାରଙ୍କର ପବ୍ଲିକେଶନ ଡ଼ିଭିଜନ ଗୀତଗୋବିନ୍ଦକୁ ୨୦୦୬ ରେ ପ୍ରକାଶନ କରିଛନ୍ତି ଏବଂ ଏହାର ଦ୍ବିତୀୟ ସଂସ୍କରଣ ୨୦୧୦ ରେ ପ୍ରକାଶିତ ହେଲା। ଏଥିରେ ସ୍ପଷ୍ଟ ଭାବରେ ଜୟଦେବଙ୍କ ଜନ୍ମସ୍ଥାନ ଓଡ଼ିଶାରେ ବୋଲି ଉଲ୍ଲେଖ ଅଛି ଏବଂ ଏ ବିଷୟରେ ଓଡ଼ିଶାରେ ଗବେଷଣାଲବ୍ଧ ସମସ୍ତ ତଥ୍ଯକୁ ସ୍ଥାନିତ କରିଛନ୍ତି। ଓଡ଼ିଶା ସରକାରଙ୍କର ଅନୁରୋଧ କ୍ରମେ ଭାରତ ସରକାର ୨୦୧୩ରେ ଶ୍ରୀଜୟଦେବ ଏବଂ ଦଶାବତାରଙ୍କ ଚିତ୍ର ସମ୍ବଳିତ ୧୧ଟି ଡାକଟିକଟ ପ୍ରଚଳନ କରିଛନ୍ତି। ଭାରତୀୟ ଡାକଟିକଟ ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ଼। କେନ୍ଦ୍ର ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ କେନ୍ଦୁବିଲ୍ବ ଗ୍ରାମପଞ୍ଚାୟତ ର ନାମ ଜୟଦେବ ଗ୍ରାମପଞ୍ଚାୟତ ରଖାଯାଇଛି। ଏବେ ପ୍ରତ୍ଯେକ ଓଡ଼ିଶାବାସୀ ଗର୍ବର ସହ କହିପାରିବେ ଜୟଦେବଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲା।
ବାରିପଦା
