ନବନୀତା ବ୍ୟୁରୋ। ସପିଙ୍ଗ ମଲରେ କେଉଁଦିନ ବାଘ, କେଉଁଦିନ ଭାଲୁ ଆଉ ବଡ଼ ଦିନ ପାଇଁ ସାନ୍ତା କ୍ଲଜ ଏମିତି ଭେଳିକି ଭେଳି ବେଶଭୂଷା ହେଇ ମିଳୁଥିବା ମଜୁରୀରେ ଘର ଚଳୁଥିଲା ରଘୁଆର । ସ୍ତ୍ରୀ, ପୁଅ,ଝିଅକୁ ନେଇ ଚାରି ପ୍ରାଣୀର ସଂସାର । ଆମ ଗାଁ ପାଖ ଗାଁରେ ତାର ଘର ବୋଲି ଜାଣିଥିଲି ଏଇ ସହରକୁ ଆସିଲା ପରେ ।
କେବେଥରେ ଦେଖାହେଇ ପରିଚୟ ଦେଇଥିଲା ଆଉ ଫୋନ ନମ୍ବରଟା ଦେଇ କହିଥିଲା,
: “ସାର୍ ମୋ ଫୋନରେ ଵାଲାନ୍ସ ନଥାଏ । କେବେ ଦରକାର ପଡ଼ିଲେ ମୁଁ ମିସ୍ କଲ ଦେବି ଆପଣ ଫୋନ କରିବେ ।”
: “ହଁ କିଛି ବି ଦରକାର ହେଲେ, ନିଶ୍ଚିତ ଫୋନ କରିବ କହିଥିଲି।”
ମୁଁ ନିୟମିତ ସପିଙ୍ଗ ମଲ ଯିବା ଲୋକ ନୁହଁ, ତଥାପି କେବେ କେମିତି ସପିଙ୍ଗ ମଲରେ ଦେଖା ହୁଏ ବାଘ ଅବା ଭାଲୁ ବେଶରେ ଥିବା ବେଳେ କିନ୍ତୁ କଥା ହେବା କି ସମ୍ଭବ! ମାଲିକ୍ ର ହୁକୁମ ଟିକେବି ବସି ହବନି, ସପିଙ୍ଗ ପାଇଁ ଆସୁଥିବା ସମସ୍ତଙ୍କୁ ଖାସ୍ କରିକି ପିଲାମାନଙ୍କୁ ଭଳିକି ଭଳି ଅଙ୍ଗଭଙ୍ଗି ଦେଖେଇ ମନୋରଞ୍ଜନ କରିବାକୁ ପଡ଼ିବ।
କ୍ରିଷ୍ଟମାସ୍ ପୂର୍ବ ଦିନ ପିଲାଦୁହେଁ ସାନ୍ତାକ୍ଲଜ ଡ୍ରେସ୍ ଆଣିବାକୁ ଅଳି କରିଥିଲେ । ଦେହରେ ଜ୍ଵର ଜ୍ଵର ଭଳି ଲାଗୁଥିଲା, ହେଲେ ବି ଟିକେ ଡେ଼ରିରେ ମଧ୍ୟାନ୍ନ ପରେ ଯାଇଥିଲା, ମଜୁରୀ ମିଳିଲେ ପିଲାଙ୍କ ପାଇଁ ସାନ୍ତାକ୍ଲଜ ଡ୍ରେସ୍ ଆଣିବ। ହେଲେ ମାଲିକଙ୍କ ଠାରୁ ଗାଳି ଶୁଣିବାକୁ ମିଳିଥିଲା ।
: “ରାତି ପହିଲେ କ୍ରିଷ୍ଟମାସ୍, କେତେ ଲୋକ ମାର୍କେଟିଂ କରିବାକୁ ଆସୁଛନ୍ତି । ତୁ ଏଇ ସମୟରେ ବାହାନା କରି ଡେ଼ରିରେ ଆସୁଛୁ ? ଚାକିରୀ କରିବାକୁ ଇଛା ନାହିଁ କି ତୋର ? ଆଜି ଦରମା ତୋର ଅଧା କାଟିଦେବି। ଇରେସ୍ପନସିବଲ.. ଇଡ଼ିଅଟ..” ମାଲିକ ଗାଳି କରି କହି ଦେଇଥିଲେ ଆଉ ମିଳିଥିଲା ଅଧା ଦରମା।
ପିଲା ଦୁହେଁ ଡେ଼ରି ରାତି ଯାଏଁ ଜଗିଥିଲେ ସାନ୍ତାକ୍ଲଜ ଡ୍ରେସ୍ ପାଇଁ କିନ୍ତୁ ଅଧା ମଜୁରିରେ ଡ୍ରେସ୍ ତ ଦୂରର ସେଦିନ ପେଟ ପୁରା ଖାଦ୍ୟ ବି ମିଳିଲାନି ପରିବାରକୁ । କାଲି ନିଶ୍ଚିତ ସାନ୍ତା କ୍ଳଜ ଡ୍ରେସ୍ ଆଣିଦେବ ବୋଲି କଥା ଦେଲା ପିଲାଙ୍କୁ ରଘୁଆ ଆଉ ସପିଙ୍ଗ ମଲରୁ ଖାଇକି ଆସିଛି କହି ଖାଲି ପେଟରେ ଶୋଇ ପଡିଲା।
ପରଦିନ ଥିଲା କ୍ରିଷ୍ଟମାସ୍ ବଡ଼ ଦିନ । ଦେହଟା ବିଲକୁଲ ଭଲ ଲାଗୁନଥିଲା, ଦେହହାତ ପ୍ରବଳ ବିନ୍ଧୁ ଥାଏ ।
:” ଡାକ୍ତର ପାଖକୁ ଯାଇ ଔଷଧ ଆଣିଦିଅ, ଦେହ ଟିକେ ଭଲ ହେଲେ ଯିବ ଉପରଉଳିକୁ ” ରଘୁଆର ସ୍ତ୍ରୀ କହିଲେ ।
:” ଆଜି ବଡ଼ ଦିନ ବହୁତ ଲୋକ ମାର୍କେଟିଂ କରିବାକୁ ଆସିବେ ପିଲାପିଲି ଆଉ ପରିବାରକୁ ଧରି, ମୁଁ ଡେରିକଲେ ଚାକିରୀ ଯିବ ଜାଣ । ଆଜି ପିଲାଙ୍କ ପାଇଁ ସାନ୍ତା କ୍ଳଜ ଡ୍ରେସ୍ ବି ଆଣିବାକୁ ହେବ, ଡେରି ନକରି ଚା ଟିକେ ଦେ ମୁଁ ବାହାରି ଯିବି।”
ରଘୁଆ ପହଞ୍ଚି ଯାଇଥିଲା ସପିଙ୍ଗ ମଲରେ । ଦିନରେ କଣ ଖାଇଛି କି ନାହିଁ କାହାକୁ ଜଣା ନାହିଁ । ମୁଁ ପୁଅକୁ ଧରି ପ୍ରାୟ ସନ୍ଧ୍ୟା ସାତଟା ହେବ ଯାଇଥାଏ । ସପିଙ୍ଗ ମଲରେ ପଶିଲା ବେଳେ ଦେଖିଲି ସେ ସାନ୍ତା କ୍ଳଜ ବେଶ ହେଇ ଠିଆ ହୋଇଥିଲା । କେତେ ଝିଅ, ପୁଅ କୁନି ପିଲାମାନେ ସେଲ୍ଫି ନେଉଥିଲେ ତା’ ସହ । ମୋ ପୁଅ ବି ଜିଦ୍ କରୁଥିଲା ଚାଲ ବାପା ଗୋଟେ ଫଟୋ ନେବା । ଏତେ ଭିଡ଼ ଦେଖି ମୁଁ ପୁଅକୁ ବୁଝେଇ କହିଲି ଏବେ କେବଳ ତା ସହ ହେଣ୍ଡ ସେକ୍ କରି ପଳେଇବା । ସସେ ତ ଏଇଠି ଅଛି, ସପିଙ୍ଗ କରି ଫେରିଲା ବେଳେ ସେଲ୍ଫି ନେବା । ପୁଅ ପାଇଁ ସାନ୍ତା କ୍ଳଜ ଟୋପି କିଣିଲା ବେଳେ ରଘୁଆର ଛୁଆଙ୍କ ପାଇଁ ବି ଦୁଇଟି ଟୋପି ଆଉ ଦୁଇଟା ଗିଫ୍ଟ ମୁଁ କିଣିଥିଲି, ପୁଅ କହୁଥିଲା ଏ ସବୁ ମୁଁ ସେ ସାନ୍ତା କ୍ଳଜ ଅଙ୍କଲକୁ ଦେବି ।
ପ୍ରାୟ ରାତି ନ’ଟା ବାଜିବାକୁ କିଛି ସମୟ ବାକି ଥାଏ, ମୁଁ କିଣାକିଣି ସାରି ସାନ୍ତା କ୍ଳଜ (ରଘୁଆ) ଆଡ଼କୁ ଫେରୁଥାଏ । ସାନ୍ତା କ୍ଳଜ ଯେମିତି ନିର୍ଜୀବ ପାଷାଣ ଭଳି ଠିଆ ହେଇଥିବା ଭଳି ଲାଗୁଥିଲା। ଜ୍ଵରରେ ପୀଡ଼ିତ କ୍ଲାନ୍ତ ଦେହଟା ଦିନସାରା ଭଳିକି ଭଳି ଲୋକଙ୍କର ମନୋରଞ୍ଜନ କରାଇ ନିସ୍ତେଜ ହେଇଯାଇଥାଏ। ଜୁଳୁ ଜୁଳୁ ଆଖି ଦୁଇଟା ଛଡ଼ା ଆଉ
କଣ ଦେଖାଯାଉଛି ଯେ କିଏ ଜାଣିବ ତା ଭିତରର
ଦୁଃଖ ! ମୁଁ ତାକୁ ହାତ ମିଶାଇ ଆଲିଙ୍ଗନ କରିବାକୁ ଗଲାବେଳେ ସେ ଲଥ କିନା ବସି ପଡ଼ିଲା ତଳେ। ପାଖରେ ଥିବା ଲୋକମାନେ କିଛି ଧ୍ୟାନ ଦେଇ ନଥିଲେ ।
: “ଏ ମଲ ର୍ ମ୍ୟାନେଜର୍ କିଏ ?” ମୁଁ ପାଟି କରି ଡାକିଲି ।
ତା ଭିତରେ ମୋ ହାତରେ ଥିବା ପାଣି ବୋତଲଟା ଖୋଲି ପାଣି ପିଇବାକୁ ଦେଲି । ସେତେବେଳେ ଦେହରେ ପ୍ରବଳ ତାତି, ଦେହ ଥରୁ ଥାଏ। ତାର ଜଣେ ସହ କର୍ମୀଙ୍କ ସହାୟତାରେ ପାଖ କ୍ଲିନିକ୍ କୁ ନେଇଗଲୁ ।
: ” ଭାଇରାଲ ଫିବର ଭଳି ଜଣାଯାଉଛି । ରକ୍ତ ପରୀକ୍ଷା ପାଇଁ ଦେଇଦେଉଛି, ସେ ପର୍ଯ୍ୟନ୍ତ ଏଇ ଔଷଧ ଖାଇବାକୁ ଦିଅ” ଡାକ୍ତର କହିଲେ ।
ପ୍ରାୟ ରାତି ଦଶଟା ତିରିଶ ହେବ ଘରେ ପହଞ୍ଚିଲା ସାନ୍ତା କ୍ଳଜ ସାଥିରେ ମୁଁ ଆଉ ସପିଙ୍ଗ ମଲର ଜଣେ କର୍ମଚାରିଙ୍କୁ ସାଥିରେ ନେଇ ଅସୁସ୍ଥ ସାନ୍ତା କ୍ଳଜକୁ ତା’ର ଘରେ ପହଞ୍ଚାଦେଲୁ । ମୋ ପୁଅ ସାନ୍ତା କ୍ଳଜ ପାଇଁ କିଣିଥିବା ଗିଫ୍ଟ ଆଉ ତା’ର ପିଲାମାନଙ୍କୁ ଖାଦ୍ୟ ପୁଡ଼ିଆ ବଢ଼ାଇଦେଲି ।
ରଘୁଆର ଦେହ ଅସୁସ୍ଥ ତଥା ତାକ୍ତର ଖାନା କଥା ସବୁ ଜଣେଇ, ଠିକ ସମୟରେ ଔଷଧ ଖାଇବାକୁ ଡାକ୍ତର କହିଥିବା କଥାଟା ଜୋର ଦେଇ କହିଲି ।
: “ବାବୁ ଆପଣ ହିଁ ଆମ ପାଇଁ ପ୍ରକୃତ ସାନ୍ତା କ୍ଳଜ” ରଘୁଆ ସ୍ତ୍ରୀ ଲୁହ ଛଳ ଛଳ ଆଖିରେ ଆମକୁ କହୁଥିଲେ “।
: “ସାରା ଦୁନିଆ କେବଳ ସାନ୍ତା କ୍ଳଜର ଲାଲ ରଙ୍ଗର ବାହ୍ୟ ପୋଷାକରେ ଆବୃତ ବଳିଷ୍ଠ ଶରୀର, ଧଳା ରଙ୍ଗର ମୋଟା ମୋଟା ନିଶ ଦେଖି ଖୁସି ମନାଏ । ଦୁନିଆକୁ ରଘୁଆ ଭଳି ଅନେକ ସାନ୍ତା କ୍ଳଜର ପୋଷାକରେ ଆଭ୍ୟନ୍ତରୀଣ ମଣିଷଟିର ଦୁଃଖ କେବେ ଦିଶେନି ବାବୁ ।” ଏକଥା କହି ରଘୁଆର ସ୍ତ୍ରୀ କାନ୍ଦି ପକେଇଲେ ।
ଆମେ ଘରକୁ ଫେରିଲା ବାଟରେ ନିରୀହ ରଘୁଆ କଥା ଭାବି ମନଟା ଭାରି ଆନ୍ଦୋଳିତ ହେଉଥିଲା ।
ପ୍ରତିଷ୍ଠାତା ଓ ସମ୍ପାଦକ “ଓଡ଼ିଶା ବିଜୟଧ୍ବଜା ଇ-ପତ୍ରିକା” , ବାଙ୍ଗାଲୋର
