ପଢନ୍ତୁ ନାଟ୍ୟକାର, ନିର୍ଦ୍ଧେଶକ ବିଚିତ୍ରାନନ୍ଦ ସାହୁଙ୍କ ଗପ କନ୍ୟାଦାନ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର।କନ୍ୟା ଦେଖିବାକୁ ଆସିଥିବା ବର ର ପିତା ପଚାରିଲେ – ‘ଝିଅଟି କ’ଣ କରୁଚି?’

କନ୍ୟା ପିତା କହିଲେ – ‘ମୋ ଝିଅ ନର୍ସ ଚାକିରୀ କରୁଚି l’ ବରପିତା ଆଉ ବରପୁତ୍ର କନ୍ୟା ପସନ୍ଦ କରି ବାହାଘର ତିଥି ଠିକ କରିବାକୁ କହିଗଲେ l ବୟସାଧିକା କାରଣରୁ ରୋଗାକ୍ରାନ୍ତ କନ୍ୟାପିତା କହିଲେ – ‘ଆଲୋ ମା’ ! ମୁଁ ତ ପାଚିଲା ଫଳ, କେତେବେଳେ ଝଡି ପଡିବି କିଏ ଜାଣିଚି ? ଆସନ୍ତା ମାସରେ ୨୦ ଦିନ ଛୁଟି କରିଦେବୁ l ବାହାଘର ପରେ ତୋରି ଶାଶୁଘର ସହର କୁ ତୋରି ବଦଳି କରାଇ ଦେବାକୁ ମୁଁ ଏମ.ଏଲ.ଏ. ବାବୁଙ୍କୁ କହିଚି l’

ନର୍ସ ଜଣକୁ କିନ୍ତୁ ଛୁଟି ମିଳିଲାନି l କରୋନା ପାଇଁ ଲକ ଡାଉନ ପରିସ୍ଥିତିରେ ବାହାଘର ମଧ୍ୟ ସ୍ଥଗିତ ରହିଲା l ହଠାତ କନ୍ୟାପିତା ଜଣକ ଇହଧାମ ତ୍ୟାଗ କଲେ l ଅନ୍ତିମ ସଂସ୍କାର ବେଳେ ତାଙ୍କ ଝିଅ ଆସିପାରିଲାନି l ଏକ ମାତ୍ର କର୍ମଜୀବି ପୁଅ ମଧ୍ୟ ତୁରନ୍ତ କର୍ମ କ୍ଷେତ୍ରରୁ ଆସିପାରିଲାନି l

କ୍ୱାରେଣ୍ଟାଇନ ୱାର୍ଡ ର ଝରକା ଦେଇ ଚାହିଁଥିଲେ ନର୍ସ ଜଣକ l ବାହାରୁ ଶୁଭୁଥିଲା – “ରାମ ନାମ ସତ୍ୟ ହେ l” ବେଡ଼ରେ ପଡିଥିବା କରୋନା ଆକ୍ରାନ୍ତ ସତୁରି ବର୍ଷର ବୃଦ୍ଧ ଜଣକ ନର୍ସ କୁ କହିଲେ – ‘କିଏ ଜଣେ ଚାଲିଗଲା ବୋଧେ?’ ନର୍ସ ଜଣକ ବୃଦ୍ଧଙ୍କୁ ବୁଲି ଦେଖିଲେ l ତାଙ୍କ ଆଖିରେ ଲୁହ l ରୋଗୀ ଜଣକ କହିଲେ – ‘ତୁ ଚିନ୍ତା କରନା ମା ! ମୁଁ କେବେ ମରିବିନି l’

ନର୍ସ କହିଲେ – ‘ନା. . . ନା. . . ମୁଁ ସେଥିପାଇଁ କାନ୍ଦୁ ନାହିଁ l ରାସ୍ତାରେ ଯାହାର ସବା ଗଲା ସେ ମୋ ବାପା l ଏଇ ମାସରେ ମୋର ବାହାଘର ହେଇଥାନ୍ତା l ବିଚରା ! କନ୍ୟାଦାନ କରିପାରିଲେନି l’

ରୋଗୀ ଜଣକ କହିଲେ – ‘ତୁ ଚିନ୍ତା କରନା ମା! ଏ ଦୁର୍ଦ୍ଧିନ ସବୁଦିନ ରହିବନି l ମୁଁ ସୁସ୍ଥ ହୋଇ ଘରକୁ ଫେରିଲେ ତୋର ବାହାଘର କରିବି l ତୋର ବାପା ହୋଇ ମୁଁ କନ୍ୟାଦାନ କରିବି l’

ନର୍ସ ଜଣକ ଅନୁଭବ କଲେ ସତେ ଯେମିତି ତାଙ୍କ ବାପା ବେଡ଼ ଉପରେ ରହି ତାଙ୍କୁ ଆଶୀର୍ବାଦ କରୁଛନ୍ତି l