ମହାରାଷ୍ଟ୍ରରେ ଅଧିକ କରୋନା ମାମଲା, ଦିଲ୍ଲୀ ଓ ତାମିଲନାଡୁରେ ୯୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦେଶରେ ବଢ଼ି ବଢ଼ି ଚାଲିଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ରରେ ବେକାବୁ କରୋନା। ସବୁଠାରୁ ଅଧିକ ମାମଲା ଏଠାରେ ରହିଥିବା ବେଳେ ତା ତଳକୁ ରହିଛି ଦିଲ୍ଲୀ ଓ ତାମିଲନାଡୁ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳେ ଜାରି କରାଯାଇଥିବା ସଂଖ୍ୟା ଅନୁସାରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୧୫୭୪ ମାମଲା ସାମନାକୁ ଆସିଛି। ଏଥିସହ ତାମିଲନାଡୁରେ ୯୧୧ ଓ ଦିଲ୍ଲୀରେ ୯୦୩ ମାମଲା ସ୍ପଷ୍ଟ ହୋଇଛି। ଦେଶରେ କୋଭିଡ୍ -୧୯ରେ ୨୩୯ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେ ସୁଦ୍ଧା ୭୪୪୭ ଜଣ ସଂକ୍ରମିତ ହୋଇଛନ୍ତି। ସେ ମଧ୍ୟରୁ ୬୫୬୫ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏବଂ ୧୦୩୫ ନୂଆ ମାମଲା ସାମନାକୁ ଆସିଛି। ଏଯାଏ ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂଖ୍ୟା ବୋଲି କୁହାଯାଉଛି। ସୂଚନା ଅନୁସାରେ, କରୋନା ଭୂତାଣୁରେ ସାରା ବିଶ୍ବରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ୧୬ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ସଂକ୍ରମିତ ହୋଇଥିବା ଜଣା ପଡିଛି।