ନବନୀତା ବ୍ୟୁରୋ, ଭୁବନେଶ୍ୱର। ଘଇତାମାରୀ ଗହୀର। ନାଁ ଟା ବଡ଼ ଅଡୁଆ ଅଡୁଆ ଲାଗିଲେ ବି, ସେମିତି କିଛି ଦୁଃଖଦ ଘଟଣା ଘଟିଥିଲା କେଉଁ କାଳରୁ ଲୋକେ ଏଯାଏ ଭୁଲି ନାହାଁନ୍ତି। ସୁଦୁ ମନଗଢା କାହାଣୀ ପରି କଥାଟି, ଆମ ଜେଜେ, ଅଣଜେଜେ, ପଣଜେଜେ ଅମଳର ବହୁ ପୂର୍ବରୁ ଏମିତି ଏକ ଘଟଣା ଘଟିଛି ବୋଲି ସିନା , କଥାଟା ତୁଣ୍ଡରୁ ଛଅ ତୁଣ୍ଡ ହେଇ ଆଜି ଏବେ ଲୋକଙ୍କ ମୁହଁରେ ଶୁଣାଯାଉଛି। କଥାରେ ସତ୍ୟତା ଥାଉ କି ନ ଥାଉ , ଦିଗ୍ ବଳୟ ସେପାଖ ଯାଏ ଆଖି ପାଉ ନଥିବା ଏତେ ବଡ଼ ଗହୀରକୁ ଝାଞି ଖରାରେ କେବେ କେମିତି ବିଲକୁ ହଳ ନେଇ ଗଲେ କି ଆଉକିଛି ସେମିତି କାମରେ ଏକୁଟିଆ ଗଲେ , ଯଦି ମଥାନ ଉପରେ ସୂର୍ଯ୍ୟଥିବ , ଗହୀରକୁ ଥରେ ଅନେଇଲେ ପିଳେହି କଂଚା ପାଣି ହେଇଯିବ।
ଗାଁ ମୁଣ୍ଡର ଦକ୍ଷିଣକୁ ସାଗର ପଥ ଉପରେ ଠିଆ ହେଲେ ପୂର୍ବ-ଦକ୍ଷିଣ-ପଶ୍ଚିମକୁ ଯୁଆଡେ ଚାହିଁବ , ଆଖି ପାଉନଥିବା ଦୂର ଦିଗ୍ ବଳୟ ଯାଏ ବଡ଼ ସବୁଜ ପ୍ରାନ୍ତର , ଘଇତା ମାରୀ ଗହୀର ତା ନାଁ । ସେଇ ଗହୀରର ଚାରିଦିଗରେ ରହିଥିବା ଗାଁ ସବୁ ଏମିତି …..
ଉତ୍ତରକୁ – ବରିହା , ଗୋଠଡିଆ , ତାଳଦଣ୍ଡା , ଘୋଡାମରା , ଉଆସଢିଅ , ବରୁଣକନ୍ଧା , ଗୋପିଆକୁଦ , ମଠସାହି ଓ ବେଦାପାଟ ।
ପଶ୍ଚିମକୁ – ସମାଗୋଳ , ବଡଙ୍ଗ , ପାନପଲ୍ଲୀ , ପାରିଅଙ୍ଗ , ବାଲିଆ , ପାଟକୁରା , ଚଟୁଆ , ବଡବନ୍ଧ ।
ଦକ୍ଷିଣକୁ – ବଉଳାଙ୍ଗ , କଙ୍କରଦିଆ , ଜାଲପଦା ।
ପୂର୍ବକୁ – ବିସ୍ତୀର୍ଣ୍ଣ ଖୋଲା ସମତଳ ସନ୍ତସନ୍ତିଆ ଭୂଇଁ ହଳଦୀପାଣି-ପଟାକଣି ନଦୀଯାଏ ବ୍ୟାପିଛି । ପଟାକଣି ନଦୀ ସେପାଖରେ ପାଟଣା ଗାଁ , ତାପରେ ଘଂଚ ହେନ୍ତାଳ ଜଙ୍ଗଲ ବ୍ୟାପିଛି ସମୁଦ୍ର କୂଳଯାଏ ।
ଖରା ତିନି ଚାରିମାସ ଛାଡିଦେଲେ ବର୍ଷର ବାକି ସମୟ ତକ ଏ ଗହୀର ପୁରା ସନ୍ତସନ୍ତିଆ ଭୂମି , ଅରମା ଗଛବୃଛ , ବେଣାବୁଦା , କଣ୍ଟେଇ କୋଳି ବୁଦା ଆଉ ଘାସରେ ଭରପୁର । ସବୁଜ ଘାସର ସମତଳ ପ୍ରାନ୍ତର ସତେକି ବଡ଼ ଗାଲିଚା ଟିଏ ବିଛେଇ ରଖିଛି ଏ ଗହୀର ସାରା । ମଝିରେ କାଁ ଭାଁ ପୁଞାଏ ଛଅଟା ଖଜୁରୀ , ନିମ୍ବ କି ଗମ୍ଭାରୀ ଗଛ ଗହଳ ବେଣାବୁଦା ଭିତରେ ଲୁଚିଗଲା ଭଳି ନିଜ ଅସ୍ଥିତ୍ବକୁ ପୁଣି ଦେଖେଇବାକୁ ଚାହୁଁଛନ୍ତି ।
ଏଇ ଆଖପାଖ ସମସ୍ତ ପେଣ୍ଠ ଗାଁର ଭାତଥାଳୀ ଏ ଗହୀର । ଏ ଅଞ୍ଚଳର ପ୍ରାୟ ସବୁଯାକ ଧାନ ଏଇ ଗହୀରର ବିଲମାଳରୁ ଅମଳ ହୁଏ । ମୁଗ ବିରି ଛାଡିଦେଲେ , ମାଣ୍ଡିଆ କୋଳଥ ଫସଲ ଲୋକେ ଯାହିତାହି ଅମଳ କରନ୍ତି । ଗହୀରର ଠିକ୍ ମଝିଆ ମଝି ଅଙ୍କାବଙ୍କା ହେଇ ଲମ୍ବିଥିବା ଛୋଟ ଧାରର ଯୋର “ପିଂଛା ନଈ ” । ସେ ଯୋରରେ ବେଙ୍ଗ ମୁତିଲା ଭଳି ପାଣି । ବର୍ଷାଦିନେ ବି ଅଣ୍ଟାଏ ତଳକୁ ରହେ , ଦଳ ଆଉ ପଙ୍କରେ ଭରା ମାଛ କଙ୍କଡ଼ା ସାଲୁବାଲୁ ସେଠି । ଭୋଦୁଅ ମାସରେ ଖୁଦୁରୁକୁଣୀ ପୂଜା ବେଳେ ବେତା ବେତା କଇଁଫୁଲ ତୋଳା ହେଇ ଆସେ ସେଇ ପିଂଛା ନଈରୁ । ଖରାଦିନେ କିନ୍ତୁ ଏ ପିଂଛାନଈ ସୁଖି ଆଁ ।
ଘଇତାମାରୀ ଗହୀରର ସେ ଦୁଃଖଦ କାହାଣିଟି ଏମିତି ….
ଏହି ଗହୀର ମଝିରେ ଆମ ଗାଁ କାଶିଆର ବିଲ । ସକାଳୁ ଦିଟା ପଖାଳ ତୋରାଣି ମୁହଁରେ ଗୁଞିଦେଇ ଆସିଥିଲା ବିଲକୁ ହଳ ନେଇ । ସାଙ୍ଗରେ କସରା ଆଉ ଧଳା ବଳଦ , ହଳ ସହ ଯୋଚିଛି ସେ ଗହୀର ବିଲରେ । ସେଦିନ ଝାଞି ଖରାରେ ମୁଣ୍ଡ ଫାଟି ପଡ଼ିବ ଯେମିତି । ହଳ କରି କରି ବଳଦ ଯୋଡ଼ା ଆଉ ସେ ନିଜେ ହାଲିଆ ହେଇଗଲାଣି ଏବେଠୁ । ଦେଢମାଣର କିଆରୀରେ ସକାଳୁ ହଳ ଆରମ୍ଭ କଲାଣି ସେ , ଭାବିଛି ସଅଳ ସଅଳ ଆଜି କାମ ସାରିଦେଲେ ଉପରବେଳା ଅଧାକୁ ଘରମୁହାଁ ହେଇଯିବ ।
ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲାଣି , ଭୋକ ଶୋଷରେ ଏବେ ତଣ୍ଟି ସୁଖି ଗଲାଣି । ହେଲେ କାଶିଆର ଲୋଭ ସରୁନି , ଭାବିଛି ଭାରିଜା ବିଲକୁ ଭାତ ଆଣିବା ବେଳକୁ ପୁରା ଦେଢମାଣ କିଆରୀ ଏକା ଓଳିକେ ହଳ କରିବ ସେ ।
ମାଇପ ତାର ଆଜି ଭାତ ଧରି ସଅଳ ଆସନ୍ତା ନି ବିଲକୁ ? ଭାବିଲା ସେ , ଏପଟେ ଶୋଷରେ ତଣ୍ଟି ଶୁଖିଯାଉଛି ତାର । ଗାଁ ମୁଣ୍ଡକୁ ଅନେଇଲା ସେ , ଏ ଗହୀର ଆଡ଼କୁ କାହିଁ କେହି ଆସିବାର ଦେଖା ଯାଉନି ତ ? ଭାବିଲା ଏବେ ଖାଲିଟାରେ ହିଡ ମୁଣ୍ଡରେ ବସିବସି ଲାଭ କଣ , ଘରଣୀ ଆସିବା ବେଳକୁ ଆଉ ଅଚ୍ଚାଏ ( ଜମିର କିଛି ଅଂଶ) ହଳ କରିଦେଲେ ଭଲ । ପୁଣି ହଳ ଚଲେଇଲା ସେ । ମଣିଷର ଲୋଭ ମଲାଯାଏ ସରେନା , ଏଇଟା ତାର ପ୍ରକୃତି । କିଛି ସମୟ ପରେ ସେ ଦେଖିଲା ମାଇପି ଲୋକ କେହିଜଣେ ଏଇ ଆଡକୁ ଆସିବାର , ଏତେ ଦୂରରୁ ଚିହ୍ନି ହେଉନି । ତଥାପି ଚାଲିରୁ ଠଉରାଇ ନେଲା ତା ମାଇପ ଇଏ।
ଏତେ ଧୀର ଚାଲି ତାର , ଆଜି କାହିଁ ରାଗ ଆସିଲା ତା ଭାରିଜା ଉପରେ । ରାଗ ଅସମ୍ଭାଳ ହେଲାଣି , ଭୋକ ଆଉ ଶୋଷରେ ମଣିଷର ବୁଦ୍ଧିଜ୍ଞାନ ହଜିଯାଏ । ସଦାବେଳେ ତା ଧୀର ଚାଲିକୁ ଲକ୍ଷ୍ମୀପାଦ ବୋଲି କହୁଥିବା କାଶିଆ ଆଜି ସେଇ ଚାଲି ପାଇଁ ରାଗ ତାର ପଂଚମକୁ ଉଠିଲାଣି । ବୁଭୂଖିତଂ କିଂ ନ କରୋତି ପାପଂ । କାଶିଆର ଭୋକ ଶୋଷ ତା ହିତାହିତ ଜ୍ଞାନ ହଜେଇ ଦେଲାଣି । ତଣ୍ଟି ଶୁଖି ଗଲାଣି , ଶୋଷରେ ବିକଳ ଲାଗିଲା ତାକୁ ଆଉ ଠିଆ ହେଇ ପାରୁନି ସେ । ଶୀଘ୍ର ଶୀଘ୍ର ଆସିବାକୁ ପାଂଚଣ ହଲେଇ ଇଶାରାରେ ଡାକିଲା ତା ଭାରିଜାକୁ । ଆଜି ପିଲା ଛୁଆଙ୍କ ଜଞାଳ ଯୋଗୁଁ ତା ଭାରିଜାର ଟିକେ ଡେରି ହୋଇଗଲା , ବିଲକୁ ଭାତ ଆଣିବାରେ ।
ଏଥର ଝଅଟ ଝଅଟ ଚାଲିଲା ସେ , ମୁଣ୍ଡରେ ମାଟି ହାଣ୍ଡିରେ ଭାତ , ତରକାରୀ ଆଉ ତା ଉପରେ ପଲମ । ପଲମ ଉପରେ ମାଟି କଳସୀରେ ପାଣି ଭର୍ତ୍ତି । ପାଦଚଲା ରାସ୍ତା ବି ନାହିଁ , ଗହୀର ସାରା ସବୁଆଡେ ବିଲରଜ ହଳ ହେଇଯାଇଛି । ବିଲର ହିଡ ଦେଖି ଚାଲିବାକୁ ପଡିବ ତାକୁ , ଏପଟେ ଭୋକ ଶୋଷରେ ଆଉଟୁ ପାଉଟୁ ତା ଗେରସ୍ତ । ସେପଟେ ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ କଲାଣି । ଦଇବ ଦଉଡି ପାରେକେ ଛାଡି , ଯୁଆଡେ ଚାହିଁବ ନେବ ସେ ଭିଡ଼ି । ଗେରସ୍ତକୁ ଅନେଇ ଅନେଇ ଆସିଲାବେଳେ ହିଡ ଉପରେ ଝୁଣ୍ଟି ପଡ଼ିଲା କାଶିଆର ଭାରିଜା । ପଡ଼ିଗଲା ସେ ତଳକୁ । ମୁଣ୍ଡରେ ଥିବା ହାଣ୍ଡି , ପଲମ ଆଉ ପାଣି ଭରା କଳସ ଭାଙ୍ଗି ଚୁର୍ ମାର୍ , ଖପରା ସବୁ ଗଡୁଛି ହିଡ ତଳେ । ଆଉ ଦିଖୋଜ ବାଟ ହେଲେ ପହଞ୍ଚି ଯାଇଥାନ୍ତା ସେ ଗେରସ୍ତ ପାଖରେ । ପାଣି ଟୋପେ ହେଲେ ନାହିଁ । ଅତି କଷ୍ଟରେ ଧଇଁସଇଁ ହୋଇ ଆସି ପହଞ୍ଚିଲା କାଶିଆ ସେଇ ଭଙ୍ଗା ମାଠିଆ ପାଖରେ , ସେତେବେଳକୁ ସବୁ ଶେଷ । ସେଇଠି ମୁହଁ ମାଡି ପଡ଼ିଗଲା କାଶିଆ ମାଟି କାମୁଡି , ସେତେବେଳକୁ ପ୍ରାଣ ତାର ଉଡି ସାରିଥିଲା ।
ସେଇ ଦିନଠାରୁ ଲୋକେ ଜାଣିଲେ ଘଇତାମାରି ଗହୀର ଇଏ । ଯୁଆଡେ ଚାହିଁବ ଏବେବି କୁଆଡେ ବଡ଼ ଗଛଟିଏ ନାହିଁ । କିନ୍ତୁ ଗହୀର ମଝିଆ ମଝି ଯେଉଁ ହିଡ ମୁଣ୍ଡରେ କାଶିଆର ପ୍ରାଣ ଉଡି ଯାଇଥିଲା ସେଇ ଯାଗାରେ ଗମ୍ଭାରୀ ଗଛଟିଏ ଏବେ ବଢିଲାଣି ଶାଖା ପ୍ରଶାଖା ମେଲି , ଗଲା ଆଇଲା ଲୋକଙ୍କୁ ଛାୟା ବି ଦେଲାଣି ସେ ଗଛ । ଲୋଗେ ସେ ଗଛକୁ କାଶିଆ ଗଛ ଆଉ ଘଇତା ମାରୀ ଗହୀରର ସେଇ ଜାଗାକୁ କାଶିଆ ଚକଡା଼ କହୁଛନ୍ତି ।
