ନବନୀତା ବ୍ୟୁରୋ, ଭୁବନେଶ୍ୱର।ଡମୁରୁ ମାଝୀ ଦାଦନ ଖଟୁଛି ।ଏକଥାଟା କେମିତି ଅଖାଡୁଆ ଲାଗୁଥିଲେ ବି ସତ।ଅନାହାର ମୃତ୍ୟୁକୁ ଏଡାଇବା ପାଇଁ ସେ ଦାଦନରେ ଗଲା ।ଦାଦନ-ତିନି ଅକ୍ଷରର ଏଇ ଫଳକଟି ଖାଲି ତା’ବେକରେ ଝୁଲୁନାହିଁ, ତା’ର ମା’ଛେଉଣ୍ଡ ଦି ପୁଅଙ୍କ ପାଇଁ ବି ଲାଗୁହେଉଛି ।ଡମୁରୁ ଯେତେବେଳେ ଦାଦନ ଖଟିବାକୁ ଗଲା, ସେତେବେଳକୁ ତା’ବଡ ପୁଅ କୁ ପନ୍ଦର କି କଣ, ଆଉ ସାନକୁ ସେଇ ସାତ କି ଆଠ ।ଗରୀବ ଖଟିଖିଆ ମୂର୍ଖ ଲୋକ ବୟସର ହିସାବ କାହୁଁ ବା ମନେ ରଖିବ ।ଦି’ଦିଟା ଛୁଆଙ୍କୁ ଛାଡି ତା ସ୍ତ୍ରୀ ସମ୍ବାରୀ ଆର ପାରିକୁ ବାଟ କାଟିଲା ।ଡମୁରୁ ମୁଣ୍ଡରେ ଚଡକ ପଡିଗଲା ଯେମିତି ।କିଏ କହିଲା ଆଉ ଗୋଟେ ବାହା ହେଇ ପଡିଲେ ଘର ଛୁଆ ସବୁ ଆବାଦ ହେଇଯିବ ।ହେଲେ ଡମୁରୁ ପାରିଲା ନାହିଁ ।କେତେ ସୁଖଦୁଃଖ, ବରଷା-ଫଗୁଣ ସିଏ ବିତେଇଛି ସମ୍ବାରୀ ସାଙ୍ଗରେ, କେମିତି ଦି’ଜଣଙ୍କର ପ୍ରେମର ପୂଜାଫୁଲମାନଙ୍କପାଇଁ ସେ ସାବତମା’ଆଣିଥାନ୍ତା?ସେମିତି ଏକା ଏକା ଜୀବନ ନଉକାଟି ବାହିନବ ବୋଲି ଭାବିନେଲା ।ପାରିଲାନି ସେ ।ଦଇବ ଦାଉସାଧିଲା ।ଲଗାତର ମରୁଡି ଡମୁରୁର ଅଣ୍ଟା ଦୋହଲେଇ ଦେଲା ।ଛୁଆଙ୍କୁ ବଞ୍ଚେଇବା ପାଇଁ ସେ କିଛି ଗୋଟେ ନିଷ୍ପତ୍ତି ନେଇଗଲା-ସେ ଦାଦନ ଖଟିବାକୁ ଯିବ ।ଗଲା ମଧ୍ୟ ।
ଦାଦନ କହିଲା ବେଳେ ବୁଝି ନାହଁ କେହି ଖଟୁଥିବା ଲୋକର ଦୁଃଖ, ତା’ର ଅନ୍ତର୍ଦାହକୁ । ସରକାର, ସମାଜ ସମସ୍ତେ ଦାୟୀ ଏଥିପାଇଁ ।ପାଞ୍ଚ ବରଷଠୁଁ ଅଧିକ ହେଲାଣି, ଡମୁରୁ ଦାଦନ ଖଟୁଛି ।ଆଗେ ଆଗେ ଫି’ମାସ ଟଙ୍କା ଆସୁଥିଲା, ହେଲେ ପାଖାପାଖି ବରଷେ ହବ ଆଉ ଖୋଜଖବର ନାହିଁ ।ମାଉସୀ ଘରେ ଥିବା ଦି’ପୁଅ ହାତକୁ ଦି’ହାତ ହେଇ ଗଲେଣି ।ଖଟିଖିଆ ଘର ଯେଝା ସଂସାର ଯେଝା ମୁଣ୍ଡକୁ ନେଇଗଲେ ଭଲ ।ସୁମତୀ ମାଉସୀ ତା’ଦାୟିତ୍ବରେ ହେଳା କରିନି ।ବାପା ଡମୁରୁର ମୁହଁ ଏବେ ପୁଅମାନଙ୍କୁ ଝାପସା ଦେଖାଗଲାଣି ।
ଗାଁ ଦାଣ୍ଡରେ ଡାକବାଜି ଯନ୍ତ୍ର କ’ଣ ଗୋଟେ ‘କାଳିଆ ‘ଯୋଜନା କଥା ଡାକି ଡାକି ଗଲା ।ଡମୁରୁର ଦି’ପୁଅ ଘର ଭିତରୁ ବାହାରି ଆସି ଶୁଣିଲେ ।ସବୁ ଶୁଣିଲା ପରେ ଆଖି ବଡବଡ କରି ଦିହେଁ ଦିହିଁଙ୍କୁ ଚାହିଁ ଭାବୁଥିଲେ ,ପାଞ୍ଚ ବରଷ ଆଗରୁ ଏଇ ସରକାର ବି ଥିଲା ।କିନ୍ତୁ ଏ ବରଷ ନିର୍ବାଚନ ଆଗରୁ ଏ ସୁନ୍ଦୁରିଆ ଯୋଜନାର ବୁଦ୍ଧିଟା କେମିତି ସରକାରଙ୍କ ମୁଣ୍ଡକୁ ପଶିଲା?
ଆଗରୁ ବୁଦ୍ଧି ଦିଶୁ ନ ଥିଲା? ଏତିକି ବେଳକୁ ଦି’ଭାଇଙ୍କର ଘରଣୀ ଦି’ଜଣଙ୍କ ପାଖରୁ କିଛି ଇସାରା ମିଳିଲା ।ଦୁଇ ଜଣ ସରପଞ୍ଚ ଘର ବାବୁଙ୍କଘର ଆଡକୁ ଚାଲିଲେ ।ଫର୍ମ ପୂରଣ କଲେ କାଳିଆ ଟଙ୍କା ମିଳିବ ।ବାପଗୋଷାପର ଯେଉଁ ପାଞ୍ଚ ମାଣ ଜମି ଥିଲା ଏବେ ବି ଅଛି ।ଗୁଣ୍ଠେ ଜମି ବି ବିକିନାହିଁ, ଦାଦନ ପଛେ ଖଟିଛି ।
ଠିକ୍ ଏତିକି ବେଳକୁ ଗାଁ ମୁଣ୍ଡ ବରଗଛ ନିକଟରେ ଏକ ଆମ୍ବୁଲାନ୍ସ ଗାଡି ଅଟକିଲା ।ଗାଡି ଭିତରୁ କିଛି ଲୋକ କାହାକୁ ଟେକି ବାହାର କଲେ ଓ ବର ଗଛ ତଳ ମଣ୍ଡପ ଉପରେ ଶୁଆଇ ଦେଇ ଚାଲିଗଲେ ।ସବୁକିଛି ଆଖିଆଗରେ ଏତେ ଶୀଘ୍ର ହେଇଗଲା ଦି’ଭାଇଙ୍କର କିଛି ବୂଝିହେଲାନି ।କିନ୍ତୁ ପାଖକୁ ଯାଇ ଅବାକ୍ ହେଲେ, ସେ ଆଉ କେହି ନ ଥିଲା, ସେମାନଙ୍କ ବାପା ଡମୁରୁ ମାଝୀ….ଦେହ ସାରା ବ୍ୟାଣ୍ଡେଜରେ ବନ୍ଧାଥିଲା ।ଦି’ଭାଇ କାଳିଆ ଟଙ୍କା ପାଇଁ ଯିବେ ନା ଦାଦନ ଖଟି ଏତେବର୍ଷପରେ ଶବ ହୋଇ ଫେରିଥିବା ବାପର ସତ୍କାର କାମରେ ଲାଗିବେ, କିଛି ଠିକ୍ କରି ପାରୁ ନ ଥିଲେ ।ସ୍ଥାଣୁ ପାଲଟି ଯାଇଥିଲେ ଯେମିତି ଅତର୍କିତ ଦୁଃଖର ଆଗମନରେ…. ।
